ଭବାନୀ

 

 

 

 

 

 

 

 

 

ଭବାନୀ

ଶ୍ରୀ ଭୁବନେଶ୍ୱର ମିଶ୍ର

 

ବନ୍ଦନ

 

ବୀଣାପାଣି-ପୁଣ୍ୟ-ବେଦିକା-

 

 

ବର-ପୁରୋଧା ବୀର !

ହୋମ-ପୂଜା-ଧୂମ ବ୍ୟାପଇ

 

 

ତବ ଧରଣୀ ଶିର ।

ନିରେଖି ସେ ଧୂମ-କୁଣ୍ଡଳୀ

 

 

ଦୂର ଶଇଳ-ବାସେ

ଆସିଛି ଏ ଦୀନ ପୂଜାରୀ

 

 

ପୂଜା-ବେଦିକା ପାଶେ ।

ଆଣିଛି ଆହରି ଆଗ୍ରହେ

 

 

ଏହି ହୋମ-ସାଧନ

ଘେନା ହେଉ ଆହେ ରାଜର୍ଷି !

 

 

ଗୁଣଗ୍ରାହି-ରତନ ।

ସ୍ୱଭାବେ ତୁମ୍ଭେ ତ ଉଦାର

 

 

ପୁଣି ମହତପ୍ରାଣ

ଘୋଷଇ ଉତ୍କଳ ତୁମ୍ଭରି

 

 

ଯଶ ମହିମା ଗାନ !

 

 

ପାଇ ହେ କରୁଣା-ଆଧାର !

 

 

ତବ କରୁଣା-ବାରି

ଲଭନ୍ତି ତୃପତି ତୃଷିତ

 

 

କେତେ ବିଜନ-ଚାରୀ ।

ସୁଷମିତ ତବ ଯତନେ

 

 

ଆଜି ସାହିତ୍ୟ-ମରୁ

ହସଇ ପଲ୍ଲବ-ସୋହାଗେ

 

 

ଶତ ତରୁଣ ତରୁ ।

ଧୀରବର ବୀରହୃଦୟ !

 

 

ଶୂରକୁଳମଣ୍ଡନ !

କରେ ବୀରବାଳା 'ଭବାନୀ'

 

 

ତବ ପାଦ ବନ୍ଦନ;

ଘେନି ତାର ପ୍ରାଣ-ପ୍ରଣତି

 

 

ଆହେ ରାଜମଉଳି !

‘କିଶୋର’ କୋମଳ ଶ୍ରୀକରେ

 

 

ଦିଅ ଆଶିଷ-ଧୂଳି ।

ବିନୀତ

ପ୍ରଣେତା

Image

 

ଉତ୍କଳର ଲବ୍ଧପ୍ରତିଷ୍ଠ ବିଶିଷ୍ଟ ସାହିତ୍ୟିକମାନଙ୍କର

କାବ୍ୟ ସମ୍ୱନ୍ଧରେ ଅଭିମତ

(୧)

 

ଶ୍ରୀମାନ୍ ଭୁବନେଶ୍ୱର ମିଶ୍ରଙ୍କର ଅସାଧାରଣ ପ୍ରତିଭା ତାଙ୍କ ପ୍ରକାଶିତ ‘ପ୍ରତିଜ୍ଞା’ କାବ୍ୟରେ ଆମ୍ଭେମାନେ ଏଥି ପୂର୍ବରୁ ଦେଖିଥିଲୁଁ l ପ୍ରବନ୍ଧଲେଖକ ରୂପେ ସେ ଚାରିବର୍ଷ ଉତ୍କଳସାହିତ୍ୟ ସମାଜରୁ ପୁରସ୍କାର ପାଇଥିଲେ l ତାଙ୍କର ଅପ୍ରକାଶିତ ‘ଭବାନୀ’ କାବ୍ୟର କେତେକ ଅଂଶ ମୁଁ ଦେଖିଅଛି l ଉତ୍କଳର ଲବ୍ଧପ୍ରତିଷ୍ଠ ସାହିତ୍ୟିକମାନଙ୍କର ଅଭିମତ ଅପେକ୍ଷା ମୁଁ ଅଧିକ କିଛି କହିପାରୁ ନାହିଁ l କବି ନିର୍ଧନ; ମୁଁ ଆଶା କରେ, ଏ କାବ୍ୟକୁ ପ୍ରକାଶିତ କରିବା ପାଇଁ ଉତ୍କଳରେ କାବ୍ୟାମୋଦୀ ଧନିକ ଓ ନରେଶ୍ୱରମାନଙ୍କ ମଧ୍ୟରୁ କେହି ଅଗ୍ରସର ହେବେ l କବି ସର୍ବଥା ଉତ୍ସାହ ପାଇବା ଯୋଗ୍ୟ ଓ ଉପଯୁକ୍ତ ଅର୍ଥ ସାହାଯ୍ୟ ଲାଭ କଲେ ସେ ଉତ୍କଳସାହିତ୍ୟ-ଭଣ୍ଡାରରେ ଗୁଡ଼ିଏ ରତ୍ନ ସଞ୍ଚୟ କରିପାରନ୍ତେ ।

 

ଭାଷାକୋଷ ଅଫିସ, କଟକ

ଗୋପାଳଚନ୍ଦ୍ର ପ୍ରହରାଜ

ତା ୨୨/୧୦/୩୫

 

Image

 

(୨)

 

ବୀରରସାତ୍ମକ ‘ଭବାନୀ’ ର ପାଣ୍ଡୁଲେଖ୍ୟ ପାଠ କରି ମୁଗ୍ଧ ହେଲି । ସୁପରିଚିତ ଗ୍ରନ୍ଥକାର ଅପରର ବନ୍ଧା ଗୀତ ଗାଇବାକୁ କିମ୍ବା ପରଲୁଗା ପିନ୍ଧି ରଙ୍ଗାଳୟରେ ଆବିର୍ଭୂତ ହୋଇ ନାହାନ୍ତି । ତାହାଙ୍କର କଳ୍ପନାରେ ନବୀନହ ଓ ଚିତ୍ରଣରେ ପରିସ୍ଫୁଟନ ପୂର୍ଣ୍ଣ ମାତ୍ରାରେ ଦେଦୀପ୍ୟମାନ-। ଏହି କାବ୍ୟରେ ରଚକ ମହାଶୟ ଅସାଧାରଣ କ୍ଷମତା, କୃତିତ୍ୱ, ଲିପିକୌଶଳ, ନିରପେକ୍ଷତା ଏବଂ ପ୍ରତିଭାର ପରିଚୟ ଦେଇ ଅଛନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ । କାଠିଣ୍ୟରେ କୋମଳତା, ଗାମ୍ଭୀର୍ଯ୍ୟରେ ତରଳତା ଏବଂ ପ୍ରକୃତି ବର୍ଣ୍ଣନରେ ରସିକତା ସଂମିଶ୍ରିତ ହୋଇ ଏହି ଗ୍ରନ୍ଥ ଅତ୍ୟନ୍ତ ଉପାଦେୟ ହୋଇଅଛି । ଶ୍ରାବଣର ଅନର୍ଗଳ ବର୍ଷଣ ଉତ୍ତାରୁ ନବ ଭାନୁକିରଣ ଯେପରି ମଧୁର, କଣ୍ଟକବେଷ୍ଟିତ ଗୋଲାପର ସୌରଭ ଯେଉଁଭଳି ମିଷ୍ଟ, ଏହି ପୁସ୍ତକ ଖଣ୍ଡିକ ସେହିପରି । ଏହି ଗ୍ରନ୍ଥର ଆଦର ହେବାହିଁ ସର୍ବତୋଭାବରେ ବାଞ୍ଚ୍ଥନୀୟ । ମାତ୍ର କବିଙ୍କର ନିମ୍ନୋକ୍ତି ରଚକଙ୍କଠାରେ ସମ୍ପୂର୍ଣ୍ଣ ସାର୍ଥକ :-

‘‘ଶୁଷ୍କ ବନ୍ଧ୍ୟ ଯଶଃ ସଙ୍ଗେ ଅର୍ଦ୍ଧାଶନ

ପ୍ରତିଭାର ପରା ଲଲାଟ ଲିଖନ ।"

କାଳୀଗଳି

 

କଟକ

ଶ୍ରୀ ଶଶିଭୂଷଣ ରାୟ

ତା ୧୯/୧୦/୩୫

 

Image

 

(୩)

 

ପଣ୍ଡିତ ଶ୍ରୀ ଭୁବନେଶ୍ୱର ମିଶ୍ରଙ୍କ କୃତ ବୀରରସାତ୍ମକ ‘ଭବାନୀ’ କାବ୍ୟ ପାଠ କରି ଅତିଶୟ ପ୍ରୀତ ହେଲି । ଲେଖକ ଏହି କାବ୍ୟ ଅତି ସରଳ ଭାଷାରେ ସର୍ବଜନାଦୃତ ବଙ୍ଗଳାଶ୍ରୀ ରାଗରେ ପ୍ରଣୟନ କରିଅଛନ୍ତି । ଆଧୁନିକ ରୁଚିର ଅନୁକୂଳ ହୋଇଥିବା ହେତୁ ଏ କାବ୍ୟ ସର୍ବସାଧାରଣରେ ପାଠ୍ୟରୂପେ ଗୃହୀତ ହେବ । ଭାବ-ବୈଚିତ୍ର୍ୟ ଓ ଶବ୍ଦାଳଙ୍କାରବିହୀନତା ଏହାର ପ୍ରଧାନ ବିଶେଷତ୍ୱ । ରଚନାଚାତୁରୀ, ଶୋଭନ ପଦଯୋଜନାସାମର୍ଥ୍ୟ, ବସ୍ତୁସଂଗ୍ରଥନ-ପାଟଚ, ଚରିତ୍ରଚିତ୍ରଣ କୌଶଳ ପ୍ରଭୃତି ଯଥାଯଥ ରୂପେ ବିଳସିତ । ଏହି କାବ୍ୟ ସର୍ବସାଧାରଣଙ୍କ ପାଠୋପଯୋଗୀ ହେବ, ଏହା ମୋର ବିଶ୍ୱାସ ।

 

ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି

ତା ୨୧/୧୦/୩୫

Image

 

(୪)

 

ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ରଚିତ ‘ଭବାନୀ’ କାବ୍ୟଟିର ପାଣ୍ତୁଲିପି ମୋଟାମୋଟି ପାଠ କରି ଆନନ୍ଦିତ ହେଲି । ଏ କାବ୍ୟରେ କବି ଉତ୍କଳୀୟ ରାଜକନ୍ୟାଙ୍କର ପ୍ରଗାଢ଼ ସ୍ୱଦେଶ ଏବଂ ସ୍ୱଧର୍ମ ପ୍ରୀତି, ତଥା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିହିଂସା-ବହ୍ନିର ଜ୍ୱଳାମୟୀ ଶକ୍ତିକୁ ବେଶ୍‍ ସୁନ୍ଦର ଭାବରେ ପରିଷ୍ଫୁଟ କରି ଅଛନ୍ତି । ରଚନାର ଶୈଳୀ କବିଙ୍କର ପ୍ରବୀଣତାର ପରିଚାୟକ । କାବ୍ୟର ଭାଷା ବେଶ୍‍ ସରଳ ଏବଂ ସୁବୋଧ୍ୟ ହୋଇଅଛି । ମୋର ବିଶ୍ୱାସ, ଏ କାବ୍ୟଟି ପ୍ରକାଶିତ ହେଲେ ଉତ୍କଳସାହିତ୍ୟର ଅଙ୍ଗସୌଷ୍ଠବ ଅବଶ୍ୟ ଯତ୍‍କିଞ୍ଚିତ୍‍ ବୃଦ୍ଧି କରିବ ।

 

ପୁସ୍ତକ ମୁଦ୍ରଣରେ ପଣ୍ଡିତ ମହାଶୟ ଉତ୍କଳର ସାହିତ୍ୟାନୁରାଗୀ କୌଣସି ଉଦାର ରାଜା ମହାରାଜାଙ୍କଠାରୁ ଉତ୍ସାହ ପାଇବାର ଦେଖିଲେ ବିଶେଷ ଆପ୍ୟାୟିତ ହେବି ।

 

କଟକ

ଶ୍ରୀ ଲିଙ୍ଗରାଜ ମିଶ୍ର

ତା ୨୦/୧୦/୩୫

ସଂପାଦକ-ସମାଜ

Image

 

(୫)

 

ଶ୍ରୀମାନ୍‍ ପଣ୍ତିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରଣୀତ ବୀରରସାତ୍ମକ ‘ଭବାନୀ’ କାବ୍ୟର ସମଗ୍ର ବିଷୟଚିତ୍ର ଓ କବିତାର କିୟଦଂଶ ପାଠ କରି ମୁଁ ଅତ୍ୟନ୍ତ ପ୍ରୀତିଲାଭ କରିଅଛି । ଲେଖକ ଉତ୍କଳସାହିତ୍ୟ କ୍ଷେତ୍ରରେ ସୁପରିଚିତ । କେତେଗୁଡ଼ିଏ ମୌଳିକ ପ୍ରବନ୍ଧ ଲେଖି ସେ କ୍ରମାନ୍ୱୟରେ ୪ ବର୍ଷ “ସାହିତ୍ୟ ସମାଜ”ରୁ ପୁରସ୍କାର ପ୍ରାପ୍ତ ହୋଇଅଛନ୍ତି ଏବଂ ‘ପ୍ରତିଜ୍ଞା’ ନାମରେ ଖଣ୍ତିଏ ସୁରୁଚିପୂର୍ଣ୍ଣ ‘ପ’ ଅନୁପ୍ରାସ-ମୂଳକ ଆଧୁନିକ କାବ୍ୟ ଲେଖି ତାଙ୍କ ସାହିତ୍ୟିକ ଜ୍ଞାନର ଜ୍ୱଳନ୍ତ ନିଦର୍ଶନ ଆମ୍ଭମାନଙ୍କ ସାହିତ୍ୟ କ୍ଷେତ୍ରରେ ରଖିଅଛନ୍ତି । ତତ୍‍ପ୍ରଣୀତ ଏହି ଅଭିନବ କାବ୍ୟଖଣ୍ଡି ଐତିହାସିକ କଳ୍ପନାର ଗୋଟିଏ ମନୋହର ଚିତ୍ର । ଶବ୍ଦଯୋଜନା ଓ ଭାବବୈଶିଷ୍ଟ୍ୟରେ ଏହାର ଅପୂର୍ବତ୍ୱ ଉତ୍କଳ କାବ୍ୟ ସାହିତ୍ୟରେ ଗୋଟିଏ ବିଶିଷ୍ଟ ସ୍ଥାନ ପାଇବ, ଏଥିରେ ସନ୍ଦେହ ନାହିଁ । ମୋର ଆଶା, ଏପରି ସାହିତ୍ୟସେବୀ ଯୁବକମାନେ ଉତ୍କଳର ବିଦ୍ୟୋତ୍ସାହୀ ବଦାନ୍ୟ ନରପତି ଓ ଧନିକମାନଙ୍କଠାରୁ ସମ୍ୟକ୍‍ ଉତ୍ସାହ ପାଇଲେ ଆମ୍ଭମାନଙ୍କର ଅପୂର୍ଣ୍ଣ ସାହିତ୍ୟ କ୍ରମେ ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେବ ।

 

କଟକ

ଶ୍ରୀ କୁଳମଣି ଦାଶ

ତା ୨୩ /୧୦/୩୫

 

Image

 

ସନ୍ଧାନ

 

ଦାଣ୍ତରେ ଶୁଭିଲା ସବାରୀ ଡାକରା

‘ହୁଁ ମ୍ମେରା ଭାଇରେ ହୁଁ ଉଁ’,

ଯେତେବେଳେ ନିଶା ଘୋର ଗରଜଇ

ଶଙ୍ଖ ରବ ଶୁଭେ ଭୁଁ ଉଁ ।

ଦୁଲୁକିଲା କାନ୍ଥ, ଦୁଲୁକେ କବାଟ,

ଦୁଲୁକଇ ଘର ଦ୍ୱାର;

ବେନି ଶବଦର ଧକ୍କା ବାଜିବାରୁ

କାନ କମ୍ପେ ବାରମ୍ବାର ।

ଗାଢ଼ ନିଦ୍ରାଦେବୀ ଛାଡ଼ି ପଳାଇଲେ

ରହିଲି ଶେଯରେ ପଡ଼ି

ଚମକିବ ବୋଲି ପୁଅକୁ କୁଣ୍ଡାଇ

ଶୁଣି ଶଦ୍ଦ ଘଡ଼ଘଡ଼ି ।

ହାତୀଅନ୍ଧ ବାଟେ ମଶାଲ ଆଲୁଅ

ପଶିଲା ଶୋଇଲା ଘରେ,

ଭାବିଲି, ‘କା ନୂଆ- ବୋହୂ ଯାଉଅଛି

ଏଡ଼େ ବଡ଼ ଆଡ଼ମ୍ବରେ !

କାହାର ଝିଅଟି ଅଧ ରାତିଟାରେ

ଗଲା ଆଜି ଶାଶୁଘର,

କେଉଁପରି ତାକୁ ବାପ ମାଆ ତାର

ଛାଡ଼ିଦେଲେ କରି ପର ।

ଥିଲା ଅମଣିଆ ବାଛୁରୀ ପରାୟେ

ପଘାହୀନେ ବାପଘରେ

ଏବେ ତା କାନ୍ଧରେ ସଂସାର- ଜୁଆଳି

ବନ୍ଧାଯିବ ଦୃଢ଼ତରେ ।

ଜା ଶାଶୁ ନଣନ୍ଦ ପାଶେ ପାଶେ ରହି

ସଳଖାଉ ଥିବେ ଗତି,

ନିଶା ଯୋଗେ ଛାଟେ ଛାଟେ ମାରୁଥିବେ

ମଣ କରିବାକୁ ପତି ।

ସଂସାର-ଭାରାକୁ ବୋହି ବୋହି ତାର

କାନ୍ଧେ ବସିଯିବ ବିଣ୍ଡି,

ମାୟା- ପଘା ଗଳେ ଘଷି ଘଷି ହୋଇ

ଠାଏ ଠାଏ ଯିବ ଛିଣ୍ଡି ।

ମାଇପି ଜନମ- ଠାରୁ ହୀନ ନାହିଁ

ସଂସାରରେ ଆଉ କିଛି,

ପର-ଘରେ ଖାଇ ପାଇଟି କରିବା

ମାଇପି ଜାତିକି ଛି-ଛି ।’

ଏହିପରି କେତେ ନାରୀ ଜାତି ଦୁଃଖ

ମନେ ଭାଳି ନିଦ୍ରା କୋଳେ

ଆଶ୍ରୟ ନେବାରୁ ବିରାମ- ଦାୟିନୀ

ଆଲିଙ୍ଗିଳେ ସ୍ନେହ- ଭୋଳେ ।

ରାତି ନ ପାହୁଣୁ ଦାଣ୍ଡ ଦୁଆରରେ

ଦନେଇ ବିଶ୍ୱାଳ ଡାକି

କହିଲା ‘ରେ ଭାଇ ! କେତେ ଶୋଇଅଛୁ

ବାସି- ଶେଯପରେ ଯାକି ?

ଧଡ଼ପଡ଼ ହୋଇ ଉଠି ମୁଁ ପଡ଼ିଲି

ଦିନ ହୋଇଗଲା ଭାବି,

ମାତ୍ର ସେତେବେଳେ ନ ଥିଲେ ଡାହୁକ,

କୁମ୍ଭାଟୁଆ, କାକ ରାବି !

ଦଣ୍ଡ-ଦୁଆରକୁ ଫିଟାଇ ଦେଖିଲି

ଦନୁଭାଇ ଆସି ଠିଆ

ହୋଇଅଛି ବାର ଜଣ ଭେଣ୍ଡା ସଙ୍ଗେ

ହସ୍ତେ ଧରି ଅଟା ନିଆଁ !

ସର୍ବ ମୁଖେ ଅଗ୍ନି ବିଜେ କରିଛନ୍ତି

ମଧ୍ୟରେ ଅନ୍ତର ବିଡ଼ି,

କାହା ମୁଖ ପାଖୁଁ ଦରପୋଡ଼ା ଅଟା

ପଡ଼ୁଥାଏ ତଳେ ଛିଡ଼ି !

ଅଧୁଆ- ମୁହଁରେ ନନ୍ଦ ବଳଠାରୁ

ଆଣି ଗୋଟେ ଲମ୍ୱ ପିକା

ନିଆଁରେ ଲଗାଇ ମୁହଁରେ ଧରିଣ

କର୍ଣ୍ଣେ ଶୁଣେ ବଚନିକା ।

‘‘ବାଲୁଙ୍କା- ମାଆକୁ ସଙ୍ଗେ ନ ଆଣି ତୁ

ଏକୁଟିଆ ଆସୁ’’ ବୋଲି

ସେ ଭଗିନୀ- ପତି ଦନୁ ଥଟା କଲା

ମୁଖ-କୁମୁଦକୁ ଖୋଲି ।

ରହସ୍ୟ ଉତ୍ତାରେ ଭାଷିଲା ବିଶ୍ୱାଳ

‘‘ଜାଣିଛୁଟିକି ସାମଲ

ସବାରୀ ଡାକରେ ରାତ୍ରେ ନିଦ୍ରାଦେବୀ

ହେଲେ ଯାହା କଲବଲ ?

‘ସୋରିଷ ଫୁଲ ରେ କରିବି ଗେଲ ରେ’

ଆପଟେ କହି ଏ ବାଟେ

ଯିବାବେଳେ ତୋର ନିଦ ଭାଙ୍ଗିଥିବ

ଉଠିଥିବୁ ସେ କୁହାଟେ ।’’

‘‘ହଁ- ଅ, ମୁଁ ଜାଣିଛି’’ ଉତ୍ତରି ସାମଲ

ପଚାରିଲା ‘‘ଗଲା କିଏ

ସବାରୀରେ ବସି ରାତି ଅଧଟାରେ ?

ଭାବିଛି ମୁଁ ବୋହୂଟିଏ ।’’

ଉତ୍ତରିଲା ଦନୁ, ‘‘ଅନୁମାନ ତୋର

ଏ ସ୍ଥଳରେ ନୁହେଁ ସତ

ହେଲା ବିଶ୍ୱନାଥ- ଭଞ୍ଜ-ସୁତା କାଲି

ଯବନର କରଗତ ।

ଗୋପନେ ସୈନିକ ଅଣାଇ ସାରଙ୍ଗ-

ଗଡ଼ ଧ୍ୱଂସି ବଙ୍ଗେଶ୍ୱର

ଭଞ୍ଜ ଗଳା- ହାର ରାଜଜେମା ହରି

ପଳାଇଗଲେ ସତ୍ୱର ।

ସୈନ୍ୟବୃନ୍ଦ ଗଲେ ଉତ୍ତରାଶା ମୁଖେ

ସବାରୀରେ ଜେମା ଭରି

ଥୋକାଏ ବାହକ ଆଣିଲେ ଏ ପଥେ

ହୁଁ ମ୍ମେରା ଶବଦ କରି ।

ସାରଙ୍ଗେଶ ସେନା ଅରିପୃଷ୍ଠେ ଧାଇଁ

ନନ୍ଦିନୀ ଉନ୍ଧାର ଆଶେ

କରୁଛନ୍ତି ରଣ ଅଦମ୍ୟ ସାହସେ

ବିରୂପା ତଟିନୀ ପାଶେ ।

ମାତ୍ର ରାଜଜେମା ଗଲାଣି ଅପର

ପଥେ ପଡ଼ି ଶତ୍ରୁ କରେ

ଏହି ଦୁଃସମ୍ୱାଦ କହିବାକୁ ତୋତେ

ଡାକୁଥିଲି ଖରତରେ ।

ନେଇ ଏ ସନ୍ଦେଶ ବିଶ୍ୱନାଥ ଭଞ୍ଜେ

ଜଣାଇଲେ ଏହିକ୍ଷଣି

ସମର ନ କରି ଉପାୟ ରଚିବେ

ତାରିବାକୁ ଜେମାମଣି ।

ଶୁଣି ସେ ସାମଲ ହୋଇଲା ତାଟକୀ

ବୋଇଲା ‘‘କ୍ରୂର ଯବନ’’

କି କଲା ଏ ରାଜ୍ୟେ ପଶି, ଲୁଟି ସର୍ବ

ହରିଲା କନ୍ୟା-ରତନ ।

ତାର ବା କି ଦୋଷ, ଡାକି ତ ଆଣିଲା

ଜୟଚନ୍ଦ୍ର କୁଳାଙ୍ଗାର

ଘର କଳି ଘରେ ନ ଭାଙ୍ଗି ଅପର

କରେ ଦେଲା ଅଧିକାର ।

ଅନ୍ତର ବିବାଦ ଯୋଗେ ସିନା ଆଜି

ବିଦେଶୀ ମୁସଲମାନ

ଦାସହ- ଶୃଙ୍ଖଳେ ବାନ୍ଧିଲା ହିନ୍ଦୁଙ୍କୁ

ପଦେ ଦଳି ହିନ୍ଦୁସ୍ଥାନ ।

ଯବନ ଜୀବନ ଅନ୍ୟ ଉପାଦାନେ

ଗଠିତ ଯେଣୁ ସକଳ

ଅସମ୍ଭବ କଥା ସମ୍ଭବଇ ତାଙ୍କ

ଜୀବନରେ ଅବିକଳ ।

ଚାରି କାନି ଖୋଷା ବାସ ପରିଧାନ

ଅଟଇ ହିନ୍ଦୁ ବିଧାନ

ଓଲଟାଇ ତାହା ପିନ୍ଧଇ ବିଧର୍ମୀ

ଲୁଙ୍ଗି ପାଇଜାମାମାନ ।

ଆର୍ଯ୍ୟ ଭୁଞ୍ଜେ ଅନ୍ନ ପତର ପେଟରେ,

ଭୁଞ୍ଜଇ ପୃଷ୍ଠେ ଯବନ,

ପ୍ରସ୍ରା କରି ଜଳ ଲୋଡ଼ନ୍ତି ହିନ୍ଦୁଏ,

ମାଟି ସେ କରେ ଗ୍ରହଣ ।

ସେ ଯବନ ଆଜି ଘଟାଇଲା ଆମ୍ଭ

ନୃପ ଭାଗ୍ୟେ ଏ ଦୁର୍ଦ୍ଦଶା

ମାଇଲା ଏ ଦେଶ- ବାସୀଙ୍କି ଚାପଡ଼ା

ଆଘାତେ ବିଚାରି ମଶା ।

ଆଜି ବିଶ୍ୱନାଥ- ସୁତାକୁ ହରିଲା

କାଲିକି ହରିବ ଆନେ,

ଜଳଜଳ କରି ଚାହି ଥିବା ଆମ୍ଭେ

ଶୁଣି ତାଙ୍କ କାନ୍ଦ କାନେ ।

ସରିଲାଣି ଆମ୍ଭ ଧର୍ମକାଳ, ଏବେ

ଅଧର୍ମର ପଦ ତଳେ

ବାଧ୍ୟ ହୋଇ ଶତ ପ୍ରଣାମ କରିବା

ନୋହିଲେ ଧରିବ ବଳେ ।

ହେବ ହୃଦ- ରାଜ୍ୟେ ଅଧର୍ମ ରାଜନ,

ଧର୍ମ-ଦ୍ରୋହୀ ପରିଷଦ

କାମ କ୍ରୋଧ ଆଦି ଘେରି ରହି ସଦା

ଘଟାଉଥିବେ ବିପଦ ।

ରକ୍ଷା ନାହିଁ ଆଉ ଅରକ୍ଷ ହୋଇବା

ଆର୍ଯ୍ୟ ରାଜେଶ୍ୱର ହୀନେ

ହୋଇବେ ରକ୍ଷିତା ଆର୍ଯ୍ୟବାଳାଗଣ

ଯବନ-ଭବନେ ଦିନେ ।”

ନିଶ୍ୱାସ ପକାଇ ବୋଇଲା ଦନାଇ

‘‘ଛାଡ଼ ଭାବୀ ଭୂତ କଥା

ଉପାୟ ରଚନା କର ହରିବାକୁ

ଉପସ୍ଥିତ ଗୁରୁ ବ୍ୟଥା ।"

‘ଚାଲ ଯିବା ବେଗେ’ ଭାଷିଣ ସାମଲ

ପଶି ଗୃହ ଅଭ୍ୟନ୍ତରେ,

ମୁହଁ ଧୋଇ, କାଖେ ଲୁଗା ଖଣ୍ଡେ ଯାକି

ବାହାରିଲା ତରତରେ ।

ବାଡ଼ି ଖଣ୍ଡେ ଦାଣ୍ଡ- ଘରକୁ ଦରାଣ୍ଡି

ଆଣି ଧରି ବାମ ହାତେ

ଡାହାଣ ସାହାଯ୍ୟେ ପିକା ଖଇ, ଧୂଆଁ

ଛାଡ଼ୁଥିଲା ମୃଦୁ ବାତେ ।

ତରତର ହୋଇ ଚଳିଲେ ସକଳେ

ସୁରୂପା ବିରୂପା ତଟେ,

ପ୍ରବେଶିଲେ ଯହିଁ ବିଶ୍ୱନାଥ ଭଞ୍ଜ

ସେନାବାସ ପରକଟେ ।

ଲାଗିଅଛି ତହିଁ ତୁମୁଳ ସଂଗ୍ରାମ

ସ୍ରୋତସ୍ୱିନୀ ବେନି ତୀରେ,

ବନ୍ଧୁକ ଶବଦେ କମ୍ପୁଛି ମେଦିନୀ

ଢାଙ୍କିଛି ଧୂମ ମିହିରେ ।

ଧ୍ୱଜା ଚିହ୍ନି ଦନୁ ସଦଳେ ପ୍ରବେଶ

ହୋଇ ସାରଙ୍ଗେଶ ପାଶେ,

ପ୍ରଣମି ଚରଣ ତଳେ, ଭକ୍ତିଭରେ

ବାଷ୍ପରୁଦ୍ଧ-ସ୍ୱରେ ଭାଷେ ।

‘‘ମଣିମା ! କି ବାର୍ତ୍ତା ଦେଇ ମୁଁ ଛାମୁରେ

ପକାଇବି ଶୋକ-ସ୍ରୋତେ,

ମର୍ମ-ବିଦାରକ ଦୁଃସମ୍ୱାଦ ଶୁଣି

ନ କରିବେ ଦୋଷୀ ମୋତେ ।

ବୃଥା ହେଲା ପ୍ରଭୁ ସକଳ ଉଦ୍ୟମ

ଅରାତି ସଙ୍ଗତେ ରଣ

ଯା ଉଦ୍ଧାର ଲାଗି ଲାଗିଛି ସମର

ନାହିଁ ସେ କନ୍ୟାରତନ ।

ନେଲାଣି ତାହାକୁ ସବାରୀରେ ଭରି

ରାତ୍ରେ ବନପଥେ ଅରି

ନବବଧୂ ଯାତ୍ରା ସନ୍ଦେହ ଜନ୍ମାଇ

ଶଙ୍ଖ ରବେ କାବା କରି ।

ନିଶାଦ୍ଧେ ଶୁଭିଲା ସବାରୀ ଶବଦ

ଧଡ଼ପଡ଼ ହୋଇ ଉଠି,

ଦାଣ୍ଡ- ଦୁଆରକୁ ଦେଖିବାକୁ ଗଲି

ଯାଉଛି କିଏ କେଉଁଠି ।

ଦେଖିଲି ଚମକି ଚନ୍ଦ୍ରାଲୋକ ପରି

ମଶାଲ- ଆଲୋକେ ଦାଣ୍ଡେ

ଗଣି ହେଉଛନ୍ତି ରେଣୁ କଣାଗଣ

ଜନ୍ଦା ପିପୀଲିକା ଚାଣ୍ଡେ ।

ବସ୍ତ୍ର ଉତ୍ତରୀୟ- ପରିହିତ କେତେ-

ଜଣ ହିନ୍ଦୁ ବେଶଧାରୀ

ଆନନ୍ଦ-ଆମୋଦେ ଚାଲିଛନ୍ତି ଖରେ

ମଧ୍ୟରେ ରଖି ସବାରୀ ।

ଉତ୍କଳ-ଭାଷାରେ କଥାବାର୍ତ୍ତା କରି

ମୁଣ୍ତରେ ବାନ୍ଧି ପଗଡ଼ି,

ଜଣାଇ ଦେବାରୁ ଉତ୍କଳୀୟ ବୋଲି

ସେହି ଭାବେ ଗଲି ଜଡ଼ି ।

ନ ପଚାରି କିଛି ନୀରବେ ଦେଖିଲି

ସବାରୀର ସାଜସଜ୍ଜା,

ଖଞ୍ଜା ଅଛି ତହିଁ ରୂପା ଢାଙ୍କୁଣୀରେ

ସୁନା ଜରୀ ମନହଜା ।

ଡେଙ୍ଗା ଡେଙ୍ଗା ଲୋକେ ଠେଙ୍ଗା ଧରି କରେ

ସବାରୀ କରି ବହନ,

ହୁଁ ମ୍ମେରା ଶବଦେ ମେଦିନୀ କମ୍ପାଇ

କରନ୍ତି ଦ୍ରୁତେ ଗମନ ।

ସବାରୀ ମଧ୍ୟରୁ ନାରୀ କ୍ଷୀଣ ସ୍ୱର

କ୍ଷଣେ କ୍ଷଣେ କର୍ଣ୍ଣେ ବାଜି,

ନବ-ବଧୂ-ଯାତ୍ରା- ଲକ୍ଷଣ ଜଣାଇ

ସନ୍ଦେହକୁ ଦେଲା ମାଜି ।

ସ୍ଥିର କଲି ମୁହି, ବଡ଼ ଲୋକ କେହି

ନନ୍ଦିନୀକି ଶାଶୁଘର

ପଠାଉଛି ଦୁଃଖ- ସାଗରେ ଭସାଇ,

ପ୍ରମାଣ କ୍ରନ୍ଦନ ସ୍ୱର ।

ଚାଲିଗଲେ ସର୍ବେ ପୂରୁବ ଅନ୍ଧାର

ମାଡ଼ିଗଲା ଚାରିଆଡ଼,

ନ ଦିଶିଲା କିଛି ଗଛ ଲତା ଆଦି

ଘରଦ୍ୱାର କାନ୍ଥ ବାଡ଼ ।

ସେତିକି ବେଳକୁ ଓଳିତଳେ ଆସି

ଠିଆ ହୋଇ କିଏ ଜଣେ,

‘ଶୁଣ’ ବୋଲି ମତେ ଅଟକାଇ ଧୀରେ

କହିଲା ମୋର ଶ୍ରବଣେ-

ଏହି ଯେ ସବାରୀ ଗଲା ଏହିକ୍ଷଣି,

ତହିଁ ବିଶ୍ୱନାଥ-ସୁତା

ବୁହା ହୋଇ ଗଲା ବଙ୍ଗେଶ ଆଦେଶେ

ସୈନ୍ୟେ ହୋଇ ଅପହୃତା ।’

ବଜ୍ର ପଡ଼ିଗଲା ବୋଲି ମୋ ମୁଣ୍ଡରେ

ମଣିଲି ତା ବାଣୀ ଶୁଣି,

କେଉଁ କ୍ଳେଶ ଅବା       ଲଭୁ ନ ଥିବ ସେ

ସବାରୀ- ରୁଦ୍ଧା ତରୁଣୀ ।

ମୁଣ୍ଡେ ହାତ ମାରି ବସି ମୁଁ ପଡ଼ିଲି

ଦାରୁଣ ବାଣୀ ଶ୍ରବଣେ,

ଜଡ଼ ପାଲଟିଲା ଆପାଦମସ୍ତକ,

ଚେତା ହରାଇଲି କ୍ଷଣେ ।

ଧୈର୍ଯ୍ୟବଳେ ପୁଣି ସଂଜ୍ଞା ଲାଭ କରି

ପରିଚୟ ନେବି ବୋଲି

ନିବିଡ଼ ଅନ୍ଧାରେ ନିରେଖି ଚାହିଁଲି

ବାର୍ତ୍ତାବହେ ଆଖି ଖୋଲି ।

ଦୁର୍ଭାଗ୍ୟ ବଶରୁ ଦୁଃସନ୍ଦେଶ-ବହ

ହୋଇଥିଲା ଅନ୍ତର୍ହିତ;

ନ ଲଭିଣ ତେଣୁ ପରିଚୟ ତାର

ହେଲି ମୁହିଁ ଆଚମ୍ବିତ !

ବାତୁଳଙ୍କ ପରି କେତେ ମୁଁ ଡାକିଲି

ନ ଦେଲେ କେହି ଉତ୍ତର,

ନିରାଶ ହୃଦୟେ ରହି କିଛି କାଳ

ଆସିଲି ଏଣେ ସତ୍ୱର ।

ଜଣାଇଲି ପ୍ରଭୁ ! ଛାମୁରେ ସନ୍ଦେଶ,

ରଚନ୍ତୁ ବେଗେ ଉପାୟ

କ୍ରୂର ଅରି-କରୁ ତାରିବାକୁ ଜେମା

ସାରଙ୍ଗେଶ ନରରାୟ !"

Image

 

ଉଦ୍ଧାର

 

ବ୍ରାହ୍ମୀ-ତୀର-ଘୋର- ନିବିଡ଼-କାନନେ

ମରହଟ୍ଟା ରଘୁବୀର

ରଖିଥିଲେ ଆଣି ଅଗଣିତ ସେନା

ଗୋପନେ ରଚି ଶିବିର ।

କୁଳୀନ ବ୍ରାହ୍ମଣ ବଂଶେ ଜନ୍ମ ଲଭି

ଯବନ ଧ୍ୱଂସ ସାଧନେ

କ୍ଷାତ୍ରଧର୍ମ ପାଳୁ- ଥିଲେ ରଘୁବୀର

ଛାଡ଼ି ଦେଶ ବନ୍ଧୁଜନେ ।

ପାର୍ବତୀୟ ଜାତି ସୈନିକେ ତାଙ୍କର

ଥିଲେ ସଦା ସହଚର,

ସର୍ବବିଧ ଅସ୍ତ୍ର ଶସ୍ତ୍ର ଚାଳନାରେ

ଅଟନ୍ତି ଯେ ଧୁରନ୍ଧର ।

ନିଜେ ଗୁରୁ, ନିଜେ ସେନାପତି ଥାଇ,

ଦୁର୍ଦ୍ଦାନ୍ତ ସୈନିକଗଣେ

ମୁହୂର୍ତ୍ତ ମଧ୍ୟରେ ଏକତ୍ର କରାଇ,

ଅରଣ୍ୟେ ଲୁଚାନ୍ତି କ୍ଷଣେ ।

ନାନା ଦେଶ ଲୁଟି ପର୍ବତ କୋଟରେ

ଭରିଥିଲେ ଯେତେ ଧନ,

ସମ୍ଭ ନୁହେଁ ତାର କୁବେର ଭଣ୍ଡାର,

ସାକ୍ଷାତେ ଲକ୍ଷୀ-ଭବନ ।

କେତେ ଯେ ପର୍ବତ ଥଲା ରତ୍ନ-ଭରା

କଳନା କରିବ କିଏ ?

କେଜାଣି ବା କଳ୍ପି ପାରିଲେ ପାରନ୍ତି

ଏକତ୍ର ସର୍ବ କବିଏ ।

ସପ୍ତ ରତ୍ନ କର ଅଗସ୍ତି ଭୟରେ

ରଘୁବୀର ବାହୁ ତଳେ

ଲୁଚି ରହିଲେ କି ରକ୍ଷାକର୍ତ୍ତା ଭାବି

କ୍ଷାତ୍ରଧର୍ମ୍ମୀ ଭୂମଣ୍ଡଳେ ?

ହୀରକ ଆଲୋକେ ଭୂଧର କନ୍ଦରା

ଦିଶଇ ଦିବସ ପରି,

ଅପର ସପତ ରତନର ତେଜ

ନେଇଥାଏ ନିଜେ ହରି ।

କେତେ ଗୁପ୍ତଚର ଥିଲେ ସେ ଦ୍ୱିଜର

ଗଣନା କରିବ କିଏ ?

ପ୍ରତି ମୁହୂର୍ତ୍ତରେ ଭାରତବର୍ଷର

ରାଜନୀତି ତତ୍ତ୍ୱ ନିଏ ।

କେଉଁଠି କେ ଜାତି ହେଲା ପରାକ୍ରମୀ,

କିଏ କାହିଁ ରାଜଦ୍ରୋହୀ,

ହିନ୍ଦୁ ମନ୍ଦ ବାଞ୍ଚ୍ଥା କରେ କେ, କେ ଅବା

ହିନ୍ଦୁ ରତ୍ନ ନିଏ ବୋହି ।

ବ୍ରହ୍ମକଣ୍ଟକ କେ, ସତୀତ୍ୱ-କଣ୍ଟକ

ରମଣୀର କିଏ କାହିଁ,

ପ୍ରତିକ୍ଷଣେ ରଘୁ- ବୀର ଜାଣୁଥିଲା,

ଅବିଦିତ କିଛି ନାହିଁ ।

ଦିଲ୍ଲୀ ସମ୍ରାଟଙ୍କ ମଙ୍ଗଳାମଙ୍ଗଳ,

ବଙ୍ଗ ନବାବଙ୍କ ଢଙ୍ଗ,

ରାଣା ରାଜସିଂହ- ସମର-କୌଶଳ

ମରହଟ୍ଟା ରଣ-ରଙ୍ଗ ।

ଭରତପୁରରେ ଜାଠ ଅଭ୍ୟୁଦୟ,

ଶିଖ ଜାତି ଯୁଦ୍ଧ ଶିକ୍ଷା,

ଜାଣୁଥିଲା ବୀର ବ୍ରିଟନୀୟେ ଯେଉଁ

ଧରିଥିଲେ ନବ ଦୀକ୍ଷା ।

ଉତ୍କଳ-ସମ୍ରାଟ- ବିରାଟ-ସାମ୍ରାଜ୍ୟ

ଶତ କଟକରେ ବଣ୍ଟା,

ବୀରକୁ ଗୋଚର ଭାଙ୍ଗିଥିଲା କିଏ

ନୀଳାଚଳେଶ୍ୱର ଅଣ୍ଟା ।

ଆତ୍ମରକ୍ଷା ଲାଗି କେତେ ଦୁର୍ଗ କିଏ

ରଚିଥିଲା କେଉଁ ସ୍ଥଳେ

ଉତ୍କଳ- ଗରଭେ, ବୀରକୁ ବିଦିତ,

ସକଳ ବଳ ସେ କଳେ ।

ଥାଉ ଆନ କଥା ଜନମ ମରଣ

ଗଣଇ ସେ ବାରମ୍ବାର

କେଉଁ ରାଜ୍ୟେ କେତେ ପ୍ରତ୍ୟେକ ସପ୍ତାହେ

ଗଣିପାରେ ବୃଷ୍ଟିଧାର !

ବେଗଶାଳୀ ଅଶ୍ୱ ପାଳିଥିଲା ଯେତେ

ସକଳେ କୌଶଳୀ ରଣେ,

ଗତି ବଶେ ଜିଣି- ବାରୁ ବାଜିଗଣ

ବିଜୁଳି ବିଜିତ ମଣେ ।

ରଣତରୀ ଯେତେ ଥିଲା ବ୍ରାହ୍ମଣର,

ସରବେ ବ୍ରାହ୍ମଣୀ ଜଳେ

ବୁଡ଼ି ରହିଥାନ୍ତି, ଆବଶ୍ୟକ ବେଳେ

ଭାସନ୍ତି, ଖେଳନ୍ତି ସ୍ଥଳେ ।

ମହୋଦଧି ଉପ- କୂଳ କ୍ରୀଡ଼ା ସ୍ଥଳ

ବଙ୍ଗ ଆକ୍ରମଣ ପଥ,

ପୂରୁବ-ବାହିନୀ ତଟିନୀ ସକଳେ

ବାହୁଥିଲେ ଜଳ-ରଥ ।

ଧନଭରା ପୋତ ବଙ୍ଗୋପସାଗରେ

ଅବା ସ୍ରୋତସ୍ୱତୀ ବକ୍ଷେ

ଚଳନ୍ତି ଯେତେକ, ରଘୁବୀର ତରୀ

କ୍ଷଣକେ ସରବେ ଭକ୍ଷେ ।

ର୍ବ ଦ୍ରବ୍ୟ ନେଇ ବୀର ପଦ ତଳେ

ଠୁଳ କରି ପୋତପାଳେ

ରାଜ୍ୟ ଜୂର କରି ଯାଆନ୍ତି, କେବେ ବା

ସମୁଦ୍ରେ ଜାହାଜମାଳେ ।

ମୃତ୍ତିକା-ଶଙ୍କର ପୂଜେ ରଘୁବୀର,

ହର-ବରେ ବୀରବର,

‘ବମ୍‍ ହର ହର ଗର୍ଜ୍ଜିଲେ ତ୍ରିବାର

କମ୍ପଇ ସେ ଧରାଧର ।

ତୁରୀ ଧରି ଯେବେ ଡାକଇ ଶଙ୍କରେ

ଧରଣୀ ଥରଇ ଡରେ,

ପ୍ରତିଶଦ୍ଦ-ଛଳେ ନିଜ ସୈନ୍ୟଦଳ

ଡାକଇ ଶିବେ ସେ ସ୍ୱରେ ।

ଶୁଭ୍ର ଧ୍ୱଜାବଳି ତ୍ରିଶୂଳେ ଲାଞ୍ଚ୍ଥିତ

ଅରୁଣ କିରଣ ରଙ୍ଗେ,

ଭସ୍ମ ତ୍ରିପୁଣ୍ତ୍ରକେ ସୈନିକେ ଶୋଭିତ

ବିଭୂତି-ଧୂସର ଅଙ୍ଗେ ।

ମରହଟ୍ଟା ବୀର କଟାକ୍ଷ-ଦର୍ଶନେ

ଶିବ ସମ କ୍ରୋଧାନଳେ

ଜାଳିପାରେ କ୍ଷଣେ ସପତ ବ୍ରହ୍ମାଣ୍ଡ,

ଆପେ ଅଗ୍ନି ପ୍ରାୟ ଜ୍ୱଳେ ।

ନିଜେ ତ୍ରିଲୋଚନ ତୃତୀୟ ନୟନ

ଭକତ କୋପକୁ ଡରି

ବର ଛଳେ ଦେଇ ଥିଲେ ବୋଲି କି ସେ

ପାରେ ସର୍ବ ଭସ୍ମ କରି ।

ଏକେ ଦ୍ୱିଜ, ଦୁଜେ ଶିବଭକ୍ତ, ତହିଁ

ମିଶିଛି କ୍ଷତ୍ରିୟ ଧର୍ମ,

କି ହେତୁ ବା ତାର ତେଜ ନ ବଢ଼ିବ,

ସାଧଇ ତ୍ରିବିଧ କର୍ମ ।

ସର୍ବଜ୍ଞ ପରାୟ ଭୂତ ଉବିଷ୍ୟତ

ବର୍ତ୍ତମାନ ଯାହା ଘଟେ,

କହିପାରେ ବୋଲି ଜଣାଯାଏ ବୀର

ପୂରିଛି ସକଳ ଘଟେ ।

କାହିଁ ସେ ସାରଙ୍ଗ- ଗଡ଼ ଧ୍ୱଂସ ଗାଥା

କାହିଁ ଶଶିକଳା ଚୋରି,

କାହିଁ ବିରୂପାର ରକତ ସଲିଳ,

(କାହିଁ) ବିମୁକ୍ତ-କେଶା କିଶୋରୀ ।

ହଟିଆ ସାମଲ ରାତିଉଠା କଥା,

ଦନେଇ ବିଶ୍ୱାଳ ଡାକ,

ଠିକେ ଠିକେ କହି- ଦେବ ରଘୁବୀର,

ଅଟେ ସେ ସଂସାର-ଡାକ ।

ଦ୍ୱିଜକନ୍ୟା ଉମା ଜେମା ଚୋରି ଦିନୁଁ

ମୁକ୍ତକେଶା ନାମ ବହି,

କିପରି ଭାବରେ ଧରାରେ ବିହରେ

ରଘୁବୀର ପାରେ କହି ।

ଆଜି ତାର ହୃଦ- କନ୍ଦୁକକୁ ଧରି

ଶଶିକଳା କ୍ଷୀଣ ସ୍ୱର

କେତେ ଭାବ-ରଙ୍ଗେ ଖେଳାଉଛି, ତାହା

ବୀରକୁ ସିନା ଗୋଚର ।

ତଥାପି କଳ୍ପନା- ଶିଖରେ ଆରୋହି

ଯାଇ ରଘୁବୀର ପାଶେ

ଯେତେକ ବୃତ୍ତାନ୍ତ ଦେଖି ଆସିଅଛି

ଫୁଟାଇଲି କାବ୍ୟାକାଶେ ।

ଅଟଳ ପ୍ରତିଜ୍ଞା ଆଜି ସେ ଦ୍ୱିଜର

‘ଉଦ୍ଧାରିବ ରାଜଜେମା,

ଶିକ୍ଷା ଦେବ ରଖି ଆପଣା ଭବନେ,

କରାଇବ ବିଶ୍ୱପ୍ରେମା ।

ରୁଦ୍ର ଉପାସନା ସାରି ବିପ୍ରବର

ରଣଭେରୀ କରେ ଧରି

ହର ହର ସ୍ୱରେ ବୀରବୃନ୍ଦ-ହୃଦେ

ବୀରରସ ଦିଏ ଭରି ।

ସେତେବେଳେ ନିଶା ପ୍ରଥମ ପ୍ରହର

ଆଶ୍ରା ନେଇ କାଳ କୋଳେ,

ପଠାଇଛି ସଖା- ଦ୍ୱିତୀୟ-ଯାମକୁ

ସଂସାରକୁ ସ୍ନେହଭୋଳେ ।

କପିଳାସ ଶୃଙ୍ଗ ଉତ୍ତୁଙ୍ଗ ଶିଖରେ

ଆଜ୍ଞା ଦିଏ ବୀରଗଣେ,

ଉଠ ଏହିକ୍ଷଣି ବ୍ରାହ୍ମଣୀ ତଟରେ

ନାରୀ ତାର ପ୍ରାଣପଣେ ।

ଯବନେ ଧରିଣ ନବ-ରମଣୀକି

ଆଣିବା ଏକ୍ଷଣି ସର୍ବେ

ଦେଖିବା କିପରି ସତୀ ହରେ କ୍ରୂର

ଗଡ଼ ଭାଙ୍ଗି ମତ୍ତ ଗର୍ବେ ।"

ସସ୍ତ-ଅର୍ଦ୍ଧ-ଶତ ଅଶ୍ୱାରୂଢ଼ ଯୋଦ୍ଧା

ସଙ୍ଗେ ଧରି ବୀରବର,

ନିଜେ ବାକିପୃଷ୍ଠେ ଚଢ଼ି ଧାଏଁ ଭାବି

ତାରିବାକୁ ରାମାବର ।

ବିଦ୍ୟୁଦ୍ବେଗେ ସର୍ବେ ବ୍ରାହ୍ମୀତୀର ପୂତ

ରଣରକ୍ତେ ଗଢ଼ା ଭୂମେ

ପ୍ରବେଶି ଲୁଚିଲେ ନିବିଡ଼ ଅରଣ୍ୟେ

ଲୁଚାଇ ଶସ୍ତ୍ର ବିଦ୍ରୁମେ ।

ବିଷାଦିନୀ ନିଶା ଝିଲ୍ଲୀ ନିସ୍ୱନରେ

ଡାକି କହେ ଆର୍ତ୍ତତ୍ରାଣେ,

ଦେଲ ଏତେ ଦୁଃଖ ସଖୀ ପ୍ରତି ପ୍ରଭୁ,

ବଞ୍ଚିବ କି ଆଉ ପ୍ରାଣେ ?’’

ଏକାଳେ ଶୁଭିଲା ପତ୍ର ଖଡ଼ ଖଡ଼

ଅଳ୍ପ ଦୂରେ ବାରମ୍ବାର,

ଚମକିଲେ ସର୍ବ ସୈନିକେ ବିପ୍ରର

ଚଳାଇଲେ ଶିର ଠାର ।

ଉଡ଼ିଗଲା ପରି ଯାଇ ଘେରିଗଲେ

ସବାରୀ-ବାହକ ବୀରେ,

ଚକ୍ରେ ଟାଣି ଧରି ବାନ୍ଧିଲେ ଶୃଙ୍ଖଳେ

ଗୁରୁଙ୍କ ଶିକ୍ଷା ବିଧିରେ ।

ଜଣେ ସୁଦ୍ଧା କେହି, ବଞ୍ଚିତ ନ ହେଲେ

କଠୋର ଲୌହ ଶୃଙ୍ଖଳୁଁ,

ବାହକେ ହିଁ ବନ୍ଧା ହେଲେ ବିଧିକ୍ରମେ

ନିଜକୃତ କର୍ମଫଳୁଁ ।

ବାନ୍ଧିଦେଇ ତୁଣ୍ଡୀ ସକଳ ମୁଖରେ

ପକାଇ ଘୋଟକ ପରେ,

ତୁରଗ ସାହାଯ୍ୟେ ସବାରିକି ଧରି

କୋଟରେ ଗମିଲେ ଖରେ ।

କାରାଧ୍ୟକ୍ଷେ ଡାକି ସମର୍ପି ବନ୍ଦୀଙ୍କି,

ସବାରୀ ଫେଡ଼ି ରତନେ

ନେଲେ ରଘୁବୀର ନିଜ ଭବନକୁ

ଦେବୀ ମଣି ସଯତନେ ।

କିଏ ଭାବିଥିଲା ଯବନ ଅଦୃଷ୍ଟେ

ଘଟିବ ଏ ହଟହଟା,

ହୋଇବ ଉଦିତ ପୁଣି ଭାଗ୍ୟାକାଶେ

କି ରହସ୍ୟ ଘନଘଟା !

Image

 

ବିଷାଦ

 

ବିଶ୍ୱନାଥ ଭଞ୍ଜ ହୃଦୟେ ପୂରିଛି

ଅଦ୍ଭୁତ ସାହସ ଆଜି,

ଉଠାଇବ ବୋଲି ଯବନ ରାଜତ୍ୱ

ରଣେ ଥାଟ ଅଛି ସାଜି ।

ନାଶିବ ଅରାତି, ବସିବ ବଙ୍ଗଳା

ରାଜସିଂହାସନ ପରେ

ଉଦ୍ଧାରିବ ନିଜ କନ୍ୟାକୁ ରାଜନ,

ରତ ବେନି ସାଧନରେ ।

ମୂଳ ଉତ୍ପାଟନ କରିବ ଯବନ-

ରାଜତ୍ୱର ବୋଲି ବୀର

ବର୍ଷିଲେ ନିଜର ଥାଟ ହୃଦୟରେ

କ୍ଷତ୍ରିୟ- ଉଚିତ ଗୀର-

ଆର୍ଯ୍ୟରକ୍ତ ଯେବେ ବହେ ଧମନୀରେ

ଆର୍ଯ୍ୟରକ୍ତେ ଯେବେ ଜାତ,

ପର-ପଦ-ଦଳା- ସୈନ୍ୟ-ଗଣ, କର

ମୋ ବାଣୀରେ କର୍ଣ୍ଣପାତ ।

କ୍ଷତ୍ରିୟ ଔରସେ ଜନ୍ମିଛ ହେ ଯେବେ

ଅଟଳ ପ୍ରତିଜ୍ଞା ଶିରେ

ଆରୋହଣ କରି, କରବାଳ-କରେ

କାଳ ସମ ନାଶ ବୀରେ ।

ଣେ ପୃଷ୍ଠଭଙ୍ଗ ଦେଇ ହେ କ୍ଷତ୍ରିୟେ

କିପରି ବହିଛ ପ୍ରାଣ,

ରଣବଳି ବିନା କ୍ଷତ୍ରିୟ ସନ୍ତାନ

ପାଏ କି ହେ ପରିତ୍ରାଣ ?

ପର ହାତେ ଦେଇ ନିଜ ରମଣୀକି

ବହିଛ ଆଜି ଜୀବନ,

କାନ୍ଦୁ ନ ଥିବେ କି ଦେଖି ଅପଯଶ

ପୂର୍ବ ବୀର ପ୍ରେତଗଣ ?

ଗଙ୍ଗା ଗୋଦାବରୀ ଜିଣିଥିଲା ଯେଉଁ

ବୀର ବଳେ ଗଜପତି,

ସେହି ବଂଶେ ଜନ୍ମି ଆଜି ହେ କ୍ଷତ୍ରିୟେ

ଶତ୍ରୁ କରେ ଦେଲ ସତୀ !

ଦଶ ଅଶ୍ୱମେଧ- ଯଜ୍ଞ ସାଧେ ଯେଉଁ

ଯୋଦ୍ଧା ବଳେ ଅଧୀଶ୍ୱର,

ସେହି ବଂଶେ ଜନ୍ମି କିପରି ହେ ଯୋଧେ

ଯୁଦ୍ଧକୁ ଦେଖିଲେ ଡର ?

ଫେରିଯାଇ ଅବା ପତ୍ନୀ ପଣତରେ

ଲୁଚି ରହିଥାନ୍ତ ବୀରେ,

ତା ତ ଅସମ୍ଭବ, ପତ୍ନୀ ଶତ୍ରପୁର

ଭସାଉଛି ନେତ୍ରନୀରେ ।

ନ ଦେବ କି ଗଲେ କ୍ଷତ୍ରିୟ ରମଣୀ

ଗୋଇଠା ପ୍ରହାର ଘରେ

ଖଟାଇଛ ବୋଲି ଆର୍ଯ୍ୟବାଳାଗଣେ

ବିଧର୍ମ୍ମୀ ନୃପ-ପୟରେ ।

ନ ମରି ରହିଛ ଶୁଣିବାକୁ ନାରୀ-

ମର୍ମନ୍ତୁଦ ତିରସ୍କାର,

ହେବ କି ହେ ବୀରେ ଭାଷି ମୃଦୁଭାଷା

ନାରୀ କ୍ରୋଧାନଳୁଁ ପାର ?

ରଖିଲ ଅକୀର୍ତ୍ତି ଯାବତ ଚନ୍ଦ୍ରାର୍କେ

ଦେଇ ରଣେ ପୃଷ୍ଠଭଙ୍ଗ,

ହିନ୍ଦୁ- ରମଣୀର ହୃଦୟେ କରାଇ

ଯବନର କର-ରଙ୍ଗ ।"

ଅଧର କମ୍ପନ ହୁଏ ବୀରଙ୍କର

ଶୁଣି ନୃପ କଟୁବାଣୀ,

ଭାବନ୍ତି କି ହେତୁ ନ ହାଣିଲା ନିଜ

ମସ୍ତକକୁ ନିଜ ପାଣି !

କ୍ରୋଧାନଳେ ଜ୍ୱଳି ବଚନ ଗାଳନ୍ତି

କାଳରୂପୀ ବିଶ୍ୱନାଥ,

ଡରି ରହିଥାନ୍ତେ ସେ ରୂପ ଦେଖିଲେ

ଆପେ ପ୍ରଭୁ ବିଶ୍ୱନାଥ ।

ବିଷଦିଗ୍ଧ ବାଣୀ- ବାଣ ପ୍ରହାରନ୍ତି

ସୈନ୍ୟଗଣଙ୍କର ହୃଦେ

ଧୂମକେତୁ-କରେ ସମର୍ପିଲେ ବୋଲି

ହିନ୍ଦୁ-ରମଣୀ-କୁମୁଦେ ।

ଅଭିମାନ ଯେବେ ବହିଛ ହେ ବୀରେ

ସମର-ଅନଳେ ପଶ,

ଜଳ ଅବା ଜାଳ, ଦେଖାଅ ଏକ୍ଷଣି

ଅଭୂତପୂର୍ବ ସାହସ ।

ନିଜ ରକ୍ତେ ଅବା ଶତ୍ରୁରକ୍ତେ ଆଜି

ରଣଚଣ୍ଡୀ ପୂଜି ବୀରେ,

ନିଜ ଶିର ଅବା ଅରାତି-ମସ୍ତକ

ଗଡ଼ାଅ ବିରୂପା-ତୀରେ ।

ପୋଷି ଶତ୍ରୁ ଧ୍ୱଂସ ଭରସା ହେ ଯୋଧେ

ଆୟୁଧ ଉତ୍ତୋଳି ହରା

ଯୁଦ୍ଧା କର, ଅରି- ମୁଣ୍ଡେ ରଣଚଣ୍ଡୀ-

ସର୍ବ ଅଙ୍ଗ ହେଉ ଭରା ।"

କୃପାଣ ହସ୍ତରେ ଧାଇଁଲେ ଯୋଦ୍ଧାଏ

‘ଜୟ ବିଶ୍ୱନାଥ’ ରବେ,

ଜିଣିବେ କି ସତେ ସପତ ବ୍ରହ୍ମାଣ୍ତ

ମୁହୂର୍ତ୍ତ ମଧ୍ୟେ ଆହବେ ।

ଅଦମ୍ୟ ସାହସେ ଗମିଲେ ସକଳେ

ରୁଣ୍ଡ ହେଲେ ରଣାଙ୍ଗନେ,

ରେରେ- କାର କରି ଗର୍ଜ୍ଜିଲେ ଭୀଷଣ

ଡାକିଲେ କିବା ଯବନେ !

‘ଜୟୀ ହେଲେ’ ଭାବି ଫେରି ଯାଉଥିଲେ

ବଙ୍ଗେଶ୍ୱର ସେନାପତି,

ସମର ଇଚ୍ଛିଲେ ଦେଖି ଓଡ଼୍ରେଶ୍ୱର

ରଣ ଇଚ୍ଛା ବଳବତୀ ।

ବିରାଟ ବାହିନୀ ଚଳାଇଲେ ପୁଣି

ଉତ୍କଳୀୟ ନାଶ ଆଶେ,

ମିଳିଲେ ସାରଙ୍ଗ ନରେଶ୍ୱରଙ୍କର

ମୁଷ୍ଟିମେୟ ସୈନ୍ୟ ପାଶେ ।

ଲାଗିଲା ତୁମୁଳ ସଂଗ୍ରାମ ସେ ଦିନ

ଦିନ ଅବସାନ ଯାଏ,

ବହିଲା ଧରଣୀ ସର୍ବ ଅଙ୍ଗେ ଶବ

ନ ରହିଲା ଶୂନ୍ୟ ଠାଏ ।

ଅଦମ୍ୟ ସାହସେ ଯୁଝି ଉତ୍କଳୀୟେ

ହାଣନ୍ତି ଯେତେ ମସ୍ତକ,

ଗଡ଼ି ଗଡ଼ି ଯାଇ ପଡ଼ନ୍ତେ ବିରୂପା

ନଦୀ ଦିଏ ଶେଷୋଦକ ।

ମୃଗଯୂଥେ ଯଥା ବେପଥନ ଜାତ

ପଶୁରାଜ ଆକ୍ରମଣେ,

ତଥା ବିଶ୍ୱନାଥେ ନିଜ ଥାଟେ ଦେଖି

ଶତ୍ରୁ ସେନା ସିଂହ ମଣେ ।

ସମର-କ୍ଷେତ୍ରରେ ସାରଙ୍ଗେଶ-ବାଜ

ଆତଙ୍କ ଜନ୍ମାଇ କ୍ଷଣେ

ପାରା-ଦଳେ ପଶି କାଳ-ପାରାବାରେ

ପକାଏ ଯବନଗଣେ ।

ବିଶ୍ୱନାଥ-ସୁତ ସପ୍ତଦଶ ବର୍ଷେ

କରଇ ଆଜି ଯେ ରଣ,

ମନେ ପଡ଼େ କୁରୁ- ସମର-ସାଗରେ

ଅଭିମନ୍ୟୁ ଦୃଢ଼-ପଣ ।

ଖେଳି ଖେଳି ଯାଏ ଅଶ୍ୱପୃଷ୍ଠେ ପୁତ୍ତ୍ର,

ତରବାରି ବେନି କରେ,

କାଟଇ ସେ ଯେତେ ଯବନ ମସ୍ତକ

ଅସମର୍ଥ ଗଣନରେ ।

ଭୁପନାଥ ଆଜି ଝାଳ ପୋଛିବାକୁ

ପାଏ ନାହିଁ ଅବସର,

ଅବିଶ୍ରାନ୍ତ ଶତ୍ରୁ- ଶିର କାଟେ ସୁତ

ବୁଲାଇ ଖଡ଼ଗ-ବର ।

ଆଚମ୍ବିତ ହୁଏ ବଙ୍ଗେଶ୍ୱର ସେନା

ଦେଖି ଅଦ୍ୱିତୀୟ ରଣ,

ପଦ୍ମବନେ ଯଥା ନିର୍ଭୟେ ଭ୍ରମଇ

ଏକାକୀ ମତ୍ତ-ବାରଣ ।

ଅଗଣିତ ସୈନ୍ୟ କାଟଇ ନନ୍ଦନ

ତଥାପି ତା ଚଉକତି

ପୂରିଥାନ୍ତି ଅରି ପତଙ୍ଗେ ଯେସନ

ପାବକ ପାଶେ ଉଡ଼ନ୍ତି l

ସରନ୍ତି ଶତ୍ରୁ ସୈନିକ ପାଶରୁ

ସମରେ ସୁତ ଅଶକ୍ତ,

ତଥାପି ପ୍ରଫୁଲ୍ଲ ବଦନେ ଯୁଝଇ

ଧନ୍ୟ ତା ରଣ ଅବ୍ୟକ୍ତ ।

ଅଭେଦ୍ୟ କବଚେ ଖଚିତ ବିସ୍ତୃତ

ବର୍ତ୍ତୁଳ ଘୂର୍ଣ୍ଣାୟମାନ

ଦୃଢ଼ ଢାଲ ଚତୁ- ଷ୍ଟୟେ ବାଜି ଭ୍ରଷ୍ଟ

ଅରି ଶ୍ରେଷ୍ଠ ଅସ୍ତ୍ରମାନ ।

କାର୍ମୁକ ଆକୃତି ଶର-ମେଢ଼ ଏକ

ସୁତ ସ୍କନ୍ଧେ ପାଏ ଶୋଭା,

ଝଟକନ୍ତି ଯହିଁ ପରଶୁ କଟାରି,

ଉଡ଼େ ଧ୍ୱଜା ମନଲୋଭା ।

ଆପାଦ-ମସ୍ତକ ପୂରି ରହିଥାଏ

ତା ଶରୀରେ ତୀକ୍ଷ୍ଣଛୁରୀ,

ଦଶ ଅଙ୍ଗୁଳିରେ ଝଟକନ୍ତି ଦଶ

ହୀରକଖଞ୍ଜା ଅଙ୍ଗୁରୀ ।

ବିସ୍ମୟ-ସାଗରେ ମଜ୍ଜିଲେ ଯବନେ

ସୁତ ନାଗା ବେଶ ଦେଖି,

ଭାବିଲେ ‘ଏ ରୂପ ଦେବେ ଅଗୋଚର

କଳ୍ପନା ନ ଥିବ ଲେଖି ।’

ନର୍ତ୍ତିତ-କିରୀଟ କାର୍ତ୍ତିକେୟ ସମ

ନିରତ ରତ ସମରେ,

ଦେଖି ବିପକ୍ଷର ଆଖି ବୁଜିଗଲା

ପ୍ରଶଂସିଲେ ହୃଦୟରେ ।

ଯୁଝିଲେ କି ହେବ ବିରାଟ ଥାଟରୁ

ବାହୁଡ଼ିବ ଏକୁଟିଆ

କିଏ ବା ବିଶ୍ୱାସ କରିବ, ଯେ କଥା

ଶୁଣିଲେ କମ୍ପଇ ହିଆ ।

ସ୍ୟନ୍ଦନର ପଦ ଛିନ୍ନ ହେବା ଦେଖି

କ୍ଷତ୍ରିୟ-କୁଳ-ଭାସ୍କର

ଲମ୍ଫଦେଲା ତ୍ୱରା ଶତ୍ରୁ-ସ୍ରୋତେ, ଭାବି

ପୂରିଲା କାଳ ମୋହର ।

ତଥାପି ସାହସ ଅବଲମ୍ବି ସେହୁ

ଅରି-ମୁଣ୍ଡ ଗଣ୍ଡା ଗଣ୍ଡା

ଗଡ଼ାଇ ଦିଅଇ କାଟି ଖଡ଼ଗରେ

ଶୁଶ୍ରୂଯୁକ୍ତ ଲଣ୍ଡା ଲଣ୍ଡା ।

ଯେତେକ ବିକ୍ରମ ଦେଖାଇଲା ସବୁ

ଅକାଳେ ହେଲା ବିଫଳ

ଦେଖି, ଚିନ୍ତେ ପୁତ୍ତ୍ର       ‘‘ଦେବି ! କାଳି ! ତବ

କର-ପଦ୍ମେ ସିନା ଫଳ ।

ଧମନୀରେ ରକ୍ତ ପ୍ରବାହିତ ଯେତେ-

ବେଳଯାଏ ହେଉଥିବ,

ମୋ କର୍ତ୍ତବ୍ୟ ମୁହିଁ ସାଧିବି ଭବାନୀ !

ଯାଉ ଅବା ରହୁ ଜୀବ ।

ମାତ୍ର ତବ କରେ ସମର୍ପିଲି ମୋର

ସ୍ନେହମୟୀ ଶଶିକଳା,

ନ କହେ ଯେପରି ଇତିହାସ ଦିନେ

କ୍ଷତ୍ରିୟ ଯବନ ଶଳା ।

ରସନା ସ୍ପନ୍ଦନ ଦିଅଇ ପ୍ରମାଣ

କାଳୀ ନାମ ଉଚ୍ଚାରଇ,

ନ ଦେଖିବ ବୋଲି ଜୀବନ୍ତ ଯବନ

କୃପାଣରେ ପ୍ରହାରଇ ।

ଚରଣରେ ଚଳି ରଣରେ କୁମର

ମାରଣରେ ହେଉ ବ୍ରତୀ,

ଅତି କୋପି ଶସ୍ତ୍ର ପ୍ରହାରିଲେ ସର୍ବେ

ଏକାବେଳେ ସୁତ ପ୍ରତି ।

ମୁଷଳ ଧାରାରେ ବାରି-ବୃଷ୍ଟି ପରି

ପଡ଼ନ୍ତେ ଆୟୁଧରାଜି

ଚିରକାଳ ପାଇଁ ଭୂପନାଥ ଧୈର୍ଯ୍ୟ

ଗଲା ଏକାବେଳେ ଭାଜି ।

ଜମା ହୋଇଗଲା ପର୍ବତ ଆକାରେ

ପୁତ୍ତ୍ର ପରେ ଶସ୍ତ୍ରସବୁ,

ଲୁଚିଲା ତା ମଧ୍ୟେ ଶରୀର ତାହାର

ଉଦ୍ଧରିଲା ଜୀବ ଭବୁଁ ।

ଜୟ ରବ ହେଲା ଅରାତି ପକ୍ଷରୁ

ସେହିକାଳେ ଘୋରତର,

ଦୂରେ ରଣରତ ବିଶ୍ୱନାଥଙ୍କର

କର୍ଣ୍ଣକୁ ହେଲା ଗୋଚର ।

ପୁତ୍ତ୍ରର ନିଧନ ଜାଣିଲେ ରାଜନ

ସମ୍ବରିଲେ ଜୟ ଆଶା,

ସଙ୍ଗେ ସଙ୍ଗେ ମଧ୍ୟ ସମ୍ବରିଲା ଦୀର୍ଘ

ପ୍ରଶ୍ୱାସ ତାଙ୍କର ନାସା ।

ନିଜ ପ୍ରାଣ ମଧ୍ୟ କାଳ ନିକଟକୁ

ଯିବାକୁ ନ ଥିଲା ଡେରି,

ମାରୁଥିଲେ ମିଶି କେତେ ଯେ ଯବନ

ତାଙ୍କ ଚାରିପାଶେ ଘେରି ।

ଭାବିଲେ ନୃମଣି ହେବ ଏହିକ୍ଷଣି

ଯବନ-କରେ ମରଣ,

ଏଥୁ ଶ୍ରେୟ ନିଜ ହସ୍ତରେ କରିବା

ମୃତ୍ୟୁକୁ ଆଗୁଁ ବରଣ ।

ଏହା ଭାବି ଏକ ଛୁରିକା ଆଘାତେ

ବିଦ୍ଧ କଲେ ନିଜ ହୃଦ,

କଲେ ଜୟ ରବ ଅତି ଆନନ୍ଦରେ

ବିପକ୍ଷୀୟ ସୈନ୍ୟବୃନ୍ଦ ।

Image

 

ସଂକଳ୍ପ

 

ଦିନକର ପ୍ରାତେ ସ୍ନାନ ସାରି ଦ୍ୱିଜ

ଶିବ ମନ୍ଦିରରୁ ଫେରି

ସୈନ୍ୟ ଠୁଳ ଲାଗି କରେ ଧରି ଧୀରେ

ବଜାଇଲା ରଣଭେରୀ ।

ଜମା ହେଲେ ଅଶ୍ୱେ ଚଢ଼ି ବୀରଗଣ

ଧର-ଘେରିତ ପ୍ରାନ୍ତରେ,

ରଣ- ମଦେ ତାଙ୍କ ଶରୀର କମ୍ପଇ

ପ୍ରକମ୍ପିତ ଅଶ୍ୱବରେ ।

ରାଜନନ୍ଦିନୀକି ରତ୍ନ-ସିଂହାସନେ

ବସାଇବ ରଘୁବୀର,

କେଡ଼େ ଉଚ୍ଚ ଆଶା ମନାସି ମାନସେ

ପୋଛିବ ତା ନେତ୍ରନୀର ।

ଏଥି ଲାଗି ତାର ପୁଲକେ ପୂରିତ

ସର୍ବ ଅଙ୍ଗ ରଙ୍ଗଢ଼ଙ୍ଗେ,

ନିଜେ ଏକ ଅଶ୍ୱେ ବସି ସୁନ୍ଦରୀକି

ବସାଏ ଅନ୍ୟ ତୁରଙ୍ଗେ ।

କ୍ଷତ୍ରିୟ ରମଣୀ ଶଶିକଳା ଆଜି

ସାଜି ଦିବ୍ୟ ନାରୀ ବେଶ

କରିବ ଅଟଳ- ପଣ ଗୁରୁବାକ୍ୟେ

ଭିଣିବାକୁ ଅରି-କେଶ ।

ଯବନ ରାଜତ୍ୱ ଉଠାଇବ ହିନ୍ଦୁ-

ସ୍ଥାନରୁ ବୋଲି ସୁନ୍ଦରୀ

କରବାଳ-କରେ ବ୍ରତ-ତୁରଗରେ

ବସିଅଛି ବୀର ପରି ।

ରତ୍ନ-ସିଂହାସନ ଦେଖାଇ ବ୍ରାହ୍ମଣ

ଜେମାକୁ କହେ ସମ୍ବୋଧି,

“ଦେଖ ଦେବୀ ! ଏହି ବେଦୀ ବଦୁ ଦିନୁଁ

ଆରୋହୀକି ଅଛି ରୋଧି ।

ଶୂନ୍ୟ ଅଛି ତାହା ସୃଜନ ସମୟୁଁ

ସୁଯୋଗ୍ୟ ପାତ୍ର ଅଭାବେ,

କର ଅଳଙ୍କୃତ ତୁମ୍ଭେ ଏବେ ତାକୁ

କ୍ଷତ୍ରିୟୋଚିତ ସ୍ୱଭାବେ ।

ଉତ୍କଳର ଭିନ୍ନ ଭିନ୍ନ ଅଙ୍ଗେ ପୂରି

ରହିଛି ଯେତେ ସମ୍ପଦ,

ଲୁକ୍କାୟିତ ପୁଣି ଯେତେ ସୈନ୍ୟ ଯହିଁ

ସେବିବେ ତୁମ୍ଭରି ପଦ ।

ନିଜେ ତ ବିପଦ ଭୋଗି ଲଭିଅଛ

ଜୀବନରେ ମହାଶିକ୍ଷା,

ଉତୁରିଛ ପୁଣି ଦୁଃଖ-ପରୀକ୍ଷାରୁ

ଘେନିବାକୁ ନବ ଦୀକ୍ଷା ।

ମୁଁ ଅବା କି ଶିକ୍ଷା ଦେବି କନ୍ୟାମଣି !

ଆଶୀର୍ବାଦ ଦିଏ ତୋତେ,

ଅରାତି ବିନାଶ କର ସଙ୍ଗେ ଧରି

ଧର୍ମ-ପିତା ରୂପେ ମୋତେ ।’

ମରହଟ୍ଟା ରାଜ୍ୟେ ଜନମ ମୋହର

ମରହଟ୍ଟୀ ଦ୍ୱିଜ ମୁହିଁ

ଦଶ ବର୍ଷ ଦିନୁଁ ଆସିଲି ଏଣିକି

ନ ପଚାରି କାହାକୁହିଁ ।

ଜନକ ଜନନୀ ସ୍ନେହ ମୁଁ ଛାଡ଼ିଲି,

‘ଯବନର ଅତ୍ୟାଚାର

ଆର୍ଯ୍ୟବାଳା ପ୍ରତି’ ଗୁରୁ ମୁଖେ ଶୁଣି

ବହିଲି ଦୁଃସହ ଭାର ।

ନ ରହିଲା ଚିତ୍ତ ମାତା କୋଳେ ମୋର,

ପିତା-ସ୍ନେହ-ଆଲିଙ୍ଗନେ,

ଲଭୁଥିଲି ଯେତେ ଏକାକୀ ଆଦର

ତେଜିଲି କି ଭାବି ମନେ ।

ଚାହାଳୀରୁ ଲୁଚି ଆସିଲି ସଙ୍ଗରେ

ଚାଟଶାଳୀ-ସଙ୍ଗୀ ଧରି

କେତେ ଦିନେ କେତେ ଦେଶ, କେତେ ନଦୀ

ଗିରି ଅତିକ୍ରମ କରି ।

ଦିବସେ କୋଟରେ, ରାତ୍ରେ ଚୌର୍ଯ୍ୟ-ବୃତ୍ତି

ଥିଲା ଆମ୍ଭ ବ୍ୟବସାୟ,

ଚିର-ସହଚର ପାହାଡ଼-ଖୋଲରେ

ଜମାଉଁ ସଞ୍ଚିତ ଆୟ ।

ଅଦ୍ଭୁତ ଶକତି ଅଛି ମୋ ବାଣୀର

ସମାନସ୍କନ୍ଧ-ସକଳେ

ତେଜି ନ ପାରନ୍ତି ସାହଚର୍ସ୍ୟ-ସୁଖ

ମିଳନ୍ତି ଦଳକୁ ଦଳେ ।

ଅଦ୍ୟାବଧି ସୁଦ୍ଧା ଅଛି ସେ ଶକତି,

କରଇ ତାର କର୍ତ୍ତବ୍ୟ,

ସଗର୍ବେ କହୁଛି ଥିବ ଆଜୀବନ

ନ ଫିଟାଇ ଭବିତବ୍ୟ ।

ଧନବୃଦ୍ଧି ସଙ୍ଗେ ବଢ଼ିଗଲା ଦଳ,

ବଢ଼ିଲା କ୍ରମେ ସାହସ,

ପ୍ରତିଦିନ କରି ସମର ସାଧନ

ହୃଦୟ ସଦା ସରସ ।

ବୟସ ବର୍ଦ୍ଧନ ସଙ୍ଗେ ସଙ୍ଗେ ଯେତେ

ଅର୍ଜିଲୁଁ ବଳ ବିଭବ,

ଲଗାଇଲୁଁ ସେହି ଚୌର୍ଯ୍ୟ ବ୍ୟବସାୟେ

ମଣିଲୁଁ ତାକୁ ଗୌରବ ।

ସେ ବୃତ୍ତିରୁ ନୋହୁଁ ଅଦ୍ୟାପି ବଞ୍ଚିତ

ନ ହୋଇବୁ ଆଜୀବନ,

ଧରିଥିବୁଁ ସର୍ବେ ସେହି ଦୃଢ଼-ବ୍ରତ

ବିଚାରି ସ୍ୱରଗ ଧନ ।

ପ୍ରତିଜ୍ଞା କରିଛୁଁ ଧରମ ରକ୍ଷଣେ

ଢାଳିଦେବୁଁ ଧନ ପ୍ରାଣ

ଆଜୀବନ-କୃତ- ପାପ-ପାରାବାରୁ

ଲଭିବାକୁ ପରିତ୍ରାଣ ।

ମିଳିଛି ସୁଯୋଗ ତୁମ୍ଭ ଲାଭେ ଏବେ

କରି ସେ ପଣ ପାଳନ

ତୁମ୍ଭରି ଶ୍ରୀକରେ କଳୁଷରାଶିର

କରାଇବୁଁ ପ୍ରକ୍ଷାଳନ ।

ପୂରିଲା ପୋଷିତ ବାସନା ଆମ୍ଭର

ସମର୍ପିଲୁଁ ତବ କରେ

ସରବ ସମ୍ପଦ ଜୀବନ ସହିତ

ବସ ସିଂହାସନ ପରେ ।

ରଣ-ବାହିନୀର ହୃଦ-ବେଦୀ ପରେ

ବସ ଦେବି ! ଆଜିଠାରୁ

‘ଭବାନୀ’ ନାମରେ, ମିଳିଅଛ ଯେଣୁ

ଭବାନୀଶ କରୁଣାରୁ ।

ଗ୍ରହଣ କର ଏ ବୀର ତୁରୀ ଏହି

ସୁସଜ୍ଜିତ ସେନା ସଙ୍ଗେ,

ମିଳନ୍ତି ଯେ ଏକ ତୁରୀ ନିସ୍ୱନରେ

ଲୁଚନ୍ତି ନେତ୍ର ଭ୍ରୂଭଙ୍ଗେ ।”

ଭାଷିଲା ଭବାନୀ ଧର୍ମ-ପିତୃ-ବାକ୍ୟେ

ଲଭି ଅଦଭୁତ ଶକ୍ତି

ଜନକେ ସମ୍ବୋଧି, “ପାଳିଲି ଆଦେଶ

ରହୁ ତବ ପଦେ ଭକ୍ତି ।

ଅଶ୍ୱୁ ଅବତରି ସ୍ୱର୍ଣ୍ଣ ସିଂହାସନେ

ଅନୁପମା ବାଳାମଣି

ବସନ୍ତେ ଅବ୍ୟକ୍ତ ଶୋଭା ବିକାଶିଲା,

ରସନା ନ ପାରେ ଭଣି ।

ପ୍ରେମ-ରସ ପୁଣି ବୀର-ରସ ମିଶି

ବାମା- ରୂପେ ମୂର୍ତ୍ତି ମତୀ,

ଦେଖି ନ ଥିଲା ଯା ଅଦ୍ୟାପି ପାତାଳ

ଧରିତ୍ରୀ, ଅମରାବତୀ ।

ହେଲେହେଁ ରୂପସୀ ରୂପାସ୍ତ୍ରର ଅସ୍ତ୍ର,

ତା ଜ୍ୟୋତିକି ଡରି କାମ

ଦୂରେ ଲୁଚି ରହେ, ସାଧି ନ ପାରଇ

ନିଜର କର୍ତ୍ତବ୍ୟ କାମ ।

ଗାମ୍ଭୀର୍ଯ୍ୟ ରାଜତ୍ୱ ବଦନ-ମଣ୍ଡଳେ,

ଯୁବକ-ନୟନ-ଚୋର

ପଶି ନ ପାରଇ ଦୃଷ୍ଟି-ବାଣେ ଲଭି

ଅସହ୍ୟ ଯନ୍ତ୍ରଣା ଘୋର ।

କମ୍ପନକୁ ଡରି ବଧୁଲି-ଅଧରେ

ନ ଚୁମ୍ବେ ହୃଦୟ-ଅଳି,

ଭାବଇ କି ନିଜ ଧୃଷ୍ଟତା ଦର୍ଶନେ

ଥରେ ସେ ରାଗରେ ଜଳି ?

କପାଳେ ଲୋଳିତ ଅଳକାର-ମଣି

ଝଳି ଚମକାଏ ଚିତ୍ତ,

କୁନ୍ତଳ-ଶୈବାଳ- ଲୋଭୀ ମନ-ମୀନ

ରୌଦ୍ର ଭ୍ରମେ କିବା ଭୀତ ?

ଉଚ୍ଚ-ଘଞ୍ଚ-କୁଚ- ହର ଡରେ ସ୍ମର

ଲୁଚିବାରୁ ମୁଖଚୀରୀ

କାମୁକର ମୁଖ- ଗରଭେ ଅଚଳ,

ନ କରେ ତାର ଚାକିରୀ ।

ନ ଲୋଡ଼ି ରସନା ଲେହନ ବିଧାନ

କାବା ହୋଇଯାଏ ଶୁଖି,

ଫଣି-ମଣି ସମ ପଦକ ଦେଖାଇ

ଡରାଏ କିବା ସୁମୁଖୀ ?

ଡମରୁ-ମଧ୍ୟାର କ୍ଷୀଣ କଟି ଦେଖି

ପାପିଷ୍ଟ ମୀନକେତନ

ଡରି ଲୁଚେ ଭାବି ଶିବ-ବାଦ୍ୟ, ଯହୁଁ

ସ୍ଫୁରଇ ମେଖଳା ସ୍ୱନ ।

ନିଜେ କାମ ଯହିଁ କମ୍ପିତ-ହୃଦୟ

ତହିଁ ଅବା କାମୀ କେତେ ?

ହସ୍ତ-ପ୍ରସାରଣ- କାମନା କରିବ

ବିଧି-କ୍ରମେ ଯେତେ ଯେତେ !

ଦ୍ମ-ଚରଣାର ଊର୍ଦ୍ଧ୍ୱ-ଅଙ୍ଗେ ଡରି

ଚରଣେ ଯୁବା-ମାନସ

ଆଶ୍ରା ନିଏ, ଭାବି ଭବାନୀ ପଦରେ

ଥିବ ମକରନ୍ଦ ରସ ।

ଲାବଣ୍ୟଛଳରେ ପଦ-କମଳରୁ

ସ୍ରବଇ ଅମୃତଧାରା,

ନ ହେବ କି ହେତୁ କାମି-ଜନ-ଚିତ୍ତ-

ମଧୁକର-ଚିରକାର ?

ଶୋଭା ଦେଖି ସର୍ବେ ତାଟକା ହୋଇଲେ

ମାତ୍ର ଶେଷେ ରମ୍ୟ-ପଦେ

ଦୃଷ୍ଟି ଦେଲେ, ଭାବି ଅଭୟ-କମଳ

ଆଶ୍ରୟ ଦେବ ଆନନ୍ଦେ ।

ଜୟ ଜୟ ରବ ହେଲା ସେ ଦଳରୁ

‘ଜୟ ମା ଭବାନୀ ! ଜୟ’

ଜୟ ତ୍ରିଲୋଚନ- ଅଙ୍କ-ବିହାରିଣି !

ସକଳେ ଦିଅ ଆଶ୍ରୟ ।

Image

 

ବିସ୍ମୟ

 

ସାରଙ୍ଗ-ବିଜୟୀ ବଙ୍ଗ-ସେନାପତି

ସୈନ୍ୟ ସଙ୍ଗେ ଜୟ ରବେ

ପ୍ରବେଶିଲା ଯାଇ ବଙ୍ଗେଶ ନିକଟେ

ଉତ୍ଫୁଲ୍ଲ- ଅଙ୍ଗେ ଗରବେ ।

ନ ଲାଗେ ଚରଣ ଧରାତଳେ ତାର

ଊର୍ଦ୍ଧ୍ୱକୁ ଉଠାଏ ଗର୍ବ,

କ୍ଷାତ୍ରଧର୍ମ୍ମୀ ପାଶେ ଥାଏ କି ବିନତ-

କରାଇବା ଗୁଣ ସର୍ବ ?

ନିଜେ ବସୁନ୍ଧରା ଶଙ୍କିଲେ ବୋଲି କି

ନ ପଡ଼ିଲା ପାଦ ତଳେ ?

ଅବା ଉପରକୁ ଟେକିଲେ ବୀରତ୍ୱ,

ସାହସ ଗୁଣାଦି ବଳେ ?

ବିଧିମତେ ନମି ନବାବ ଛାମୁରେ

କରଯୋଡ଼େ ସେନାପତି

ସଦର୍ପେ ଭାଷିଲେ, “ସମ୍ଭୋଗ କରନ୍ତୁ

ଚିତ୍ତଚୋରା ରୂପବତୀ ।

ପାଇଛନ୍ତି ଯେଉଁ ତ୍ରିଦିବ-ଦୁର୍ଲ୍ଲଭା

ସୁନ୍ଦରୀ ରମଣୀମଣି,

ନିର୍ଭୟେ ଭୋଗିବେ ନିଷ୍କଣ୍ଟକ ଭାବି

କେତକୀ-ସ୍ୱର୍ଣ୍ଣ-ବରଣୀ ।

ସଂବାଦ ନେବାକୁ ନାହିଁ କେହି ତାର

କୁଟୁମ୍ବ ମଧ୍ୟରେ ଜଣେ,

ପ୍ରମାଦ ପତନେ ପ୍ରାଣ ବିସର୍ଜିଲେ

ସେନାପତି-କରେ ରଣେ ।”

ଶୁଣିଥିଲେ ବଙ୍ଗ- ନବାବ ପୂର୍ବରୁ

ସମରର ସମାଚାର,

ଗଡ଼ ଧ୍ୱଂସ ପରେ କନ୍ୟା ପ୍ରାପ୍ତି କଥା.

ଆହବ ଦ୍ୱିତୀୟ ବାର ।

ଚାହିଁ ବସିଥିଲେ ଚାତକ ପରାୟେ

ଅଜାଡ଼ିବ ଶାନ୍ତି-ବାରି

ସେନାପତି ଆସି ସମର୍ପି ସୁନ୍ଦରୀ

ଚିର-ତୃଷା ଦେବ ମାରି ।

ମାତ୍ର ସେ ଦୁରନ୍ତ ଆସିଛି ଏକାକୀ

ସଙ୍ଗେ ନାହିଁ କନ୍ୟା-ରତ୍ନ,

କହୁଅଛି ପୁଣି “ପାଇଛନ୍ତି ମଣି,

ପଠାଇଛି କରି ଯତ୍ନ ।"

ଅସମ୍ଭବ କଥା ଭାଷଇ କିପରି

ଯୁବତୀକୁ ରଖି ଘରେ

ନିଜ ଭୋଗ ଲାଗି ବିଶ୍ୱାସ-ଘାତକ,

କି ଭାବି ମୋତେ ନ ଡରେ ?

ଡରୁ ବା ନ ଡରୁ ଅଗ୍ରେ ଏହାକୁ ମୁଁ

ବନ୍ଦୀ କରି ବନ୍ଦି-ଶାଳେ,

ପରେ ଇଚ୍ଛା ହେଲେ ଶୁଣିବି କାକୁତି,

ନ ମାନଇ ନରପାଳେ ।

ଏସନ ବିଚାରି ଅଙ୍ଗରକ୍ଷକକୁ

ଆଦେଶିଲେ ବଙ୍ଗପାଳ-

ବନ୍ଦୀ କର ବେଗେ ବିଶ୍ୱାସଘାତକେ,

ଫାଟିଛି ତାର କପାଳ ।

ରମଣୀକୁ ରଖି ନିଜ ନିକେତନେ

ଅସତ୍ୟ ଭାଷଇ ଦୁଷ୍ଟ,

ଶୃଙ୍ଖଳେ ଆବଦ୍ଧ ନ ହେବା ପର୍ଯ୍ୟନ୍ତ

ନୁହେ ମୁଁ କେବେହେଁ ତୁଷ୍ଟ ।”

ଆଦେଶ ପାଳନେ ଶେକ୍‍ ସୁଲତାନ

ତିଳାର୍ଦ୍ଧେ ନୋହି ଶଙ୍କିତ

ଶୁଙ୍ଖଳେ ବାନ୍ଧିଲା ସେନାଧିନାୟକେ

ବିଚାରି କର୍ତ୍ତବ୍ୟୋଚିତ ।

ବନ୍ଦୀ ସୈନ୍ୟଚାଳ ଧୀରସ୍ଥିରଭାବେ

ଧୈର୍ଯ୍ୟ ଧରି ହୃଦେ କହେ,

ପରମ ବିଶ୍ୱାସୀ ସେନାପତି ଆଜି

ବେଡ଼ି କ୍ଳେଶାଘାତ ସହେ ।

ଆଜନ୍ମ ଯେ ବୀର ନୃପ-ହିତ-ଅର୍ଥେ

ସମର-ଅନଳେ ଝାସେ,

ଅକୁଣ୍ଠିତେ ପ୍ରାଣ- ବଳି ଦେଇପାରେ

ଯେ ଜନ ଭୂପ ସକାଶେ,

ଯେଉଁ ସେନାପତି ନବାବ ନିମିତ୍ତ

ସ୍ୱାର୍ଥ ନ ଚିହ୍ନଇ ଦିନେ,

ଭାବଇ ଯେ ନିଜ ଶରୀର ରାଜସ୍ୱ,

ସେ ଆଜି ଶୃଙ୍ଖଳ ଘିନେ ।

ଆଦେଶ-ଲଙ୍ଘନ ଦୂରେ ଥାଉ, ଯେହୁ

ଭାବି ସୁଦ୍ଧା ନାହିଁ ମନେ,

ସେ ଆଜି କିପରି ଅବାଧ୍ୟ ହୋଇଲା

ନ କହି ଦିନେ ବଚନେ ?

କେଉଁ ଦୋଷେ ଆଜି ଚିର-ବାଧ୍ୟ-ଜନ

ପ୍ରଭୁ ପାଶେ ଘୃଣାପାତ୍ର,

କି ଲାଗି ଭୋଗଇ ଏ ଦୁର୍ଦ୍ଦଣ୍ଡ, ଯାର

ତ୍ରୁଟି ନାହିଁ ଲବ ମାତ୍ର ?

ସଯତନେ ନାରୀ- ରତନେ ପଠାଇ

ସମର୍ପି ରାଜନ-କରେ

ନୃପ ଅଭିଳାପୂରାଇଲା ଯେହୁ,

କିପାଁ ସେ ଶାଙ୍କୁଳି ଭରେ ?

କି ହେତୁ ରାଜନ ! ଦଣ୍ଡିଲେ ନିର୍ଦ୍ଦୋଷେ

ନ ଜାଣିବା ଯାଏ କେବେ

ନିଃସ୍ୱ ସେନାପତି ସ୍ଥିର ନୁହେଁ ପ୍ରଭୁ

ସୁବିଚାରେ ଦଣ୍ଡ ଦେବେ ।”

ଶୁଣୁଥିଲେ ସବୁ ବଙ୍ଗ-ଅଧିପତି

ସମ୍ୱୋଧନ ପଦ ସଙ୍ଗେ

ବିଚାର କରିବା ଶବ୍ଦାବଳି ଶୁଣି

କ୍ରୋଧାଗ୍ନି ବହିଲେ ଅଙ୍ଗେ ।

ଭାଷିଲେ ରାଜନ “ବୃଥା ଅହଙ୍କାରୀ

ଦୁରାତ୍ମା କପଟାଚାରି !

ଘରେ ରଖି ରାମା ନିଜ ଭୋଗ ପାଇଁ,

ମିଥ୍ୟା କହି ହେବୁ ପାରି

ଛାଡ଼ ସେ ବାସନା, ପିନ୍ଧି ଥାଅ ବେଡ଼ି

ବାଳା-ବାହୁ-ପାଶ-ଛଳେ,

ସନ୍ତୁଷ୍ଟ ନୁହେଁ ମୁଁ ନ ଲଭିବା ଯାଏ

ଆଣିଛ ଯାହାକୁ ବଳେ ।

କାହିଁ ରଖିଅଛ କହ ଏହିକ୍ଷଣି,

ଅଣାଇବି ସେହି ସ୍ଥାନୁଁ

ତତ୍ପରେ ତୁମ୍ଭର ବଚନ ଶୁଣିବି,

ଜାଳଇ କ୍ରୋଧ-କୃଶାନୁ ।”

କେଉଁ ସ୍ଥାନ ତବ ଅଟେ ଅବିଦିତ ?

କରନ୍ତୁ ଅନୁସନ୍ଧାନ,

ଦୁରେ ଥାଉ ବାଳା, ନ ମିଳିବ କେବେ

ରମଣୀ ଅଣୁ ସନ୍ଧାନ ।

ପଠାଇଛି ମୁହିଁ ତବ ମନ୍ଦିରକୁ

ମିଥ୍ୟା ନାହିଁ ଏଥି ଲେଶ,

ପାଇଥିବେ ଧ୍ରୁବ ବିଶ୍ୱାସ ମୋହର,

ନ ସହିବି ବୃଥା କ୍ଳେଶ ।

ଅକାରଣେ ମୋତେ ଦଣ୍ଡିଲେ ରାଜନ,

କେଉଁ ଦୁରଅଭିସନ୍ଧି

ହୃଦୟରେ ପୋଷି ନିରପରାଧକୁ

କରାଇଲେ କିପାଁ ବନ୍ଦୀ ?

ଆଶ୍ଚର୍ଯ୍ୟର କଥା ବଙ୍ଗେଶ୍ୱର ଆଜି

ନ ମାନଇ କୃତଜ୍ଞତା,

ସମର୍ପିଲା ଯେହୁ ଭୋଗ୍ୟ ବସ୍ତୁ ତାହା

ନିକଟେ କରେ ଶଠତା ।’’

ଏତିକି କହିଛି ସାରଙ୍ଗ-ବିଜୟୀ

“ବନ୍ଦ କର” ବାକ୍ୟ ଭାଷି,

ତିରସ୍କାର କଲେ ବଙ୍ଗେଶ୍ୱର “ତୋତେ

ଡାକିଲାଣି କାଳ ଆସି ।

ଅବାଧ୍ୟତା କେତେ ଦେଖାଇ ରେ ଦୁଷ୍ଟ

ଅସତ୍ୟଭାଷୀ ପାମର,

ସତ୍ୟେ ରକ୍ଷା ସିନା ଅସତ୍ୟେ କି କେହି

ପାତ୍ର ହୁଏ ସନ୍ତୋଷର ?

ସତ୍ୟେ ଭାଷ ନତୁ ଏକ୍ଷଣି କରିବି

ଏହି ଖଡ଼୍ଗେ ଶିରଚ୍ଛେଦ,

ଦେଖିବ ଏକ୍ଷଣି ସତ୍ୟ ଅସତ୍ୟର

କିପରି ଅଛି ପ୍ରଭେଦ ।

ବିଶ୍ୱାସ ନ ହୁଏ ବଚନେ ରେ ତୋର

କୁଟିଳ-ପ୍ରକୃତି ଅଟୁ,

ସାହସିକ ବୋଲି ବୃଥା ବାକ୍ୟବ୍ୟୟେ

ବଙ୍ଗେଶ୍ୱରକୁ ତୁ ବଟୁ ।

ଛାଡ଼ ସେ ବାସନା ଜୀବନରେ ଯେବେ

ଆଶା ଅଛି ସେନାପତି,

ସତ୍ୟ ଭାଷି ବେଗେ ମାଗ କ୍ଷମା ଭିକ୍ଷା,

ବିବେଚକ ବଙ୍ଗପତି ।”

ନୃପ ବାଣୀ ଯେଣୁ ଅସହ୍ୟ ହୋଇଲା

କ୍ରୋଧୋନ୍ମତ୍ତ ସୈନ୍ୟଚାଳ

ପ୍ରାମାଣିକ କଥା ଭାଷିଲେ “ଡକାନ୍ତୁ

ବାହକଙ୍କୁ ନରପାଳ ।

ଅର୍ଦ୍ଧଶତ ସୈନ୍ୟ ସବାରୀ ଆଣିଲେ

ନାମ ତାଙ୍କ ଅଛି ଲେଖା,

ଦଣ୍ଡିବା ପୂର୍ବରୁ କରାଇ ଦେବେ କି

ସେମାନଙ୍କ ସଙ୍ଗେ ଦେଖା ?

ଅଗ୍ରଣୀ ତାଙ୍କର ଅଟେ ଯେ ନୁରଖାଁ

ଡକାନ୍ତୁ ପ୍ରଥମେ ତାକୁ

ତତ୍ପରେ ଅପର ସଙ୍ଗେ ଦେଖା ହେବ

କହିବି ଆଣିବେ ଯାକୁ ।”

ଶୁଣିବା ମାତ୍ରକେ ସାକ୍ଷ୍ୟ ନେବା କଥା

ଦାସେ ଆଦେଶିଲେ ନୃପ,

ଡାକ ଏହିକ୍ଷଣି ନୁରଖାଁ କିଏ ସେ

କିପରି ତାହାର ରୂପ ।’

ଆଜ୍ଞାବହ ବେଗେ ଶିବିରକୁ ଯାଇ

ଶିବିର-ରକ୍ଷକେ ପୁଚ୍ଛି,

ବୁଝି ତା ସମ୍ୱାଦ ଫେରିଆସି କହେ

“ନୁରଖାଁ ରଣେ ଯୁଝୁଛି ।

ଫେରି ନାହିଁ ସେହି ସାରଙ୍ଗ ସମରୁ

ଗମନାନୁକୂଳ ଦିନୁ,

ତା ଶିବିରେ କେହି ସୈନିକ ନାହାନ୍ତି

ଶିବିର-ରକ୍ଷକ ବିନୁ ।”

କ୍ରମେ ଏହିପରି ବୁଝିଗଲେ ନୃପ

‘ସବାରୀ-ବାହକ-ଗଣ

ବାହୁଡ଼ି ନାହାନ୍ତି ଯେମାନଙ୍କ ନାମ

ବନ୍ଦୀ କହେ ଜଣୁ ଜଣ ।’

ବିସ୍ମୟ ସାଗରେ ବୁଡ଼ିଲେ ବେନିଏ

ଶୁଣ ଏହି ଦୁଃସମ୍ୱାଦ,

ମାତ୍ର ନରପତି ଅବିଶ୍ୱାସ-ନାବେ

ଆରୋହି, ଭାବେ ‘ପ୍ରମାଦ’ ।

ହୋଇପାରେ ସତ୍ୟ ସବାରୀ-ବାହକେ

ଆସିଥିବେ ରଣ-ସ୍ଥଳୁଁ,

ମାତ୍ର ସେନାପତି କୂଟ ନୀତି ଯୋଗ

କରିଥିବ କାହା ବଳୁଁ ।

ନିଶ୍ଚେ ଷଡ଼ଯନ୍ତ୍ର କରିଛି ପାପିଷ୍ଠ

ଅଯୋଧ୍ୟା-ନବାବ ଅବା

ଦିଲ୍ଲୀ ଅଧୀଶ୍ୱରେ ଜେମା ସମର୍ପଣ

ପୋଷି ଆଶା ଭବିତବ୍ୟା ।

ବଙ୍ଗେଶ ହେବାକୁ କରିଥିବ ଇଚ୍ଛା

ବଡ଼-ବାହୁବଳ-ବଳେ

ଜିଣି ମୋତେ ଦୁଷ୍ଟ, ନ ଛାଡ଼ିବି କେବେ

ପଡ଼ିଛି ମୋର କବଳେ l

ବନ୍ଦୀ ହୋଇ ଜଣା ଯିବା ଯାଏ

ସତ୍ୟାସତ୍ୟ ରହସ୍ୟର,

ସତ୍ୟ ଏହିକ୍ଷଣି ବୁଝିବି, ନୋହିବି

ବଶ କେବେ ଆଳସ୍ୟର ।

‘ଆଳସ୍ୟରେ ହୁଏ କାର୍ଯ୍ୟ ନଷ୍ଟ’,ଏହା

ମହତ ଜନଙ୍କ ଉକ୍ତି,

କରି ତାକୁ ତ୍ୟାଗ ଏହିକ୍ଷଣି ବୁଝି

ପାଇବି ସନ୍ଦେହୁ ମୁକ୍ତି ।”

ଏପରି ବିଚାରି ସୈନ୍ୟ ମଣ୍ଡଳକୁ

ପଚାରିଲେ ବଙ୍ଗେଶ୍ୱର,

ଜାଣ କି ହେ କେହି ସତ୍ୟ ସମାଚାର

ସାରଙ୍ଗ-କନ୍ୟା ଖବର ?’

ଉତ୍ତରିଲେ ସର୍ବେ ଏକସ୍ୱରେ “ପ୍ରଭୁ

ନିର୍ଦ୍ଦୋଷ ସେନା-ନାୟକ,

ସର୍ବ ପରାମର୍ଶ- ମତେ ପଠାଇଲେ

ରମଣୀ ଚିତ୍ତ-ହାରକ ।

ରଚାଯାଇଥିଲା ଛଦ୍ମ ବେଶ ସେହି

ସବାରୀ ବାହକଙ୍କର,

ହିନ୍ଦୁ ନବବଧୂ ଯେଉଁ ଆଡ଼ମ୍ୱର

ଗମଇ ଶ୍ୱଶୁର ଘର ।

ଗମନର ପଥ ଅଙ୍କାଯାଇଥିଲା

କାଗଜରେ ସର୍ବମତେ,

ଯେଉଁ ମାନଚିତ୍ର ଧରି ପାର ହେବେ

ପରବତୁ ପାରବତେ ।

ପତ୍ର ଯାହା ଲେଖା ହୋଇଥିଲା ଛାମୁ

ନିକଟକୁ ବଙ୍ଗେଶ୍ୱର,

ସର୍ବ ସମ୍ମୁଖରେ ପଢ଼ାଯାଇଥିଲା

ହେବାକୁ ସର୍ବ ଗୋଚର ।

ଏହି ସବୁ କଥା ହୋଇପାରେ ତବ

ଅଯୋଗ୍ୟ ପ୍ରମାଣ ପକ୍ଷେ,

ମାତ୍ର ଯାତ୍ରୀଙ୍କର ନିର୍ବାଚନ ପତ୍ର-

ପାଠାନ୍ତେ ସର୍ବ ସମକ୍ଷେ ।

କରିପାରିଥାନ୍ତି ସନ୍ଦେହ ଶ୍ରୀଛାମୁ,

ସେନାପତି ସ୍ଥାନାନ୍ତରେ

ପଠାଇଅଛନ୍ତି ନବ ରମଣୀକୁ

ବାହକମାନଙ୍କ କରେ ।

ଏହା ଅଟେ ପ୍ରଭୁ ପୂର୍ଣ୍ଣ ଅସମ୍ଭବ,

ବାହକ ବାଛିବା ଭାର

ସର୍ବ-ହସ୍ତେ ଥାଇ କଲେ ବା କିପରି

ସୈନ୍ୟେଶ କପଟାଚାର ?

ପରାମର୍ଶ ସଙ୍ଗେ ସଙ୍ଗେ ପଠାଗଲା

ଜେମା ସର୍ବ ଜ୍ଞାତସାରେ,

ସଙ୍ଗେ ସଙ୍ଗେ ମଧ୍ୟ ପଳାଇ ଆସନ୍ତେ

ଯୁଦ୍ଧ କଲୁଁ ବିରୂପାରେ ।

ସବାରୀର ପଥ ହେଲା ଏକ ଦିଗ,

ଅନ୍ୟ ଦିଗ ଆମ୍ଭ ପଥ,

ଏଥି ନାହିଁ ମିଥ୍ୟା କରାୟୁଧ ସ୍ପର୍ଶି

କରୁଛୁଁ ସର୍ବେ ଶପଥ ।”

ନିର୍ମଳ ଦିଶିଲା ହୃଦୟ-ଆକାଶ

ବିଶ୍ୱାସଯୋଗ୍ୟ ପ୍ରମାଣେ,

ନରପତିଙ୍କର ସନ୍ଦେହ-ଅନ୍ଧାର

କାହିଁ ଗଲା ସେହି ଜାଣେ ।

ବିଚାରିଲେ ନୃପ ‘ହରିଛି କେ କନ୍ୟା

ସବାରୀ-ବାହକେ ମାରି,

ନୋହିଲେ କି କେବେ ନ ଆସନ୍ତା ସେହି

କପଟ-ବେଶୀ ସବାରୀ ?

ଖୋଜାଇବା ଅଟେ ପ୍ରଧାନ କର୍ତ୍ତବ୍ୟ

ସେହି ସେନାପତିଦ୍ୱାରା,

ଆଣିଦେବ ନିଶ୍ଚେ ତିନି ମାସ ମଧ୍ୟେ

ହେବ ଯେ ମୋ ଭାବୀ ଦାରା ।’

ଏପରି ବିଚାରି ବନ୍ଧନୁ ଫିଟାଇ

ସୈନ୍ୟାଧ୍ୟକ୍ଷେ ଅଧୀଶ୍ୱର

ଆଦେଶିଲେ, ‘ତୁମ୍ଭେ ମୁକ୍ତ ହେଲ ସତ୍ୟ,

ଭାର ନିଅ ଗୁରୁତର ।

ଦେଲି ତ୍ରୟୋଦଶ ସପ୍ତାହ ସମୟ

ଯାଇ କର ଅନ୍ୱେଷଣ

ଆଣି ଦିଅ ବାଳା- ରଚନ ନୋହିଲେ

ବରିବ ନିଶ୍ଚେ ମରଣ ।

Image

 

ଆଶଙ୍କା

 

ବିଜନ ବିପିନେ ଶାଳତରୁ ମୂଳେ

ପ୍ରସ୍ତର ଉପରେ ବସି,

ପାଗଳିନୀ ପରି କିସ କହି ହୁଏ

ନାରୀ ତ୍ରିଦଶ-ବୟସୀ ।

ମଳିନ ବସନ- ପରିହିତା ବାଳା

ଜ୍ୟୋତି ଦିଶେ ବସ୍ତ୍ର ଭେଦି,

ଅନଳ ଢାଙ୍କିବା ଅସମ୍ଭବ ପରି

ଦିଅଇ ବସନ ଖେଦି ।

ମୁଖ-କମଳିନୀ ଫୁଟିବା ମାତ୍ରକେ

ବିପଦ-ଅନ୍ଧାର ମାଡ଼ି

ଯିବା ପରେ ପର- ପ୍ରଭାତକୁ ସ୍ପଷ୍ଟ

ଲାବଣ୍ୟ ଯାଇଛି ଛାଡ଼ି ।

ମୁକ୍ତ କେଶ ଲମ୍ୱି ଝୁଲୁଛି ମୁଖର

ଏପାଖ ସେପାଖ ହୋଇ,

ଚନ୍ଦ୍ରାସ୍ତ ବେଳେ କି ଲମ୍ବ କଳା ମେଘ

ଚନ୍ଦ୍ର ପାଶେ ଅଛି ଶୋଇ ?

ବିଶାଳ ଲୋଚନ ଗଣବଣା ଏଣୀ-

ନୟନ ପରି ଝଲସି

ଜଣାଇ ଦେଉଛି ହରାଇ ସଙ୍ଗିନୀ

ପାଶେ ପାରି ନାହିଁ ପଶି ।

କମଳା-କଳିକା- ବକ୍ଷାଙ୍କୁରେ ବାଳା-

ବସନ କିଞ୍ଚିତ ଉଠି

ପ୍ରକାଶେ, ମଦନ ଉଚ୍ଚାଟନମନ୍ତ୍ର-

ସଂପୁଟ ଅଛି ଯେଉଁଠି ।

ଛନ୍ଦା ପଦାଙ୍ଗୁଳି ଧରି ପଞ୍ଚଶର

ଫନ୍ଦା ବାନ୍ଧିଅଛି ମନେ,

ଏକାବେଳେ ବେନି- ବିଧ ପଞ୍ଚବାଣ

ବିନ୍ଧିବ ବୋଲି ଯତନେ ।

ଚାପସରୀ ମାଳେ ଶୋଭେ ବାଳା ଗଳେ

ବିରାଜେ କଙ୍କଣ କରେ,

ବିବାହିତା ହେତୁ ରଖିଛି କି ତାକୁ ?

ସମ୍ଭବ ହୁଏ ମନରେ ।

ବାଲ୍ୟବିବାହିତା କନ୍ୟା ତେବେ ତାର

ଜଣାଯାଏ ଦେଖି କାନ୍ତି,

କ୍ଷତ୍ରିୟ କୁଳରେ ପ୍ରସୂତା ନୁହେ ସେ

ଅଟଇ ବ୍ରାହ୍ମଣୀ ଜାତି ।

ମହୀରୁହ ମୂଳେ ଆଉଜି କିଶୋରୀ

ଦେଖଇ ପ୍ରକୃତ-ଚିତ୍ର,

ମାୟାଜାଲଘେରା ସଂସାରର ରୀତି

ଦେଖାଏ ବନ ଚରିତ୍ର ।

ତରୁବରେ ଛନ୍ଦି ଅଟକାଇଛନ୍ତି

ଲଟିଏ ତାହାର ବୃଦ୍ଧି,

ସଂସାର ଜଞ୍ଜାଳ ଢାଙ୍କିଲେ ଯେସନ

ଧୈର୍ଯ୍ୟରାଶି ହୁଏ ରୁନ୍ଧି ।

ସ୍ଥାନେ ସ୍ଥାନେ ତରୁ- ଅଙ୍ଗରୁ ଲତିକା

ଖସି ପଡ଼ି ଲୋଟେ ତଳେ,

ଜଗତେ ଯେପରି ବନ୍ଧୁହୀନ ଜନ

ଗଡ଼ଇ କାନ୍ଦି ବିକଳେ ।

ଗୋଟିଏ ପ୍ରସୂନ ଫଳେ ପରିଣତ

ହେବା ପରେ ଆନ ଫୁଟି

ଶୋଭଇ, ଯେସନ       ସଂସାରରୁ ଆଶା

ପାରେ ନାହିଁ କେବେ ତୁଟି ।

ନିଛାଟିଆ ଲାଗୁ- ଅଛି ସେ ଅରଣ୍ୟ

ଶୁଭୁଛି ବିହଙ୍ଗ ସ୍ୱର,

ସଂସାରେ ମାନବ ଭୀତ ହେଲେ ବାଣୀ

ଶୁଭଇ କି ସାହସର ?

ଖେଳ ଖେଳି ଉଡ଼ି ଯାଏ ଶୁଷ୍କ- ପତ୍ର,

ବୃକ୍ଷେ ନବ ପତ୍ର ବନ୍ଦୀ,

ନ ମରିବା ଯାଏ ଜଗତେ ଯେସନ

ମାନବ ହୁଅଇ ଛନ୍ଦି ।

ଉଡ଼ିଯାଏ କୋଷ ଛାଡ଼ି ପ୍ରଜାପତି

କରି ତାକୁ ହତଶିରୀ,

ଜୀବନ ଉଡ଼ିଲେ ଭବେ ଶବ ଯଥା

ପଡ଼ଇ ହରାଇ ଶିରୀ ।

ଫଳହୀନ ଦ୍ରୁମେ ଟେକିଛନ୍ତି ଶିର

ତିଳେ ନୋହି ଅବନତ,

ଗର୍ବିତ ମାନବ ଉର୍ଦ୍ଧ୍ୱମୁଖା ବୋଲି

ବିଦିତ ଯଥା ସତତ ।

କୃତଘ୍ନ ପକ୍ଷୀଏ ଆକର୍ମ୍ମଣ୍ୟ ଭାବି

ଛାଡ଼ିଛନ୍ତି ଶୁଷ୍କ-ତରୁ,

ବୁଢ଼ା-ହଡ଼ା ଛାଡ଼ି ଦିଅନ୍ତି ଯେପରି

ପାପିଷ୍ଠ ମାନବେ ଘରୁ ।

ଫଳ-ପୁଷ୍ପେ ତୋଷୁ- ଥିବାରୁ ସେ ଦ୍ରୁମ

ଥିଲା ଆଶ୍ରୟର ସ୍ଥଳ,

ଏବେ ବିତାଡ଼ିତ ହେଲା, ଯଥା ବଳି-

ମଣ୍ଡଳରୁ ହୀନବଳ

ବାସି ପୁଷ୍ପ ତେଜି ଯାଏ ମଧୁକର

ସରସ-କୁସୁମେ ବସେ,

ରସିକ ଯେପରି ପ୍ରଥମା ବରଜି

ନବ-ରମଣୀରେ ରସେ ।

ମହୁଫେଣା ଲମ୍ୱି ପଡ଼ିଛି ଡାଳରୁ,

ଭୁଞ୍ଜେ ନାହିଁ ମଧୁମକ୍ଷୀ,

କୃପଣ ଯେପରି ଉପବାସେ ବହୁ-

ସମ୍ପଦ ପାରଇ ରଖି ।

କେତେ ଦିବ୍ୟ ଶୋଭା ଧରିଛି ବିପିନ,

ନ ଦେଖେ କିଶୋରୀ କିଛି,

ଅକାଳ-ଚଡ଼ମାଡ଼ ଲଭି ହୃଦେ

ଭୀଷଣ ତାପ ବହିଛି ।

ବନ୍ଦୀ ହୋଇଛନ୍ତି ସକଳ ଇନ୍ଦ୍ରିୟ

ସେହି କ୍ଳେଶାଘାତ ସ୍ଥଳେ,

ନିଜ କାର୍ଯ୍ୟ ତେଜି କ୍ଷତ ସ୍ଥାନ ସେବା

କରୁଥାନ୍ତି ଅବିରଳେ ।

ଘୂର୍ଣ୍ଣିତ ମସ୍ତକ ସ୍ଥିର ନୋହେ କ୍ଷଣେ,

ନାନା ମୁଖେ ମୁଖ ତାର,

ସ୍ମରଣ କରଇ ପୂରୁବ-ବେଦନା

ମନ ମଧ୍ୟେ ବାରମ୍ୱାର ।

ଭାବଇ ନବୀନା, “କାହିଁ ଗଲା ସେହି

କପଟବେଶୀ ସବାରୀ,

କେତେ ବା ସମୟ ଡେରି ହେଲା ମୋର

ବ୍ରାହ୍ମଣୀ ହେବାକୁ ପାରି ?

ତଥାପି ପବନ- ବେଗରେ ଆସିଲି

କାହିଁ ଲୁଚିଯିବ ବୋଲି,

ସତକୁ ସତ ସେ ଲୁଚିଗଲା କେଣେ,

ଫଳଇ ସନ୍ଦେହ-ବୋଲି ।

ସନ୍ଦେହ-ବଚନ ସିଦ୍ଧ ହୁଏ ନର

ବିପଦ ପଡ଼ିବା ବେଳେ,

ଭାବିଥିବ ଯେବେ ଆପଦ ଭୋଗିବି,

ବିଧାତା ମାରଇ ଟେଳେ ।

ସେହି ଦଶା ଏବେ ଘଟିଲା ଜୀବନେ,

ଭୋଗିଲା ଦାରୁଣ କ୍ଳେଶ,

କେତେ ଖୋଜି ଖୋଜି ନ ପାଇଲି ତାର

ଅଶୁଭ-ଶୁଭ-ସନ୍ଦେଶ ।

ବାହକ ସହିତେ କାହିଁ ଗଲେ ତାଙ୍କ

ନ ଦେଖିଲି ଚରଣାଙ୍କ,

ଭ୍ରମିଲି ଅରଣ୍ୟ ମଧ୍ୟରେ ଯେତେକ

ସରଣୀ ବୁଲିଛି ବାଙ୍କ ।

ଅନ୍ୱେଷଣ କରି ଉତ୍କଳର ସର୍ବ

ପାର୍ବତୀୟ ପଥ, ଘାଟୀ,

ନ ପାଇ ସନ୍ଧାନ ଶେଷରେ ଦେଖିଲି

ବଙ୍ଗେଶ୍ୱର ରାଜବାଟୀ ।

ନ ଲଭିଲି ତହିଁ, ଆଶ୍ଚର୍ଯ୍ୟର କଥା,

କାହିଁ ଗଲେ ସେ ଯବନେ,

ଲୁଚାଇଲେ କାହିଁ ପ୍ରାଣସଙ୍ଗିନୀକି

ନଗର କିବା କାନନେ ।

ମୁଣ୍ଡ ବାନ୍ଧୁଥିଲା ସ୍ନେହରେ ସଜନୀ

ଗୁରୁ-କନ୍ୟା ଭଗ୍ନୀ ବୋଲି,

ଲୁଚିଗଲା କାହିଁ ସ୍ନେହମୟୀ ଶଶୀ

କେଶପାଶ ମୋର ଖୋଲି ।

ବାନ୍ଧିଦେବ ବୋଲି ଅନୁସରି ତାକୁ

ଆସିଥିଲି ବହୁ ବାଟ,

ଅଦୃଶ୍ୟ ହୋଇଲା ନୟନରୁ ପଥେ,

ହୃଦୟେ କରଇ ନାଟ ।

‘ଅନଳ-ପ୍ରବେଶ’ ସ୍ଥିର ଭାବି ସଖୀ

ସଜାଡ଼ୁଥିଲା ମୋ ଜୁଡ଼ା,

ଏହି ସମୟରେ ଯବନ ସୈନିକେ

ଭାଙ୍ଗିଲେ ପ୍ରାସାଦ-ଚୂଡ଼ା ।

ଚୂର୍ଣ୍ଣ କରି ଦୁର୍ଗ ଊର୍ମିମାଳ ପ୍ରାୟ

ଶତ୍ରୁ-ସୈନ୍ୟ ଦଳ ଆସି,

ବନ୍ଦିନୀ କଲାରୁ ନ ପାରିଲା ଧନୀ

ବୈଶ୍ୱାନରେ ଦେହ ଝାସି ।

ଧୃତ ହେବା ମାତ୍ରେ ସବାରୀରେ ଭରି

ଆଣିଲେ ବାହକେ ଏଣେ ,

ନ ଜାଣିଲେ ସୁଦ୍ଧା ତାତ, ଭ୍ରାତା ତାର

କରୁଥିଲେ ରଣ ତେଣେ ।

ନ ଦେଇ ସମ୍ୱାଦ ଗୋଡ଼ାଇ ଆସିଲି

ଲଭିବାକୁ ସଖୀ ସଙ୍ଗ,

ସହି ସୁଦ୍ଧା ଯେତେ ପ୍ରହାର ପାଇଲା

ଅରି କରେ ମୋର ଅଙ୍ଗ ।

ଶତ୍ରୁ ଜ୍ଞାତସାରେ ନ ପାରିଲି କରି

ସଜନୀ ଅନୁଧାବନ,

ଗୋପନେ ସବାରୀ ପଛରେ ଧାଇଁଲି

ଅନୁକୂଳ ହେଲା ବନ ।

ଜୀବନୁଁ ଅଧିକ ପ୍ରାଣ-ସଜନୀକି

ଚୋରାଇ ନେବାକୁ ଅରି

ସତ୍ୟବାନ-ପ୍ରାଣ- ଚୋର-ଯମ ପଛେ

ହେଲି ସାବିତ୍ରୀଙ୍କ ପରି ।

ଏତିକି ପ୍ରଭେଦ ତାଙ୍କର ମୋହର

ଶମନ ସଙ୍ଗତେ ସତୀ

କଥାବାର୍ତ୍ତା ହୋଇ ଯାଉଥିଲେ, ମାତ୍ର

ଗୋପନରେ ମୋର ଗତି ।

ସ୍ୱାମୀଙ୍କୁ ଫେରାଇ ସାବିତ୍ରୀଙ୍କ ପାଶୁଁ

ଅନ୍ତର୍ହିତ ହେଲା କାଳ,

ମାତ୍ର ସଖୀ ସହ ଅନ୍ତର୍ହିତ ଶତ୍ରୁ

ଫଟାଇ ମୋର କପାଳ ।

Image

 

ଆଶ୍ରୟ

 

ମଘବା-ଆସନ ଗିରି ମେଘାସନ-

ଶିଖରେ ମଧୁକ-ମୂଳେ

ଏକାକୀ ମାନବ ବସିଛି କିପରି

ନ ଡରି ଶ୍ୱାପଦକୁଳେ !

ଜ୍ୟୋତ୍ସ୍ନାଧୌତ ନିଶା ମଧୁମୟହାସୀ

ବିକାଶି ସ୍ନିଗ୍ଧ ମୂରତି

ମନ୍ତ୍ର ଦିଏ ବୋଲି ସ୍ଥିର ହୃଦୟରେ

ଶୁଣେ କି ନିର୍ଭୟମତି ?

ଗଣ୍ଡେ କର ଦେଇ ଗୁଣି ହୁଏ କେତେ

ମନ୍ତ୍ରକୁ ମନୁଜ ମନେ,

ଧ୍ୟାନ କରେ ବୋଲି ନ ପାରେ ସେ ଜାଣି

ଶ୍ୱାପଦ ଧାବନ୍ତି ବନେ ।

ଗହଳ ପତର ମଧ୍ୟ ଛିଦ୍ର ଭେଦି

ଚନ୍ଦ୍ରିକା- ଗୋଲକ ପଡ଼ି,

ସ୍ୱର୍ଣ୍ଣ-ରୌପ୍ୟ-ଜରୀ ଅଙ୍ଗଭୂଷା ପରେ

ଜ୍ୱଳି ପଶୁ ଦିଏ ତଡ଼ି ।

ବିଚିତ୍ର ମୂରତି ଧରିଥିବା ହେତୁ

ନରକୁ ଶ୍ୱାପଦେ ଡରି,

ଦଉଡ଼ନ୍ତି ଲମ୍ୱ- ଡେମ୍ଫ ଅଶ୍ୱତ୍ଥର

ପତର ପରାୟେ ଥରି ।

ଶାର୍ଦ୍ଦୂଳ, ଭଲ୍ଲୁକ, ବରାହ, ହରିଣ

ଚିତ୍ରକ, ଗଣ୍ଡାର, ଗଜ

ମନୁଷ୍ୟର ଗନ୍ଧ ଜାଣି ସୁଦ୍ଧା ରୁପେ

ଡରନ୍ତି ଅତି ନିର୍ଲଜ୍ଜ ।

ରମ୍ୟ ମଧୁ-ପୁଷ୍ପ- ସୁବାସରେ ଅନ୍ଧ

ଋକ୍ଷ-ପରିବାର ଆସି

ଚିତ୍ର ପଶୁ ଦେଖି ଭୟରେ ପଳାନ୍ତି

ନ ପାରି କୁସୁମ ଗ୍ରାସି ।

ନ ଜାଣଇ କିଛି ଧ୍ୟାନମଗ୍ନ ନର

ରାତ୍ରିଚର ପଶୁ କ୍ରୀଡ଼ା,

ପି ହୁଏ ମନ୍ତ୍ର “ନବାବ ଦୁଆରେ

କିପରି ବା ହେବି ଛିଡ଼ା ?

ଶିରଚ୍ଛେଦ ଆଜ୍ଞା ପହୁଞ୍ଚିବା ମାତ୍ରେ

ହେବ ନିଶ୍ଚେ ଗଲେ ଏକା,

ସାରଙ୍ଗେଶ-ସୁତା ସଙ୍ଗରେ ନ ନେଲେ

ବୁଡ଼ିବ ସିନା ମୋ ଭେକା ?

ଭ୍ରମି ଭ୍ରମି ମୁହିଁ ବାତୁଳ ପରାୟେ

ହେଲିଣି ନ ପାଇ ରାମା ।

କାହିଁ ଗଲା ସେହି ନାରୀକୁଳେଶ୍ୱରୀ

ବଙ୍ଗେଶ୍ୱର ଭାବୀ ବାମା ।

ଷୋଡ଼ଶକଳାଦି ସପତ କଳାନ୍ତ-

ରାଜ୍ୟ ଚକ୍ରଧରପୁର,

ସିଂହଭୂମ, ଧଳ- ଭୂମ ଆଦି ପଞ୍ଚ-

ଭୂମାନ୍ତ, ମେଦିନୀପୁର,

ଉତ୍ତର-କୋଶଳ ସର୍ବ ଗଡ଼ଜାତ

ବନ ଗ୍ରାମ ରାଜବାଟୀ

ତନ୍ନ ତନ୍ନ କରି ଖୋଜି ନ ପାଇଲି

ରମଣୀ ଆଶ୍ରୟ-ବାଟୀ ।

ଦୂରେ ଥାଉ ବାଳା ନ ପାଇଲି ତାର

ସଂବାଦର ଲବ ମାତ୍ରା,

ନିମକହାରାମ ବାହକେ ବି କେଉଁ

ମହାପଥେ କଲେ ଯାତ୍ରା !

ବିହାର ଅଯୋଧ୍ୟା ଖୋଜାଇଲି ଚିର-

ଜୀବନ ସଖାଙ୍କୁ ପେଷି,

ତହିଁ ନ ମିଳିଲା ଯୁବତୀର ଚିହ୍ନ

କାହିଁ ଗଲା ଦୀର୍ଘକେଶୀ !

ତପସ୍ୱୀ ଆଶ୍ରମ ସନ୍ନ୍ୟାସୀ ବେଶରେ

ଅନ୍ୱେଷି କନିଷ୍ଠ ଭ୍ରାତା,

ନ ଲଭିଲା ଭେଟ କଞ୍ଜବଦନାର

ହେଲା କେ ବା ତାର ତ୍ରାତା !

କନ୍ଧ କୋହ୍ଲ ଭୂୟାଁ ସାନ୍ତାଳ ଶବର

ଜୁଆଙ୍ଗମାନଙ୍କ ଘର

ବୁଲି ଆସିଲା ମୋ ଜ୍ୟେଷ୍ଠାତ୍ମଜ ଯାଇ

ନ ଭେଟିଲା ରାମାବର ।

ଶୁଣିଅଛି ଆଜି ମାଝୀଟେ କା ମୁଖୁ

ଡକାୟତଦଳ ଆସି,

ଲୁଟି କରୁଛନ୍ତି ଗ୍ରାମେ ଗ୍ରାମେ ପଶି

ଅସ୍ତ୍ର-ଶସ୍ତ୍ର-ବଳେ ତ୍ରାସି ।

ଅସ୍ତ୍ର-ଶସ୍ତ୍ର-ବଳ ଡକାୟତ ଯେବେ

ଅଛନ୍ତି ଏ ଗଡ଼ଜାତେ,

ନେଇ ପାରିଥାନ୍ତି ନାରୀକୁ ଚୋରାଇ

ବାହକେ ମାରି ନିର୍ଘାତେ ।

ଏହି ପଥେ ସେ ତ ଆସିବାର କଥା

ସୁଶିକ୍ଷକ ମାନଚିତ୍ର

ଦାସପୁର ଘାଟୀ ବାଟ ଶିକ୍ଷା ଦେଲା,

ଘଟିଛି କଥା ବିଚିତ୍ର

ସମ୍ଭବ ଏ ପଥେ ଚୋରି ଯାଇଅଛି

ଚିତ୍ତଚୋରା ରୂପବତୀ,

ମିଳିପାରେ ଯେବେ ଅନ୍ୱେଷିବି ଯାଇ

ଖଣ୍ଟଦଳପତି କତି ।

କାହିଁ ବା ଲଭିବି ଖଣ୍ଟ ଦରଶନ

ବଦଳ ଦେଇ ଜୀବନ,

ଧିକ ନାରୀ ଲାଭ, ଜୀବନୁଁ କି କେବେ

ଅଧିକ ରାମା-ରତନ ?

ନ ହେଲା ପଛକେ କୃତଜ୍ଞର କାର୍ଯ୍ୟ,

ନ କରେଁ ଖଣ୍ଟ ଦର୍ଶନ,

ନ ଭାବନ୍ତି ଯେହୁ କି ଅମୂଲ୍ୟ ଅଟେ

ମନୁଷ୍ୟର ଏ ଜୀବନ ।

ଦାସତ୍ୱ-ଶୃଙ୍ଖଳେ ବନ୍ଧା ଥିଲି ବୋଲି

କୃତଜ୍ଞତା ମାନି ଯାହା

ନୃପ ଉପକାର କରିବି, ତାଠାରୁ

ହୀନ କି ଜୀବନ ଆହା !

କପର୍ଦ୍ଦକ ଲାଭ ନ ହେଉ ପଛକେ

ନରହତ୍ୟା-ପାପ ଭୋଗ

କରିବାକୁ ତିଳେ ନ ହୁଏ କୁଣ୍ଠିତ

ପାଇଲେ ଖଣ୍ଟ ସୁଯୋଗ;

ଦୟା ଧର୍ମ ସ୍ପର୍ଶ କରି ନାହିଁ ସେହି

ବିବେକବିହୀନ ଜନେ,

ଶତ ନରହତ୍ୟା କରି ପାରନ୍ତି ସେ

ନ ଭାବି କିଞ୍ଚିତ ମନେ l

ଗୋପନେ କରନ୍ତି ନ ପଡ଼ିବେ ଧରା

ମାନବ-ଜଗତେ ଭାବି

ହୃଦେ ବିରାଜିତ ପରମାତ୍ମା ମଧ୍ୟ

କରୁଥିଲେ ମନା ରାବି ।

ସକଳ ଦେଖନ୍ତି ପରମ ଈଶ୍ୱର

ସର୍ବତ୍ର ବିରାଜମାନ

ଜାଣି ସୁଦ୍ଧା ଦୁଷ୍ଟ ଡକାୟତ କରେ

ଲୁଚାଇ ମାନବ-ଦାନ ।

ଏପରି ନିଷ୍ଠୁର ଦୁର୍ଜ୍ଜନ ବରଣ

କରିବି ମୁଁ ହୋଇ ନର

ନବାବର ଛାର ଆଦେଶ ପାଳନେ

ପୁରସ୍କାର ବନ୍ଧନର ।

ଲୋଡ଼ା ନାହିଁ ମୋର ସେନାନୀ ପଦବୀ

ବଙ୍ଗେଶ ଦୁଆରେ ଆଉ,

ଶକ୍ତି ଥିଲେ ଯହିଁ ସମ୍ମାନ ଲଭିବି

ପୂର୍ବ ପଦ ଗଲେ ଯାଉ ।”

ଏପରି ବିଚାରି ବଙ୍ଗସେନାପତି

ଯାତ୍ରା କଲା ଦୃଢ଼ ମନେ,

ଅନ୍ୟତ୍ର ନବାବ ଅବା ଦିଲ୍ଲୀଶ୍ୱରେ

ତୋଷିବ ଅତି ଯତନେ ।

କାର୍ଯ୍ୟେ ତୋଷ କରି ସେନାନୀ ହୋଇବ

କ୍ରମେ ନିଜ ଶକ୍ତି ବଳେ,

ଛୁଞ୍ଚି ହୋଇ ପଶି ପରିଣତ ହେବ

ବିଶାଳ ମୋଟ ଶାବଳେ ।

ବହୁ ରାଜ୍ୟ ଭ୍ରମି କେତେ ବର୍ଷ ପରେ

ଦିଲ୍ଲୀରେ କରି ପ୍ରବେଶ,

ଦେଖିଲା ସେ ସ୍ଥାନ ଦିବ୍ୟ ମନୋରମ

ସନ୍ତୋଷ ଦେବ ବିଶେଷ ।

ସଂବାଦ ପଠାଇ ଅନୁମତି ଆଣି

ପ୍ରବେଶିଲା ଦରବାରେ,

ଦେଖିଲା ରାଜନ୍ୟ- ବୃନ୍ଦ ଘେରିଛନ୍ତି

ସମ୍ରାଟେ ମଣ୍ଡଳାକାରେ ।

ପୃଷ୍ଠେ ଅସ୍ତ୍ରଧାରୀ ପଞ୍ଚ ସୁବଳିଷ୍ଠ

ସମ୍ରାଟ ଅଙ୍ଗ-ରକ୍ଷକ,

ପାର୍ଶ୍ୱ-ସମ୍ମୁଖରେ ପରିଷଦେ ଛନ୍ତି

ଶଶାଙ୍କେ ଯଥା ତାରକ ।

ହକୁଛି ଘର ଅତର ସୁବାସେ

କୁସୁମ-ସୌରରେ ମିଶି,

ରତ୍ନ-ବିଭୂଷଣେ ଦିବ୍ୟ ସିଂହାସନ

ଇନ୍ଦ୍ରାସନ ପ୍ରାୟ ଦିଶି-

ଚମକାଏ ଚିତ୍ତ ଚକ ଚକ ହୋଇ

ଦର୍ଶକ ଦୃଷ୍ଟି ପତନେ,

ଯେ ଦିଗେ ଚାହିଁବ ସର୍ବତ୍ର ଖଚିତ

ମନ୍ଦିର ଅଷ୍ଟ ରତନେ ।

କେତେ ପ୍ରତିମୂର୍ତ୍ତି ରତ୍ନେ ସୁସଜ୍ଜିତ

ବିରାଜନ୍ତି ଭିତ୍ତି ଅଙ୍ଗେ,

ପୂର୍ବ ସମ୍ରାଟଙ୍କ, ଯାଇଛନ୍ତି ଯେହୁ

ଚିରକାଳ କାଳ ସଙ୍ଗେ ।

ତାଙ୍କ ଛଳେ ତାଙ୍କ ଚିତ୍ର ବିରାଜଇ

ଦରବାର ନିକେତନେ

ଶିକ୍ଷା ଦେବା ଲାଗି ରାଜ-ନୀତି, ଯେହୁ

ବସିବ ତାଙ୍କ ଆସନେ ।

ମୟୂର ଚନ୍ଦ୍ରିକା କାନ୍ଥେ ଝଟକଇ

ମଧ୍ୟରେ କୁସୁମ-ଗୁଚ୍ଛ,

ଯା ଶୋଭା ତୁଳନେ ଜଗନ୍ନାଥ ଶିର-

ଚୂଳକୁ କରିବି ତୁଚ୍ଛ ।

ଚଟାଣେ ପଡ଼ିଛି ସୁରମ୍ୟ ଖରଡ଼

ବିଚିତ୍ର ଯା ନାନା ରଙ୍ଗେ,

କେଉଁ କାରିଗର କରିଛି ନିର୍ମାଣ

ଉପମା ନାହିଁ ତା ସଙ୍ଗେ ।

ଯଜ୍ଞବେଦୀ ପାଶ ବିଭିନ୍ନ ମଣ୍ଡଳ

ପଞ୍ଚମୂର୍ଜେ ବିଚିତ୍ରିତ

ଉଠାଇ ଆଣି କେ ନବ ତୃଣ କ୍ଷେତ୍ରେ

ଖଞ୍ଜି ଅଛି ସମ୍ଭବିତ ।

ଅପୂର୍ବ ସୁଷମା ଧରିଛି ସେ ସଭା-

ସଦନ ବିବିଧାକାରେ,

ଯା ଦେଖି ଚକିତ ହେବ ଜଡ଼ପିଣ୍ଡ,

ପ୍ରାଣୀ କଥା କେ ପଚାରେ ?

ସମ୍ରାଟ ସମୀପେ ପ୍ରଣିପାତ କରି

ଉଭା ହୋଇ ଯୋଡ଼କରେ

ଭାଷିଲା ସୁଧୀରେ ବଙ୍ଗ-ସେନାପତି

“ଆଶ୍ରୟ ଦିଅ କିଙ୍କରେ ।

ବଙ୍ଗ-ନବାବଙ୍ଗ ସୈନ୍ୟାଧ୍ୟକ୍ଷ ଥାଇ,

ରଣ କରି ବହୁ କାଳ

ଖ୍ୟାତି ଲଭିଥିଲି ସେନାପତି- ଦଳେ

ତୋଷି ସଦା ବଙ୍ଗପାଳ ।

ମନ୍ଦଭାଗ୍ୟ ବଶେ ହୋଇ ବିତାଡ଼ିତ

ବଙ୍ଗେଶ୍ୱର ଦରବାରୁଁ

ଆସିଅଛି ଏବେ ଲଭିବାକୁ କୃପା-

କଣିକା ଶ୍ରୀଛାମୁଠାରୁ ।

ଦୟା ହେଲେ ଦାସ ଆଶ୍ରୟ ଲଭିବ

ଦିଲ୍ଲୀଶ୍ୱର ବାହୁ ତଳେ,

ପ୍ରାଣ ଥିବା ଯାଏ ତୋଷୁଥିବ ସଦା

ଶ୍ରୀଛାମୁଙ୍କୁ ବାହୁବଳେ ।”

କରୁଣାନିଧାନ ରାଜରାଜେଶ୍ୱର

ହୋଇ ଦୟାପରବଶ

ଆଦେଶିଲେ “ତୁମ୍ଭେ ସୈନିକ- ମଣ୍ଡଳେ

ନାୟକ ପଦରେ ବସ ।

ଶୁଣିଛି ତୁମ୍ଭର ପରିଚୟ ବହୁ

ଦିବସରୁ ଲୋକ- ମୁଖେ,

ସାରଙ୍ଗ ବିଜୟ ଅଟେ ତୁମ୍ଭ ଯଶ,

ସେନାଚାଳ ମହାସୁଖେ ।”

Image

 

ମନ୍ତ୍ରଣା

 

ଜାଠ-ଅଧିପତି ହୃଦ-ରାଜ୍ୟେ ଆଜି

କୁମାରୀ କାରୁଣ୍ୟ ପଶି,

ଆଲୋକିଛି ନୃପ ମରମ-ମନ୍ଦିର,

ଭରତପୁରେଶ ବସି ।

ଭାବନ୍ତି “ଏ କନ୍ୟା ହେବ ମୋ ନନ୍ଦିନୀ

ବସାଇବି ହୃଦାସନେ,

ସମର୍ପିବି ଯୋଗ୍ୟ ଜାମାତା ହସ୍ତରେ,

ପାଳିବି ଅତି ଯତନେ ।

ମାତ୍ର ସେ ସୁଦୃଢ଼େ କରିଛି ଶପଥ

‘ବିନାଶିବ ସଖୀ ଅରି’

ଏ ତ ଅସମ୍ଭବ ଦିଲ୍ଲୀଶ୍ୱରାଶ୍ରିତ

ବ୍ୟକ୍ତିକୁ ପାରିବି ଧରି !

ସାରଙ୍ଗେଶ-ସୁତା ହରିଅଛି ବୀର

ଦିଲ୍ଲୀଶ୍ୱର ସେନାପତି,

ତାହାକୁ ଧରିବା ବାମନକୁ ଚନ୍ଦ୍ର-

ପ୍ରାୟ ଅସମ୍ଭବ ଅତି l

ଥିଲି ଶଠନେତା, ହେଲି ବୋଲି ଆଜି

ବାହୁବଳେ ନରେଶ୍ୱର,

ଦିଲ୍ଲୀ-ସମ୍ରାଟକୁ ଭଗାରି କରିବି

ମୁଁ ଛାର ଜାଠ ମାତର !

ଅନ୍ୟ ପକ୍ଷେ ଯେଉଁ ବାଳିକା ଲଭିଛି

ଆଶ୍ରୟ ମୋ ସ୍ନେହାସନେ,

ତାର ବା କିପରି ପୂର୍ଣ୍ଣ ନ କରିବି

ପ୍ରତିଜ୍ଞା କ୍ଷାତ୍ର ଜୀବନେ ?

ବେନି ଭାବ ମଧ୍ୟେ ଅଟେ ଗୁରୁତର

ମୁକ୍ତକେଶା ଦୃଢ଼ପଣ,

ହିନ୍ଦୁ ରମଣୀକୁ ନେଇଛି ଯବନ

ଶ୍ରବଣୁଁ ଶ୍ରେୟ ମରଣ l

ଆର୍ଯ୍ୟ ହୋଇ ଯେବେ ଆର୍ଯ୍ୟନାରୀ-ଚୋରେ

ନ ଦିଏଁ ଉଚିତ ଦଣ୍ଡ,

ଜୀବନଧାରଣେ ଅଛି କେଉଁ ଲାଭ ?

ଶ୍ରେୟ ହେବା ଶତଖଣ୍ଡ l

ଜିଣିବି ଯେବେ ତ ଶଶିକଳା ଶତ୍ରୁ

ରଖିବି ଅକ୍ଷୟ ଯଶ,

ରଣେ ମଲେ ମଧ୍ୟ ହିନ୍ଦୁ ନାରୀ-ହିତେ,

ପ୍ରଶଂସା ଲାଭ ଅବଶ୍ୟ l

ବ୍ରାହ୍ମଣ-କୁମାରୀ ଓଜସ୍ୱିନୀ ବାଣୀ

ଉଦ୍ଗାରଇ ଯେଉଁ କାର୍ଯ୍ୟେ,

କ୍ଷତ୍ରିୟ ହୋଇ ମୁଁ ନ କଲେ ସେ କର୍ମ

କି ବୋଲିବେ ସର୍ବ ଆର୍ଯ୍ୟେ ?

କାହିଁ ସେ ଉତ୍କଳ- ଗରଭେ ସାରଙ୍ଗ

କାହିଁ ଏ ଭରତପୁର,

ଏତେ ଦୂର ଦ୍ୱିଜ- କନ୍ୟା ଆସିଅଛି

ପ୍ରତିଜ୍ଞା କରି ଭିଦୁର ।

କ୍ଷତ୍ରିୟର ଧର୍ମ ପାଳିବାକୁ ପଣ

କରିଅଛି ହିନ୍ଦୁ ହିତେ,

ତା ଠାରୁ ତ ହୀନ ହେବି ନ ଯୁଝିଲେ

ସାରଙ୍ଗ-ଜେତା ସହିତେ ।

ମୁକ୍ତକେଶା ଅସ୍ତ୍ର ଧରିବ ଯବନ

ବିପକ୍ଷେ ସମରାଙ୍ଗନେ,

ନରେଶ ହୋଇ ମୁଁ ପଛଘୁଞ୍ଚା ଦେଲେ

ହସିବେ ନାହିଁ କି ଜନେ ?”

ଏପରି ବିଚାରି ଡକାଇଲେ ନୃପ

ଅମାତ୍ୟ ସେନାନାୟକେ

ଅତି ଦ୍ରୁତଗତି ପ୍ରହରୀ ପଠାଇ

ନିକଟେ କ୍ଷଣ ମାତ୍ରକେ ।

ପ୍ରବେଶିଣ ପାଶେ ସଚିବ ସେନାନୀ

ପ୍ରଣମିଲେ ବନ୍ଧକରେ,

ଯଥାବିଧି ପ୍ରତି- ପ୍ରଣାମ ପ୍ରଦାନେ

ବସାଇଲେ ନୃପ ଖରେ।

ଆଦ୍ୟେ ପ୍ରାଥମିକ ଆଳପ ସମ୍ଭାଷ

ହୋଇଗଲା ବହୁ ବେଳ,

ପରେ କଥାଛଳେ ପୁଚ୍ଛିଲେ ରାଜନ

“ଖେଳିବା କି ଗୋଟେ ଖେଳ ?

ସୟଦ୍‍ ଅମୀର ନବ ସେନାପତି

ଦିଲ୍ଲୀଶ୍ୱର ଦରବାରେ,

ତାହାକୁ କିପରି ଧରିବା ସମରେ

ମୁକ୍ତକେଶା ଉପକାରେ ?”

ତଳକୁ ଟିକିଏ ମଥା ପୋତି ମନ୍ତ୍ରୀ

ଭାଷିଲେ ସୁଧୀର ସ୍ୱରେ

“ଦିଲ୍ଲୀଶ୍ୱର ସଙ୍ଗେ ପାରିଲେ ତ ଯଶ

ରଖିବା ଏ ଚରାଚରେ ।”

କିଛି କ୍ଷଣ ପରେ ରଜପୁତ ବୀର

ଜାଠେଶ-ସେନାନାୟକ

ପ୍ରତିହିଂସା ନେବା କ୍ଷତ୍ରିୟର କାର୍ଯ୍ୟ”

ଭାଷିଲେ ଲଭି ପୁଲକ ।

ଯେଝା ବ୍ୟବସାୟ ଅନୁରୂପେ କଥା

କହିଲେ ଉଭୟ ବୀର,

ଏକର ମନ୍ତ୍ରଣା ସଚିବ ଉଚିତ,

ଅନ୍ୟର କ୍ଷତ୍ରିୟ ଗୀର ।

ବଜ୍ର ସିନା ଭାବେ ପ୍ରଳୟ କରିବ

ନଦୀ କାହୁଁ ଭାବିବ ତା

ଜଳ ଯୋଗାଇବା ବ୍ୟବସାୟ ତାର,

ପ୍ରାଣୀ ହିତେ ସଦା ରତା ।

ଅବଶେଷେ ନୃପ ରାଜନ ଉଚିତ

ବାକ୍ୟ ଭାଷି ବେନି ଜନେ

ସନ୍ତୋଷିଲେ ନିଜ ପ୍ରତିଭା ବଳରେ

“ଜିଣିବା ମୃଦୁ-ଗମନେ ।

ଏକାବେଳେ ରଣ- ଯାତ୍ରା କରି ଯିବା

ବାସ୍ତବିକ ଅସମ୍ଭବ,

ଚାରିପାଖୁଁ ଖଣ୍ଡେ ଖଣ୍ଡେ ଲୁଟି କଲେ

ସହଜେ ହେବ ସମ୍ଭବ ।

ପ୍ରାନ୍ତସ୍ଥିତ ରାଜ୍ୟ ଧ୍ୱଂସ କରି ଧନ

ସମ୍ପଦ ଆଣିଲେ ବହି

ବଳେ ଦିଲ୍ଲୀଶ୍ୱର ଶାନ୍ତିରକ୍ଷା ଆଶେ

ସୈନ୍ୟାଧ୍ୟକ୍ଷେ ଦେବ କହି ।

କେବେ ହେଲେ ଧରା ପଡ଼ିବ ସାରଙ୍ଗ-

ଗଡ଼େଶ୍ୱର-ସୁତା-ଚୋର,

ମୁକ୍ତକେଶା କେଶ ବନ୍ଧାଯିବ ଯେବେ

ସଂଗ୍ରାମ କରିବା ଘୋର ।”

କଲେ ସମର୍ଥନ ବାଧ୍ୟ ହୋଇ ବେନି

ପରିଷଦ ନୃପ ବାକ୍ୟେ,

ଦେଖା ନାହିଁ କେବେ ମାନବ ଜଗତେ

ନ ମାନେ ବଡ଼ କଥା କେ ।

ମନ୍ତ୍ରଣା ଉତ୍ତାରେ ବୀର ଜାଠପତି

ଆଦେଶିଲେ ପାର୍ଶ୍ୱଚରେ

“ଦ୍ୱିଜକନ୍ୟା ମୁକ୍ତ- କେଶାକୁ ନିକଟେ

ଆସିବାକୁ କହ ଖରେ ।”

ଆଜ୍ଞା ମାତ୍ରେ ଭୃତ୍ୟ ତରତରେ ଯାଇ

ବ୍ରାହ୍ମଣ- କନ୍ୟା ସମୀପ,

ଜଣାଇଲା “ଦେବୀ, ଅବଧାନ ହେଉ

ଡକାଉଛନ୍ତି ଅଧିପ l

ମନ୍ତ୍ରୀ ସେନାପତି ଗହଣେ ଅଛନ୍ତି

ଶ୍ରୀ ଛାମୁ ଦେଲେ ଆଦେଶ

ଡାକି ନେବା ଲାଗି ଦ୍ୱିଜ-ନନ୍ଦିନୀକୁ

ଚିର ମୁକ୍ତ ଯାର କେଶ l

ସେଥିପାଇଁ ମୁହିଁ ଆସିଅଛି ଦେବୀ,

କରନ୍ତୁ ବିରାଜମାନ

ହିନ୍ଦୁହିତୈଷିଣୀ ରାଜଦର୍ଶନାଶେ

ସତ୍ୱର ତେଜି ଆସ୍ଥାନ ।”

ପୟର ପ୍ରସାର କଲା ସେହିକ୍ଷଣି

ଷୋଡ଼ଶବର୍ଷୀୟା ନାରୀ,

ଯା ସ୍ୱର୍ଗୀୟ ଭାବ ଭରତପୁରେଶ

ହୃଦୟର ଅଧିକାରୀ ।

ଚମକାଏ ତାର କମନୀୟ କାନ୍ତି

ଧୈର୍ଯ୍ୟଶାଳୀ ଜନ ଚିତ୍ତ,

ଚାହିଁ ନ ପାରନ୍ତି କାମୁକେ ତା ମୁଖ,

ଲଭନ୍ତି ଦଣ୍ଡ ଉଚିତ ।

ଘୂର୍ଣ୍ଣବାୟୁ ପରି ଘୂରେ ତା ମସ୍ତକ,

ନ ହୁଏ ସ୍ଥିର ତା ଚିତ୍ତ,

ହୃଦୟ-ଭଣ୍ଡାର କରିଛି ଯେ କେତେ

ଅମୂଲ୍ୟ ଭାବ ସଞ୍ଚିତ ।

ଭାବୁଅଛି “କାହିଁ ସ୍ନେହମୟୀ ଶଶୀ

ପାଇବି ପୁଣି ଏ ପ୍ରାଣେ,

ବୈରଶୋଧ ଅବା ସାଧିବି ଯବନେ,

ତାର ତ ଚିହ୍ନ ନ ଜାଣେ ।

ଯବନ ବା କାହୁଁ ଜାଣିବ ତା ଚିହ୍ନ

ଲୁଚିଲା ସେ ବ୍ରାହ୍ମୀ କୂଳେ,

ଶିରଚ୍ଛେଦ ଭୟେ ସମ୍ରାଟେ ଶରଣ

ପଶିଲା କ୍ରୂର ବ୍ୟାକୁଳେ ।”

ପୁଣି ଭାବେ କେବେ, “ସତେ କି ସଜନୀ

ଲିଭିଗଲା ବ୍ରାହ୍ମୀ-ଜଳେ,

ସତୀତ୍ୱ-ହରଣ ଆଶଙ୍କାରେ କୋଳେ

ଆଶ୍ରିଲେ କିବା କମଳେ ।”

ଭାବଇ କେବେ ବା, “ସଖୀ ଯେବେ ଗଲା

ମୁଁ ଥାଇ କରିବି କିସ ?

ଚିରକାଳ ପାଇଁ ପରାଣ ତେଜିବା

ଶ୍ରେୟସ୍କର ଭକ୍ଷ ବିଷ ।”

ବିଚାରଇ ମଧ୍ୟ “ପ୍ରାଣ ବିନାଶିବା

ଅନ୍ୟ ପକ୍ଷେ ଅନୁଚିତ,

ଶତ୍ରୁ ସଂହାରଣ ଉତ୍ତାରେ ମରଣ

କାଳକୁ କୀର୍ତ୍ତି ସଞ୍ଚିତ ।

ସଂସାର ଘୋଷିବ ଅରି ମାରିଅଛି

ସଜନୀ ହିତରେ ଯେବେ,

ବୈର-ନିର୍ଯ୍ୟାତନ ପରେ ପ୍ରାଣବଳି

ଦେବା ମୋ କର୍ତ୍ତବ୍ୟ ତେବେ ।

ରକତ ପ୍ରବାହ ବହିଥିଲା ଯଥା

ସାରଙ୍ଗୁ ବିରୂପା ଯାଏ,

ସାଇବି ତଥା ଯବନ-ମଣ୍ଡଳ

ରକ୍ତ-ନଦେ ଠାଏ ଠାଏ ।”

କରଇ ବିଚାର କେବେ ମୁକ୍ତକେଶା

“ସଖୀ ଶତ୍ରୁ ଧ୍ୱଂସି ପରେ

ବଞ୍ଚିଥିଲେ ସିନା ସଖୀ ଅନ୍ୱେଷିବି

ଯେବେ ସେ ଥିବ ଜୀବରେ ।”

ଏହିପରି କେତେ ଭାବି ଭାବି ଶେଷେ

ପ୍ରବେଶିଲା ଦରବାରେ,

ଛନ ଛନ ମନ ଚଞ୍ଚଳ ନୟନ

ଛଳେ ଦିଶେ ତାହାଠାରେ ।

ବସାଇଲେ ପାଶ ଆସନେ ରାଜନ

ବ୍ରାହ୍ମଣ-ନନ୍ଦିନୀ ଯୋଗେ,

ଅସ୍ୱୀକୃତା ପୁଣି ନ ନାଶିଲେ ଶତ୍ରୁ

ନ ରହିବ ଏଥି ଭୋଗେ ।

ଧନ୍ୟ ତା ପ୍ରତିଜ୍ଞା, କି ବୋଲି ତାହାକୁ

ସମ୍ୱୋଧିବା ଆବଶ୍ୟକ

ଦେବୀ ଅବା ନାରୀ କେଉଁ ସମ୍ୱୋଧନେ

ଭାବନ୍ତି ଜାଠ ନାୟକ ।

Image

 

ଭବାନୀ

ଲୁଣ୍ଠନ

 

ବଙ୍ଗୋପସାଗରେ ପଡ଼ିଛି ଚହଳ

ପ୍ରତ୍ୟହ ‘ଜାହାଜବୁଡ଼ା’,

ଆଜି ରଣତରୀ, କାଲି ଦ୍ରବ୍ୟପୋତ

ହେଉଛନ୍ତି ପଥହୁଡ଼ା ।

ଧ୍ୱସ୍ତ ହେଉଛି କେ, ଲୁଟି ହେଉଅଛି

କେ ତରୀରୁ ଦ୍ରବ୍ୟରାଜି,

କେବଣ ତରଣୀ ଚିରକାଳ ସିନ୍ଧୁ-

ଗରଭେ ରହଇ ରାଜି ।

ଡରି ରହିଲେଣି ଦୂରଦେଶିଗଣ

ବଣିଜ ବେଉସା ଛାଡ଼ି,

ଧ୍ୱଂସି ଦେଲାଣି କେ ବଙ୍ଗୋପସାଗର

ବଙ୍ଗ ସ୍ଥଳଭାଗ ମାଡ଼ି ।

ଚଟ୍ଟଗ୍ରାମୁ ଗଣା ଆରମ୍ଭିଲେ ଯେତେ

ବନ୍ଦର ବଙ୍ଗ- ସାଗର,

କାବେରୀ ମୁହାଣ ଯାଏ ସର୍ବ ଜୁର

କରଇ କେ ଘୋରତରେ ।

ନର-ଲୁଟି କାହିଁ କେହି ଶୁଣି ନାହିଁ,

କରଇ ସମ୍ପଦ ଜୁର,

ଅସ୍ତ୍ର-ଶସ୍ତ୍ରେ ତ୍ରାସି କିଅବା ବିନାଶି

ଦ୍ରବ୍ୟ ନେଇ ହୁଏ ଦୂର ।

ଦ୍ଭୁତ ଜାହାଜ ସାହାଯ୍ୟରେ ସଦା

କରନ୍ତେ ଘୋର ଉତ୍ପାତ,

ଜଳଯାତ୍ରୀଙ୍କର ହୃଦୟରେ ହୁଏ

ଭୀଷଣ ଆତଙ୍କ ଜାତ ।

ପାରାବାର-ବକ୍ଷେ, ତଟିନୀ-ମୁହାଣେ

ଅବା ସିନ୍ଧୁ-ଉପକୂଳେ,

ରକ୍ଷା ନାହିଁ କାହିଁ ହୁଅନ୍ତି ବିନଷ୍ଟ

ତରଣୀଗଣ ସମୂଳେ ।

ଭାସମାନ କିବା ଜଳଗର୍ଭଚାରୀ

ପୋତମାଳ ତା କବଳେ

ପଡ଼ନ୍ତି ପ୍ରତ୍ୟହ ହୋଇ ନିରୂପାୟ

ପଳାଇ ନ ପାରି ବଳେ ।

ଏକାବେଳେ ଚାରି ପାଖରୁ ଆକ୍ରମି

ପଞ୍ଝାଏ ରଣତରଣୀ,

ଦେଖାଇ ଦିଅନ୍ତି ଏକୁଟିଆ ପୋତେ

କାଳକୁ ମହା-ସରଣୀ ।

କମାଣ ଗୁଳାରେ ଫଟାଇ ତାହାକୁ

ପାରାବାରେ ଦେଇ ମାଡ଼ି,

ମୂଲ୍ୟବାନ ଦ୍ରବ୍ୟ କାଢ଼ି ନେଇଯାନ୍ତି

ଅପର ପର୍ଦାଥ ଛାଡ଼ି ।

ଭିନ୍ନ ଭିନ୍ନ ବେଶ ଧରିଥାଅନ୍ତି ସେ

ଡକାୟତ ତରୀଗଣେ,

କି ଉଦ୍ଦେଶ୍ୟ ରଖି ତାହାଙ୍କୁ ଗୋଚର

କି ଜାଣିବ ଅନ୍ୟ ଜଣେ ।

ଯାତ୍ରିଗଣେ ମାରି ପକାଇ ଦେବାରୁ

ସାଗର- ତରଙ୍ଗ- ଅଙ୍ଗେ

କେବେ ନିମ୍ନେ, କେବେ ଊର୍ଦ୍ଧ୍ୱେ ଶବରାଶି

ସନ୍ତରନ୍ତି ନାନା ରଙ୍ଗେ ।

କେତେ ଦିନ ହେଲା ସଲିଳ ଅପେକ୍ଷା

ସ୍ଥଳେ ଘୋର ଅତ୍ୟାଚାର,

କାଳୀଘାଟ ଠାରୁ ଉତ୍ତରକୁ କ୍ରମେ

ଉତ୍ପାତ ଭୀଷଣାକାର ।

ଯବନାଧିକୃତ ପ୍ରଦେଶରେ ଏବେ

ଡକାୟତ ଭୀତି ଗୁରୁ,

ଆଜି ଏହି ଗ୍ରାମ, କାଲି ଅନ୍ୟ ଗ୍ରାମ

ଲୁଟଇ କେ ଆସି ଦୂରୁଁ ।

କେବଳ ଯେ ଧନ ସମ୍ପଦର ଜୁର

କରଇ କେ ତାହା ନୁହେଁ,

ବାଧା ଦେବା ବ୍ୟକ୍ତି ମୁହୂର୍ତ୍ତ ମଧ୍ୟରେ

ମରଣ ମୁଖକୁ ମୁହେଁ ।

ଅସ୍ତ୍ର ଶସ୍ତ୍ର ବେନି- ବିଧ କରାୟୁଧ

ଅଛି ସେ ଦୁଷ୍ଟଙ୍କ ପାଶେ,

ସେତେବେଳେ ଯାହା ଲୋଡ଼ା ତା ପ୍ରୟୋଗ

କରନ୍ତି ଶତ୍ରୁ ବିନାଶେ ।

ପ୍ରତିବନ୍ଧକ ତ ବହୁତ ନ ପଡ଼େ

ଗ୍ରାମବାସୀ ଭୟେ ଥରି

କିଏ କେଉଁ ସ୍ଥାନେ ଆତ୍ମରକ୍ଷା ଲାଗି

ଲୁଚନ୍ତି ମରଣେ ଡରି ।

ଦଳକେତେ ନୁହେଁ ବହୁତର ଅଶ୍ୱ-

ଆରେହୀ ସୈନିକ ଆସି

ଚାରିପାଶେ ଘେରି ଯାଆନ୍ତି ଗ୍ରାମରେ

ରଜନୀରେ ରାଶି ରାଶି ।

ଦୁଇ ଚାରି ଗଣ୍ଡା ବନ୍ଧୁକ ଶବଦ

ସଂକେତ ଦିଅନ୍ତି ଆଗେ,

ସଙ୍ଗେ ସଙ୍ଗେ ଗୃହ ମଧ୍ୟେ ପ୍ରବେଶନ୍ତି

ଚରଣରେ ଅଶ୍ୱତ୍ୟାଗେ ।

ଏହିପରି ପ୍ରତି- ଦିବସେ ହେବାରୁ

ଦେଶବ୍ୟାପୀ ସର୍ବ ଜନେ

‘ଖଣ୍ଟ ଆଗମନ’ ସଂକେତ ପାଇଲେ

ରଖନ୍ତି ପ୍ରାଣ ଗୋପନେ ।

ବୈଦ୍ୟୁତିକାଲୋକ ଧରି ରଖିଥାନ୍ତି

ଜଣକେତେ ବାମ କରେ,

ଶବ୍ଦଶୂନ୍ୟେ ସର୍ବ- ସ୍ଥାନ ଖୋଜି ଦାମୀ-

ଦରବ ନିଅନ୍ତି ଖରେ ।

ଭୟବଶେ ଅବା ଗାଢ଼ ନିଦ୍ରା ଯୋଗେ

ବୁଜିଥାଇ ଯେ ନୟନ,

ଖଣ୍ଟ କରୁଣାରୁ ଯାଏ ନାହିଁ ତାର

ଅମୂଲ୍ୟ ଦିବ୍ୟ ଜୀବନ ।

କ୍ରମେ ଗୁରୁତର ହେଲା ଡକାୟତି

ମୁସଲମାନ ପ୍ରଦେଶେ,

ପଲ୍ଲୀ ବା ନଗର ଅବା ନଦୀ-ଗର୍ଭ-

ତରୀ ମଧ୍ୟୁଁ ଲୁଟିଲେ ସେ ।

ଯୋଦ୍ଧୃବେଶ ତାଙ୍କ ଅଙ୍ଗେ ବିରାଜଇ

କପାଳେ ତ୍ରି-ଭସ୍ମଗାର,

ର୍ବେ ଦୀର୍ଘକାୟ ବଳିଷ୍ଠ ପୁରୁଷ

ଶକ୍ତିଉପାସକାକାର ।

ସୁ-ସୂଷ୍ମ ସିନ୍ଦୂର- ରେଖା ଶୋଭେ ଭୂରୁ-

ମଧ୍ୟରୁ ପଗଡ଼ି ଯାଏ,

ଏଥୁଁ ଅନୁମିତ କ୍ଷତ୍ରିୟ ସନ୍ତାନ,

ହିତାର୍ଥେ ରତ ସେନା ଏ ।

ଦେଶ କାର୍ଯ୍ୟ ଅବା ଧରମ ରକ୍ଷଣ

କି ଅବା ଧରଣୀ ସେବା

କରାଏ କେ ସାଧୁ କ୍ଷତ୍ରିୟ ସାହାଯ୍ୟେ

ଶିଖାଇ ରୁଦ୍ରାଣୀ ସେବା ।

କେଉଁ ସ୍ଥାନେ ତାଙ୍କ କର୍ତ୍ତବ୍ୟର ପୀଠ

ସ୍ଥଳୀ ଅଟେ, ତାହା କିଏ

ପଚାରି ପାରିବ, ପ୍ରାଣାତଙ୍କ ବେଳେ

ପରିଚୟ କେବା ନିଏ ?

ତୀକ୍ଷ୍ଣ ଦୃଷ୍ଟି ଖରେ ବୁଲାଇ ସେ ଦୁଷ୍ଟେ

ଦେଖନ୍ତି କେଉଁଠି କିସ,

କିଏ କେଉଁ ଘରେ କିଛି ନ ଦେଖିଲେ

ବାମ ହାତେ ମୋଡ଼େ ନିଶ ।

ବିଛଣାରେ କେହି ସାହସୀ ପୁରୁଷ

ଚେଇଁ ଶୋଇଥିବା ଭାବି

ଦୟାବୀର ଖଣ୍ଟେ ଉଠାଇ ମାଗନ୍ତି

“ଦିଅ ତୋ ବାକସ ଚାବି ।

ବୃଥାରେ କାହିଁକି ସିନ୍ଦୁକ ଭାଙ୍ଗିବା

ଅର୍ଥରେ ଆମ୍ଭର: ଦାବି,

ପୋତା ମାଲ କାହିଁ ? କି ରଖିଛୁ କହ ?”

ଖଣ୍ଟେ ଅଛି କରୁଣା ବି ।

କିଏ ବା କାହିଁକି ଚକ୍ଷୁ ମେଲାଇବ

ମହାନିଦ୍ରାଗତ ପରି

ଯିବ କି ରହିବ ଅମୂଲ୍ୟ ଜୀବନ’

ପଡ଼ିଥାଏ ସଦା ସ୍ମରି ।

ହଲାଇ ଦିଅଇ କା ଶରୀର କେହି

“ଉଠ ରେ !” ବଚନ ଭାଷି

ଧର୍ମପ୍ରାଣ ବୀର କ୍ଷତ୍ରିୟପ୍ରବର

ଗାମ୍ଭୀର୍ଯ୍ୟ ଦର୍ଶନେ ତ୍ରାସି ।

କହିଦିଏ ଭୟେ ସତ୍ୟ କଥା ଭୀରୁ

ଧନ ରଖିବାର ସ୍ଥାନ,

ପ୍ରକୃତରେ ପ୍ରାଣୀ ପ୍ରାଣ ଯିବାବେଳେ

ନ କରେ ମିଥ୍ୟାନୁମାନ ।

ନେଇ ଯାଇ ସର୍ବ ମୁହୂର୍ତ୍ତ ମଧ୍ୟରେ

ଚାଲିଯାନ୍ତି କେଉଁ ସ୍ଥାନେ,

ତତ୍ପରେ ସକଳ ଭୟ ଚାଲିଯାଏ

ନ ଥିବାରୁ ଖଣ୍ଟମାନେ ।

Image

 

ସାହସ

 

ଦ୍ୱାରପାଳ ଆସି ଜାଠାଧିପ ପାଶେ

ଜଣାଇଲା ଯୋଡ଼ିକରେ,

“ଛାମୁ ! ବିଦୂଷକ ଦ୍ୱାରେ ଉପସ୍ଥିତ

ଆଦେଶ ଦିଅନ୍ତୁ ଥରେ ।”

ଅନ୍ୟ କଥା କିଛି ଭାବୁଥିଲେ ନୃପ

ସହସା ଫେରାଇ ମତି,

ଆଦେଶିଲେ ଦାସେ “ସଙ୍ଗେ ଆଣି ଆସ

ପଣ୍ଡିତ ସରଳମତି ।”

ଦ୍ୱାର ଆର ପାଶେ ଶୁଣୁଥିଲେ ସେହି

ଅତି ସୁରସିକ କବି,

ଛାତି ଫୁଲାଇଲେ ବିଶେଷଣ ଶୁଣି

କବିତା ପଡ଼ିଲା ସ୍ରବି-

“ଯୋଡ଼ି ବିଶେଷଣ କରି ସମ୍ଭାଷଣ

ବସାଇ ସୁନ୍ଦରାସନେ,

ଅଜାଡ଼ିବ ନାହିଁ ଭାବିଛ ଭୋଜନ

ପଣ୍ଡିତ-କବି-ବ୍ରାହ୍ମଣେ ।

କବି ଦେଖି ଯେବେ ସ୍ରବି ନ ପଡ଼ିଲା

ଶ୍ରୀମୁଖୁଁ ବଚନାଦେଶ

ଉଦର ପୂରଣ ସାମଗିରୀ ଆଣ’

ସେ ଅବା କେଉଁ ନରେଶ ?

ଖେ ଯେ ଅକ୍ଷୟ କୀରତି ସଂସାରେ

କାଳକୁ ଅକ୍ଷୟାକ୍ଷରେ,

ତା ଉଦରଜ୍ୱାଳା ନ ବୁଝିଲେ ନୃପ

ଯୋଗ୍ୟ କି ପ୍ରଭୁପଣରେ ?

ଅଶେଷ ପ୍ରକାର ଅଟେ ମୋ ଆକାର’

ଭାଗବତେ ଅଛି ରହି,

ସୁକବି, ପଣ୍ଡିତ ହୃଦୟେ ପୂରିତ

ନିଜେ ପ୍ରଭୁ ଛନ୍ତି କହି ।

କହିଛନ୍ତି ପୁଣି ନିଜେ ଯଦୁମଣି

ପଣ୍ଡିତ କବି ପ୍ରଭେଦ

ଆକାଶ ପାତାଳ ଜାଣ ନରପାଳ

କବିତା ନିତ୍ୟ ଅଭେଦ୍ୟ ।

କଳ୍ପନା ଯାହାର ରସନାରେ ସ୍ଥିର

ସେ ଅଟେ ପରମବ୍ରହ୍ମ,

ତାହାଙ୍କୁ ନ ପୂଜ ଆହେ ଅଧିରାଜ

ମୁଖେ କହି ନମୋନ୍ନହ୍ମ ।”

ଶୁଣି ନରମଣି ବିଦୂଷକ ବାଣୀ

ଫଳାହାର ଆନୟନେ

ଆଦେଶିଲେ ଦାସେ ହୋଇ ବିମୋହିତ

କଳ୍ପନା- ଦାସ ପୂଜନେ ।

ନାନାଦି ରହସ୍ୟ ଲାଗିଲା ସେ ଗୃହେ

ନାନା ହାସ୍ୟରସ ଛଳେ

ବ୍ରହ୍ମଜ୍ଞାନଠାରୁ ରାମଲୀଳା ଯାଏ,

ବସିଛି ବାଳା ନିଶ୍ଚଳେ ।

ଶେଷେ ଦ୍ୱିଜବର ପଚାରିଲେ ଭୂପେ

“ବିମୁକ୍ତକେଶାଟି କିଏ

ଉଚ୍ଚକୁଳୋଦ୍ଭବା ସ୍ୱଚ୍ଛ ଅବୟବା

ମଳିନମୁଖା ଟିକିଏ ?

ନୁହେଁ ପାଗଳିନୀ ମରାଳଗାମିନୀ

ସୁଚଞ୍ଚଳା ମନସ୍ୱିନୀ,

ଜଣାଯାଏ ଧନୀ ବିଷାଦଗାମିନୀ

ମୂର୍ତ୍ତିମତୀ ସୌଦାମିନୀ ।”

ଉତ୍ତରିଲେ ବୀର ଜାଠ ଅଧୀଶ୍ୱର

ଧର୍ମପ୍ରାଣ ସତ୍ୟପାଳ,

“ଧନ୍ୟ ବିଦୂଷକ, ଧନ୍ୟ ତବ ଶକ୍ତି,

ଧନ୍ୟ କବି ଅସମ୍ଭାଳ ।

ନ ଚିହ୍ନି ନ ଜାଣି ବାଳା ପରିଚୟ

ଉଦ୍ଦାମ ବର୍ଣ୍ଣନା ଢାଳି

ଦେଖାଉଛ କେତେ ସୁ-କବିତା ଛଟା

ସୁ-ହାସ୍ୟରସେ ପ୍ରକ୍ଷାଳି ।

ଅନୁମାନ ବଳେ ଜାଣିଅଛ ଯାହା

ଅବଶ୍ୟ ଅଟେ ତା ଠିକ,

ମାତ୍ର ଉଚିତ କି ଅପରିଚିତାକୁ

ବର୍ଣ୍ଣିବା ହୋଇ ନିର୍ଭୀକ ?”

ହାସ୍ୟ ଉଛୁଳିଲା ବିଦୂଷକ ମୁଖୁ

ଶୁଣି ନରମଣି ବାଣୀ,

ଭାଷିଲେ “ଶ୍ରୀଛାମୁ ଅସମ୍ଭବ କଥା

କିପରି ଅଛନ୍ତି ଜାଣି ?

ନୁହେଁ ସୀମାବଦ୍ଧ କବିତା ପ୍ରବନ୍ଧ,

ବର୍ଣ୍ଣନୀୟ ଦ୍ରବ୍ୟ ରୁଚି

ନ ଭାବି, ବିଚରେ ବିଦ୍ୟୁତ ବେଗରେ

ଯେ ସ୍ଥାନେ ତା ଅଭିରୁଚି ।

କଳ୍ପନା-ସୁନ୍ଦରୀ ସଖୀ ବାଗୀଶ୍ୱରୀ

ରସନା-ନର୍ତ୍ତକୀ ଯାର

କି ଅଟେ ଉଚିତ ଅବା ଅନୁଚିତ

ବିଚାର ନ ଥାଏ ତାର ।

ଯେବେ ଯେଉଁ ଭାବ କବି କରେ ଲାଭ

ହୁଅଇ ସେ ଭାବେ ମଗ୍ନ,

ଉଲଗ୍ନର କଥା ଭାବିଲେ ସର୍ବଥା

ସଂସାର ଭାବେ ଉଲଗ୍ନ ।

କରି ଘୋର ଚିନ୍ତା ଉଦ୍ଗାରେ କବିତା

ଚିତ୍ରି ଉଲଗ୍ନର ଚିତ୍ର,

ନ ଭାବଇ ମନେ ଅଶ୍ଳୀଳ ବର୍ଣ୍ଣନେ

ନିଜେ ହେବ ଅପବିତ୍ର ।

ଭୁଲି ଯେ ନିଜତ୍ୱ ଦେଖାଏ କବିତ୍ୱ

ନାହିଁ ତାର ପ୍ରତିବନ୍ଧ,

ଯହିଁ ଯେବେ ତହିଁ କବିତା ଢାଳଇ

ସ୍ଥାନ ଭେଦେ କବି ଅନ୍ଧ ।

ଯା ରୂପ ବର୍ଣ୍ଣନା ନୃପ-ବିଦୂଷକେ

କରାଇଲା ଏତେ ତର୍କ,

ସେ ସଦା ନୀରବ, ଭାବେ “ସତେ ଆଉ

ଉଇଁବ ମୋ ଭାଗ୍ୟ-ଅର୍କ !

ସତେ ଆଉ ସଖୀ ଦର୍ଶନ ଲଭିବି,

ସତେ କି ନାଶିବି ଅରି,

ସତେ ଜାଠଧୀପ କରୁଣା ବରଷି

ଦେବେ ମୋତେ ବଡ଼ କରି !”

ଏପରି ସମୟେ ଭାଷିଲେ ସଚିବ

“ଭୋ ଦେବ ଜାଠନୃପତି !

କେଉଁ ଲକ୍ଷ୍ୟ ରଖି ଡକାଇଲେ ବାଳା

ଅନ୍ୟ ଦିଗେ ତର୍କ ଗତି ।”

ଧନ୍ୟ ମନ୍ତ୍ରିବର ! କର୍ତ୍ତବ୍ୟ ତୁମ୍ଭର

ରାଜନେ ଦେଖାଅ ପଥ

ଭାବି ଚକ୍ଷୁହୀନ ସଲିଳ ସମାନ

ସଚିବ ପଣେ ସମର୍ଥ ।”

ଭାଷି ଏହିପରି ମଧ୍ୟକଥକକୁ

ନିବାରି କଳ୍ପନାଦାସ

ଦେଖାଇଲେ ପୁଣି କବିତାର ଛଟା

ହାସ୍ୟରସେ ପରିହାସ ।

ସୈନ୍ୟାଧ୍ୟକ୍ଷ ଧୀରେ ‘ଭାଷିଲେ “ଭୋ ଦ୍ୱିଜ

ରସିକଶେଖର କବି !

ତର୍କ-ଶିରୋମଣି ନିକଟେ କେ ଅବା

ଲଭିବ ଜିଣି ପଦବୀ ?

ଥାଉ ତବ ଯୁକ୍ତି, ପାଣ୍ଡିତ୍ୟଚାତୁରୀ,

ଲଭି ବାଳା ପରିଚୟ,

ଉପାୟ ରଚନା କର କିପରି ତା

ଭାଗ୍ୟର ହେବ ଉଦୟ ।”

ନୀରବ ରହିଲେ ବୀର ଉକ୍ତି ଶୁଣି

ବିଦୂଷକ ବାକ୍ୟବୀର,

ଡରିଗଲେ କି ସେ ପ୍ରହାରିବ ଭାବି,

ନ ମାନିଲେ ଶୂର ଗିର ?

ପ୍ରହାରକୁ କାର ଭୟ ନାହିଁ ନିଜେ

ଶଙ୍କର ଡରନ୍ତି ଯାକୁ

ଛାର କୁକ୍ଷିମ୍ଭରୀ ବିଦୂଷକ କିପାଁ

ଭୟ ନ କରିବ ତାକୁ ?

ତଥାପି ମନୁଷ୍ୟ- ଦ୍ୱିତୀୟ-ପ୍ରକୃତି-

ଅଭ୍ୟାସବଶରୁ ଦାସେ

କହି ପକାଇଲେ, “ଅରସିକ କାହୁଁ

ମନ ଦେବ ପରିହାସେ ?

ସୁରସିକ ସିନା ଲଗାଏ ରସନା

କବିତାମୃତ ଲେହନେ,

କଠୋରହୃଦୟ ମୂର୍ଖ ବଳକାୟ

ସମର୍ଥ କି ଆସ୍ୱାଦନେ ?”

କହିବାକୁ କିଛି ଇଚ୍ଛା ଥିଲା ଆଉ,

ନିବାରି ନୟନ ଠାରେ

ଉରତପୁରେଶ ଭାଷିଲେ “ଏ ବାଳା

ଆଶ୍ରୟ ନେଲା ମୋ ଦ୍ୱାରେ ।

ସୁମହତ ପଣ କରିଛି ରମଣୀ

ଧ୍ୱଂସିବ ଯବନଗଣ,

ହିନ୍ଦୁନାରୀ-ଚୋରେ ଦଣ୍ଡିବ ସମରେ

ଜୀବନ କରି ହରଣ ।

ଏପରି ପ୍ରତିଜ୍ଞା ଆର୍ଯ୍ୟରକ୍ତଧାରୀ

ନରର କର୍ତ୍ତବ୍ୟୋଚିତ,

ପ୍ରତିଜ୍ଞାକାରିଣୀ ଯାବତ ଚନ୍ଦ୍ରାର୍କେ

ଅମର ଅଟେ ନିଶ୍ଚିତ ।

ପୃଷ୍ଠପୋଷକ ଯେ ହେବ ଏ ନାରୀର

ସେ ମଧ୍ୟ ଚିର ଅମର,

ଘୋଷିବ ତା ନାମ ପୁଣ୍ୟଶ୍ଳୋକ ବୋଲି

ଚିରକାଳ ଚରାଚର ।

ସାକ୍ଷାତ ଏ ଦେବୀ ଦ୍ୱିଜକନ୍ୟାରୂପେ

ଅବତୀର୍ଣ୍ଣା ଭୂମଣ୍ଡଳେ,

ପରପଦାନତ ଭାରତବାସୀଙ୍କ

ଦୁର୍ଦ୍ଦଶା ହରିବେ ବଳେ ।

ଏହାଙ୍କରି ପୂଜା କରିବା ଉଚିତ

ଦେଇ ଶତ୍ରୁ ବଳି ରଣେ,

ଏହାଙ୍କ ସମ୍ମୁଖେ ଭାରତୀୟଙ୍କର

ହୃଦୟ ତୃପ୍ତି କାରଣେ ।

ଏ ଦେବୀ ଆଦେଶ ଅଟେ ଶୀରୋଧାର୍ଯ୍ୟ

କ୍ଷତ୍ରିୟସୁତର ଆଜି,

ଦିବ୍ୟ ବଳ ବୀର୍ଯ୍ୟ ଦେବେ ଏ ଅବଶ୍ୟ

ସକଳ ହୃଦେ ବିରାଜି ।

କରୁଛି ପ୍ରତିଜ୍ଞା ତାଙ୍କ ମୁଖ ଚାହିଁ

କରେ କରବାଳ ଧରି,

ସ୍ୱାଧୀନା କରିବି ଭାରତମାତାଙ୍କୁ

ଆଜି ଯେ ପରକିଙ୍କରୀ ।

ନ ପାଳିବି ଯେବେ ସତ୍ୟ ଏ ଜୀବନେ

ନାମ ବହି ସତ୍ୟପାଳ,

କ୍ଷତ୍ରିୟ ଔରସେ ଜାତ ନୁହେଁ କେବେ,

ନୁହେଁ ମୁହିଁ ନରପାଳ ।”

ପଣ ଶୁଣି ବାଳା ହୃଦୟେ ପୂରିଲା

ଅଭୂତପୂର୍ବ ସାହସ,

ସ୍ମରିଲେ ଅମ୍ବିକେ, ଦୟା କର ବାରେ

ହେଉ ହିନ୍ଦୁ ଅରିଧ୍ୱଂସ ।”

Image

 

ଆତଙ୍କ

 

ଡକାୟତ-ଭୀତି ହରୁଅଛି କ୍ରମେ

ନବାବ ନେତ୍ରରୁ ନିଦ୍ରା

ରବିରଶ୍ମି ଯଥା ହରିତ ବସନୁଁ

ହରଇ ରଙ୍ଗ ହରିଦ୍ରା ।

ଦିବସ ରଜନୀ ସମାନ ତା ପକ୍ଷେ

ସଦା ନିର୍ମିମେଷ ନେତ୍ର,

ଘାଣ୍ଟି ପକାଉଛି ପରଜାଙ୍କ ଦୁଃଖ

ଜଣାଣ ହୃଦୟ-କ୍ଷେତ୍ର ।

ବିରାମ-ଦାୟିନୀ ନିଦ୍ରାଦେବୀ କୋଳେ

ଚିନ୍ତାହୀନ ଜନ ସିନା

ଆଶ୍ରୟ ଲଭଇ, ଚିନ୍ତାଶୀଳେ କାହୁଁ

ଆଲିଙ୍ଗିବେ ସେ ନବୀନା ?

ଆଜି ଏ ଗ୍ରାମରୁ କାଲି ଅନ୍ୟ ଗ୍ରାମୁଁ

ଆସନ୍ତି ପ୍ରଜାମଣ୍ଡଳୀ,

ଖଣ୍ଟ କରେ ସର୍ବ ସମ୍ପଦ ସମର୍ପି

ନବାବେ ଜଣାନ୍ତି ଅଳି ।

ସିଂହଦ୍ୱାର ପାଶେ ‘ମଣିମା’ ’ମଣିମା’

ଡାକ ଶୁଭେ ଅନୁକ୍ଷଣ,

‘ହେଲୁଁ ସର୍ବସ୍ୱାନ୍ତ ରକ୍ଷା କର ପ୍ରଭୁ,

ନିବାରିଣ ଖଣ୍ଟଗଣ ।’

‘ନ ରହିବୁଁ ଆଉ ହୋଇ ତବ ପ୍ରଜା

ନ କରିବେ ଯଦି ରକ୍ଷା,

ଜାଣିଥାନ୍ତେ ଯେଉଁ କ୍ଳେଶ ଲଭିଲୁଣି

ଲୁଟି ହୋଇଥିଲେ କକ୍ଷା ।’

ବିକଳ ରୋଦନ ଶୁଣି ନରରାଣ

ହେଲେଣି ନିଜେ ଅସ୍ଥିର,

ଭାବନ୍ତି “ପ୍ରଜାଙ୍କୁ ଖଣ୍ଟ କବଳରୁ

ତାରିବି ପଠାଇ ବୀର ।

ନରେଶ୍ୱର ହୋଇ ଉନ୍ଧାର ନ କଲେ

ଡକାୟତକରୁଁ ପ୍ରଜା,

ପରମେଶ ପାଶେ ଦୋଷୀ ନ ହେବି କି

ଖଣ୍ଟଙ୍କୁ ନ ଦେଲେ ସଜା ?

ପ୍ରଜା ହିତ ଅର୍ଥେ ଭବେ ଜାତ ଭୂପ

ନରରୂପୀ ନାରାୟଣ,

ପ୍ରଜା ଦୁଃଖ କ୍ଳେଶ ହରଣ କାରଣେ

ନରେଶ୍ୱର କରେ ରଣ ।

ପ୍ରଜାହିତେ ଯେବେ ନ ଦେବି ଜୀବନ

ଜନ୍ମ କିପାଁ ରାଜକୁଳେ ?

ନ ଦେବେ କି ପ୍ରଜା ଅଭିଶାପ ମୋତେ

ମରିବା ଲାଗି ସମୂଳେ ?

ଡକାଇବି ଆଜି ମନ୍ତ୍ରୀଙ୍କୁ ନିକଟେ,

ଶାନ୍ତି ରକ୍ଷା ପାଇଁ ବାଟ

ରଚନା କରିବେ, କୌଣସି ଉପାୟେ

କରାଇବା ଖଣ୍ଟ କାଟ ।

ଏପରି ବିଚାରି ସୁବିଚାରବକ୍ତ

ନବାବ ପ୍ରଜାବତ୍ସଳ

ଡକାଇଲେ ଭୃତ୍ୟ ପଠାଇ ସଚିବେ,

ବିଚାରି ପ୍ରଜା-ମଙ୍ଗଳ ।

ଶିରେ ବହି ଦାସ ନରେଶ ଆଦେଶ

ସଚିବ ପାଶେ ପ୍ରବେଶି,

କପାଳେ ଆଙ୍ଗୁଳି ଦେଇ ଦଣ୍ଡବତ

ହେଲା ହେଉଁ ଭକ୍ତି ବେଶି ।

ଗୃହେ ବସି ମନ୍ତ୍ରୀ ଭାବୁଥିଲେ ମନେ

“କିପରି ଦେଶରେ ଶାନ୍ତି

ରକ୍ଷା ହେବ ଖଣ୍ଟ ଦମନ କରାଇ

ଦୂର କରି ପ୍ରଜା ଭ୍ରାନ୍ତି ।

ଛିନ୍ନ ଭିନ୍ନ କରି ଦେଉଛନ୍ତି ଦୁଷ୍ଟେ

ଦେଶ ମଧ୍ୟେ ନାନା ସ୍ଥାନ,

ପ୍ରତିଫଳ ତାଙ୍କୁ ନ ଦେଲେ କି ପ୍ରଜା

ପାଶୋରିବେ ଦୁଃଖମାନ ?

ଗାଳି ଦେଉଥିବେ ସର୍ବଦା ପ୍ରଜାଏ

ନବାବେ ମିଶାଇ ଯେତେ,

ପରିଷଦେ ସର୍ବ ପଡ଼ିବ ଅବଶ୍ୟ,

ମୁଁ ଅବା ସଚିବ କେତେ ?”

ଏହି ସମୟରେ ଜଣାଇଲା ଯାଇ

ରାଜ- ଆଜ୍ଞା ବାର୍ତ୍ତାବହ,

ଡକାଇଅଛନ୍ତି ହେବାରୁ ଶ୍ରୀଛାମୁ

ପ୍ରଜାଙ୍କ ଦୁଃଖ ଦୁଃସହ ।”

‘ଚାଲ’ ବୋଲି ମନ୍ତ୍ରୀ ଉଠିଲେ ଆସ୍ଥାନୁଁ

ଗମିଲେ ରାଜନ-କକ୍ଷେ

ପଥେ ଦେଖି ଶୁଣି ପ୍ରଜା କଲବଲ,

ଅସହ୍ୟ ଯା ହୃଦ ପକ୍ଷେ ।

କାନ୍ଦି କହେ କେ ‘ମୋ ସନ୍ତାନ ମରିଛି

କପାଳ ଫଟାଇ ମୋର,’

ରମଣୀ କେ କହେ ‘ଶୋକାର୍ଣ୍ଣବେ ମୋତେ

ପେଲି ମଲେ ହୃଦଚୋର ।’

ମହାଜନ କେହି କହେ ମନ୍ତ୍ରିବରେ

ଧନ ଲୁଟି ଯିବା କଥା,

ହୋଇଥିଲା ଯେତେ ବଳ କଳ ଯୋଗ

ଯେତେ କଟିଥିଲା ମଥା ।

ଜମିଦାର କେହି କହେ ‘ମହାଶୟ,

ଦଳବେହେରାଏ କାଲି

ଏକା ଏକା ଥରେ ପ୍ରାଣ ବିସର୍ଜିଲେ,

ଅମାର ହେଲା ମୋ ଖାଲି ।

ଭୟେ କହିଦେଲି ଗୁପ୍ତ ଧନ ଯେତେ

ଥିଲା ମୋର ଆଖି ତଳେ,

କୁଟୁମ୍ବ ରକ୍ଷଣେ ଗୋଡ଼ତଳେ ପଡ଼ି

ସମ୍ପଦ ଦେଲି ବଦଳେ ।’

କେତେ ଯେ ଆପତ୍ତି ଶୁଣିଲେ ସଚିବ

କରିବ କେ ତା ସୁମାରି ?

ଦେଖିଲେ ହିଁ କେତେ ନରନାରୀ କାନ୍ଦି

ନୟନୁ ବୁହାନ୍ତି ବାରି ।

ସର୍ବେ ଦେଇ ବୋଧ ଆଶ୍ୱାସ ବଚନେ

ବଙ୍ଗ ନବାବଙ୍କ ପାଶେ

ପହୁଞ୍ଚି କପାଳେ ଲଗାଇଲେ କର

ପ୍ରଣମି ଜନନୀ-ଭାଷେ ।

ଆଦରେ ଆସନେ ବସାଇ ବଙ୍ଗେଶ

ସଚିବେ ଭାଷିଲେ ଧୀରେ,

“ଦେଖ ମନ୍ତ୍ରିବର, ଭାସିଲାଣି ରାଜ୍ୟ

ପରଜାଙ୍କ ନେତ୍ରନୀରେ ।

ବିପଦ-ସାଗରେ ମଗ୍ନ ଦେଶବାସୀ

ଡକାୟତ ଅତ୍ୟାଚାରେ,

ପ୍ରତିଦିନ କେତେ ଶିରେ କର ମାରି

ଗୁହାରି କରନ୍ତି ଦ୍ୱାରେ ।

କିପରି ଏ ଦୁଃଖ ଦୂର ହେବ ତାର

କରିବା ଲାଗି ବ୍ୟବସ୍ଥା

ଡକାଇଲି, ମଧ୍ୟ ଦେଖୁଥିବ ନିଜେ

ପ୍ରଜାବର୍ଗ ଦୁରବସ୍ଥା ।”

ଉତ୍ତରିଲେ ମନ୍ତ୍ରୀ “ଗ୍ରାମେ ଗ୍ରାମେ ରାତ୍ରେ

ସୈନିକେ ଦେଇ ପହରା,

ଦଳ କେତେ ଧରି ଆଣିଲେ ସହଜେ

ସକଳେ ପଡ଼ିବେ ଧରା ।

ଚତୁର୍ଦ୍ଦିଗେ ଘେରି ସୀମାନ୍ତ ପ୍ରଦେଶେ

ଅସ୍ତ୍ର ଧରି ସୈନ୍ୟଗଣ

ଲୁଚି ରହିଥିବେ, ଖଣ୍ଟେ ଆକ୍ରମିଲେ

କରିବେ ଗୁଳି ବର୍ଷଣ ।

ପ୍ରାଣ ବିସର୍ଜିବେ ଖଣ୍ଟେ ସେନା ହାତେ,

କେହି ଅବା ଧରା ପଡ଼ି

ବେଡ଼ି ପିନ୍ଧି ସତ୍ୟ କହିବେ କୋରଡ଼ା-

ମାଡ଼ ଖାଇ ଘଡ଼ି ଘଡ଼ି ।”

ମନ୍ତ୍ରୀ ମନ୍ତ୍ରଣାରେ କରି ଅଙ୍ଗୀକାର

ଧର୍ମବୀର ବଙ୍ଗେଶ୍ୱର,

ଆଦେଶିଲେ ସେନା- ନାୟକେ “ଏକ୍ଷଣି

ସୈନ୍ୟ ଚାଳ ବହୁତର ।

ବନ ଜନପଦ ସୀମାନ୍ତ ପ୍ରଦେଶ

ନଗର ବନ୍ଦର ଗ୍ରାମେ

ସର୍ବତ୍ର ଯେପରି ସୈନ୍ୟେ ଥିବେ ଘେରି

ଦିବାନିଶି ଅଷ୍ଟଯାମେ ।”

ପରାମର୍ଶ ଅନ୍ତେ ଚଳିଲେ ସକଳେ,

ବନ୍ଦି ବଙ୍ଗାଧିପ ପଦ,

ନିଜ ନିଜ ବାସେ କର୍ତ୍ତବ୍ୟ ସାଧନେ,

ଜିଣିବେ ଭାବି ବିପଦ ।

ଏଣେ ସେନାପତି ଶିବିରକୁ ଯାଇ

ଠୁଳ କରି ସୈନ୍ୟଗଣେ,

ପରାମର୍ଶ ମତେ ଦଳଦଳ କରି

ପେଷିଲେ ଖଣ୍ଟ ମାରଣେ ।

Image

 

ଉତ୍ପାତ

 

ହର୍ଷରସାପ୍ଳୁତ ପ୍ରାଚୀ-ଦିଗଙ୍ଗନା

ପାଟଳ ଗଣ୍ଡମଣ୍ଡଳ

ଦେଖାଇ ଦେଉଛି ନିଶା ଶେଷେ ଦିଶି

ରବିକରେ ସମୁଜ୍ଜ୍ୱଳ ।

ମିସ୍ରକଣିକା ରାଶି ରାଶି ହୋଇ

ଘେରିଥିଲା ଦଶଦିଶ,

ଓଳାଉଛି କ୍ରମେ ସୁଦୀର୍ଘ କିରଣ-

ମାର୍ଜନୀରେ ନଳିନୀଶ ।

କୋଳାହଳ କରି ବିହଙ୍ଗମଦଳ

ଛାଡ଼ି ନୀଡ଼ ବିହାୟସେ

ଉଡ଼ି ବୁଲିଲେଣି ତମ-ବିପଦରୁ

ଉଦ୍ଧାର ଲଭି ହରଷେ ।

ପୁଷ୍ପିତ ଶ୍ୟାମଳ- ତୃଣକ୍ଷେତ୍ର ସମ

ଦିଶନ୍ତି ବିହଙ୍ଗଦଳ,

ଶ୍ୟାମା ଶୁକ ସାରୀ ଭଦଭଦଳିଆ

କପୋତାଦି ଅବିକଳ ।

ପ୍ରଫୁଲ୍ଲ କୁସୁମ ସୁବାସକୁ ଆଣି

ବାଣ୍ଟିଲାଣି ଗନ୍ଧବହ,

ପରଧନ ଦାନେ ଦାନୀ ହେବା ଜନ

ମିଳଇ ଭବେ ପ୍ରତ୍ୟହ ।

ଏକେ ମଧୁଋତୁ ଉଷା ସମୀରଣ

ମଳୟ ସୌରଭେ ଭରା,

ତହିଁ ପୁଷ୍ପବାସ ମିଶି କାମୁକକୁ

କ୍ଷଣେ କରେ ଆତ୍ମହରା ।

ଗୁଣୁ ଗୁଣୁ ସ୍ୱନେ ମଧୁମକ୍ଷିଗଣ

ସୁମନୁଁ ସୁମନେ ଉଡ଼ି,

ଗାଇଲେଣି ବିଭୁ ନାମ ଉଷା କାଳେ

ମକରନ୍ଦାମୃତେ ବୁଡ଼ି ।

ସ୍ମରଶରେ ବିଦ୍ଧ ସୁନୀଳ ଭ୍ରମର

ହତବୁଦ୍ଧି ହୋଇ ଅଳି

କରେ ପୁଷ୍ପ ପାଶେ ଦୀର୍ଘ ଭୁଁ ଉଁ ସ୍ୱରେ

କେବେ କୁସୁମରେ ଗଳି ।

ରଥାଙ୍ଗ ମିଥୁନ ମିଳନ ହେଲାଣି

ଚିତ୍ରଭାନୁ ସନ୍ଦର୍ଶନେ,

ଢାଳିଲାଣି ତାନ ପଞ୍ଚମ କୋକିଳ

ମନ୍ଦୁଁକ୍ରମେ ଉଚ୍ଚ ସ୍ୱନେ ।

ଫାଟିଗଲା ପରି ଜଣାଯାଏ ସ୍ୱର-

ଲହରୀ ଶେଷକୁ କଣ୍ଠ,

ମାତ୍ର ପୁନର୍ବାର ଆରମ୍ଭଇ ହରା

ପୂର୍ବପରି କୁହୁ କଣ୍ଠ ।

ଯମୁନାକୁ ସ୍ନାନ କରଣେ ଗମନ୍ତି

ମଥୁରା- ବଧୂଏ ମିଳି,

ଶିରେ କାଖେ ହାତେ ଶୂନ୍ୟ ଘଟ ଧରି

ମୁଖେ ବସ୍ତ୍ର-ଦ୍ୱାର କିଳି ।

କାଳିନ୍ଦୀ-କୂଳରେ କଦମ୍ବ ମୂଳରେ

ରୁଣ୍ଡ ହୋଇ ବାଳାଗଣ

ଗଳ୍ପ କରୁଛନ୍ତି ଗତ ରାତ୍ରି ରତି

ବିଷୟରେ ଜଣୁଁ ଜଣ ।

ସ୍ୱାଭାବିକ ନାରୀ ଜାତି ଲଜ୍ଜାଶୀଳା

ହେଲେହେଁ ରମଣୀ ଦଳେ

ନିର୍ଲଜ୍ଜ ପରାୟ ଆଳାପନ୍ତି ଯଥା

ଯୁବକ ଯୁବା ମଣ୍ଡଳେ ।

ନୀଳ ଜଳେ ନାବ ଚାଳଇ ନାବିକ

ନ କରି ଦନ୍ତ ମାର୍ଜନ,

ନାରୀ-ହୃଦ-ଚୋର ଗୋପାଳ କିଶୋର’

ସଙ୍ଗୀତ କରି ଗାୟନ ।

ତରଙ୍ଗ-ଦୋଳାରେ ଟଳମଳ ତରୀ

ନୀଳ ନଭେ ମେଘ ପରି,

ନିଜେ ଖେଳି ଦୋଳି, ଖେଳାଉଛି ସଦା

ଆରୋହୀଙ୍କୁ କୋଳେ ଧରି ।

ତୀର-ବନ-ଲକ୍ଷ୍ମୀ ମୁଖ-ପ୍ରତିବିମ୍ବ

ଯମୁନା-ଜଳ-ମୁକୁରେ

ଦୋଳିଖେଳରତ ତରଙ୍ଗ ସଙ୍ଗତେ

ନଚାଏ ନିଜ ଚିକୁରେ ।

ଚକ୍ରବାକ ପନ୍ତି ଗଳଦେଶ ଦିଶେ

ରବିକରେ ମନୋହର

ସଲିଳ ସୀମାନ୍ତେ, ଶମ୍ପାରେଖା ଯଥା

ପର୍ବତ-ଶିରେ ସୁନ୍ଦର ।

ପାଳିତ ମରାଳ ଗର୍ବେ ଗ୍ରୀବା ଟେକି

ସଙ୍ଗିନୀକୁ ସଙ୍ଗେ ଧରି

ମଣ୍ଡଳ-ଆକୃତି ହଂସଦଳ ଅଗ୍ରେ

ଜଳେ ଚଳେ ରବ କରି ।

ନୂପୁର-ନିସ୍ୱନେ ନିର୍ଭୟେ ସାରସେ

ଅନୁସରି ରାଜହଂସେ

ଗମନ୍ତି ଯେସନ ପରିଷଦଦଳ

ନୃପପୃଷ୍ଠେ ସୁସାହସେ ।

ଶୁଭିଲାଣି କୂଳ- କାନନେ ନାଗରୀ

ଡାହୁକ ଡାକରା ଛଳେ,

ବିମଳ ପ୍ରଭାତ ହେଲା ଉପସ୍ଥିତ

କର୍ତ୍ତବ୍ୟ ସାଧ ସକଳେ ।’

ବହୁପରିବାର- ପୂର୍ଣ୍ଣ ଦଳବଦ୍ଧ

ଗୈରିକମୁଖ ମର୍କଟ

ବାଲୁକା ପର୍ବତ ତେଜି ଆସିଲେଣି

କୁଁକାର କରି’ ଉତ୍କଟ ।

ବାନର ଶାବକେ ମାତା କ୍ରୋଡ଼ ଛାଡ଼ି

ଡେଇଁ ଡେଇଁ ନାନା କ୍ରୀଡ଼ା

କରୁଛନ୍ତି ଡାଳେ ଓହଳି କେବେ ବା

ପଛ ପଦେ ହୋଇ ଛିଡ଼ା ।

ଜଳେ କିବା ସ୍ଥଳେ ସର୍ବେ ପୁଲକିତ

ଦେଖି ଉଷା ଆଗମନ

ପାପମୁକ୍ତ ଆତ୍ମା ପ୍ରଫୁଲ୍ଲିତ ଯଥା

ଲଭିଲେ ବିଭୁ ଦର୍ଶନ ।

ଏକାଳେ ସହସା ବନଚର ଜୀବେ

ଧାଇଁବାରୁ ଭୟାତୁରେ

ଜଣାଗଲା କେହି ଶିକାରୀ କାନନେ

ଶିକାର କରେ ଅଦୂରେ ।

ମାତ୍ର ଏ ଧାରଣା ଭ୍ରମପୂର୍ଣ୍ଣ ବୋଲି

ଅଳ୍ପ କ୍ଷଣେ ହେଲା ଜ୍ଞାନ,

ଦେଖାଗଲା ଦୂରେ       ରଣଯାତ୍ରିଗଣ

ଉଡ଼ାନ୍ତି ଊର୍ଦ୍ଧ୍ୱେ ନିଶାଣ ।

ସମୁଦ୍ର ଲହରୀ ପରି ମାଡ଼ି ଆସେ

ରାଜପୁତ-ସୈନ୍ୟଶ୍ରେଣୀ,

ସୁଶୁଭ୍ର ତରଙ୍ଗ- ଚୂଡ଼ା ସମ ଶୋଭେ

ଶସ୍ତ୍ର ଶିରସ୍ତ୍ରାଣ ବେନି ।

ସର୍ବେ ଅଶ୍ୱାରୋହୀ ଅତି ଦ୍ରୁତଗାମୀ

କରନ୍ତେ ତ୍ୱରା ଧାବନ,

ପୃଷ୍ଠଭାଗେ ଧାଇଁ ସିନ୍ଧୁ ଘୁ-ଘୁ ସମ

ଉଦ୍ଗାରେ ଶବ୍ଦ ପବନ ।

ରଣତୁରୀ ସ୍ୱର ଶୁଭେ ବେଳେ ବେଳେ

ଚମକାଇ ବୀରବୃନ୍ଦ,

ଶୁଣି ଭାବେ ଦେଶ ପେଷିବ କି ବଜ୍ର

ବରଷା ବିନା ଅମ୍ବୁଦ ?

ଜାଳି ଦେଇଯିବେ ଘରଦ୍ୱାର ଅବା

ହାଣି ଦେଇଯିବେ ମୁଣ୍ଡ,

କିବା ଧନ ଦ୍ରବ୍ୟ ଲୁଟିକରି ନେଇ

ଭଣ୍ଡାରେ କରିବେ ରୁଣ୍ଡ ।’

କେଉଁ ରାଜ୍ୟ ହେଲେ କରିବେ ଅଧୀନ

ନୋହିଲେ ମରିବେ ରଣେ,

ମଲେ ମଧ୍ୟ ଏକ ଦେଶ ମସ୍ତକରେ

ବଜ୍ର ପଡ଼େ ଅକାରଣେ ।’

ଆଜି ଏ ସୈନିକେ ଚାହୁଁ ଚାହୁଁ ଗୁଳି

ବର୍ଷିଲେ ମଥୁରା ପ୍ରତି,

କିଏ କେଉଁ ପଥେ ପଳାଇଲେ କେହି

ଏକାବେଳେ କାଳ କତି ।

ଜୟ ଶବ୍ଦ ଡାପଡ଼ିଗଲା ସେନା-

ମଣ୍ଡଳରେ ଘୋରତର,

ଜୟ ସତ୍ୟପାଳ ଭରତ-ପୁରେଶ

ଜୟ ଜୟ ଜାଠେଶ୍ୱର ।

ସେତେବେଳେ ଥିଲା ମଥୁରା ମୋଗଲ

ଅଧିକାରେ ବୋଲି ଜନେ

ଜାଣିଗଲେ ରଣ ଆରମ୍ଭିଲା ଜାଠ-

ନୃପତି ମୋଗଲ ସନେ ।

କେହି ସୁଚତୁର ମଥୁରାନିବାସୀ

‘ଜୟ ଜାଠପତି’ କହି

ଉଦ୍ଧରିଲେ ସୁଦ୍ଧା ଘରଖଣ୍ଡି ଅଗ୍ନି-

କୋପୁଁ ବଳି ନାହିଁ ରହି ।

ଅଧିକୃତ ହେଲା ମଥୁରାନଗରୀ,

ନାଗରିକ-ଶୂନ୍ୟ ଆଜି,

ଜାଠେଶ୍ୱର ପୋଷା- ବୀରବର୍ଗେ ସର୍ବ

ସାଇରେ ଅଛନ୍ତି ରାଜି ।

ପଞ୍ଝା ପଞ୍ଝା ହୋଇ ସ୍ଥାନେ ସ୍ଥାନେ ରୁଣ୍ଡ

ହୋଇଛନ୍ତି ଜାଠବୀରେ,

ଭକ୍ଷଣ କରନ୍ତି ରୁଟି ଫଳ ମୂଳ

ଦେଖାଇ ଜ୍ୱଳନ୍ତାଗ୍ନିରେ ।

କୌଣସି ଦଳରେ ପଡ଼ିଛି ଚହଳ

‘ମିଳିଲା କି ଶ୍ରେଷ୍ଠ ଦ୍ରବ୍ୟ ?’

ମୋତିଖଞ୍ଜା ପେଡ଼ି ଦୁଇଟି ମିଳିଛି

ଚକ୍ଷୁ ପକ୍ଷେ ଯାହା ନବ୍ୟ ।’

ସୁକୁମାର-ଅଙ୍ଗୀ ବୀରବର କେହି

ତିଆରେ କାକରା କ୍ଷିରୀ,

କେ ବା ଟଙ୍କା ସୁନା ସୁମାରି କରଇ

ସିନ୍ଦୁକଗୁଡ଼ାକ ଚୀରି ।

କେତେ ରଙ୍ଗ କିଏ କରି ସେ ନଗରେ

ରହିଲେ ଦିବା ରଜନୀ,

ତତ୍ପର ପ୍ରତ୍ୟୁଷେ ଚଳିଲେ ଉତ୍ତରେ

କରି ଘୋର ଜୟଧ୍ୱନି ।

Image

 

ସମର

 

ଭାଗୀରଥୀ ତୀରେ ଲାଗିଛି ସମର

ହିନ୍ଦୁ ଯବନର ମଧ୍ୟେ,

ଯୁଝନ୍ତି ବେନିଏ କରି ଦୃଢ଼ ପଣ

ଏକ ଅପରର ବଧେ ।

ଜୁରକାରୀ ଦଳ ଯାଇଥିଲେ ବଙ୍ଗ-

ନବାବ ରାଜ୍ୟ ଲୁଣ୍ଠନେ

ବାଧ୍ୟ ହେଲେ ରଣ କରିବାକୁ ଆଜି

ଯବନର ଆକ୍ରମଣେ ।

ଭାବିଥିଲେ ଲୁଟି ଫେରିଯିବେ ବିନା-

ରକ୍ତପାତେ ଆର୍ଯ୍ୟବୀରେ,

ବାଧା ପାଇବାରୁ ଶତ୍ରୁ ସୈନ୍ୟ ଯୋଗେ

ଯୁଦ୍ଧ କଲେ ଗଙ୍ଗାତୀରେ ।

ଚୋର ଖଣ୍ଟଙ୍କର ଲକ୍ଷଣ ଏ ସଦା

ପାଇଲେ ପ୍ରତିବନ୍ଧକ

ପ୍ରାଣ ଥିବାଯାଏ ସମର ନ କଲେ

ନୁହନ୍ତି ନତମସ୍ତକ ।

ବରଷାସୂଚକ ଜନ୍ଦାଧାଡ଼ି ପରି

ଜାହ୍ନବୀରେ ପୋତପନ୍ତି

‘ଭବାନୀ’ ଚିହ୍ନିତ ପତାକା ଉଡ଼ାଇ

ସିନ୍ଧୁ ଦିଗୁଁ ଆସୁଛନ୍ତି ।

ଅନ୍ୟ ଦିଗେ ମଧ୍ୟ ସ୍ଥଳପଥେ ବହୁ

ମୁସଲମାନ ସୈନିକ

ଆସନ୍ତି କେତନ ଟେକି ରଣବାଦ୍ୟେ

ପ୍ରକମ୍ପାଇ ଚତୁର୍ଦ୍ଦିକ ।

କେତେ ଅଶ୍ୱାରୋହୀ ପଦାତି ଧାବନ୍ତି

ଗଙ୍ଗାକୂଳ ରଣାଙ୍ଗନେ

ସେନାନୀ ସମର- ତୁରୀସ୍ୱନାଦେଶେ

ଅରାତି ପ୍ରାଣନାଶନେ ।

‘ଜୟ ବଙ୍ଗେଶ୍ୱର’ ଧ୍ୱନି ଶୁଭେ କାହିଁ

‘ଜୟ ଭବାନୀ’ କେ ସ୍ଥାନେ,

କାହିଁ ନାଳିକାସ୍ତ୍ର ଶବ୍ଦେ କମ୍ପେ ଧରା

କାହିଁ ଶସ୍ତ୍ର ଝନଝାନେ ।

କାହିଁ ରେରେକାର ଗର୍ଜନ ହୁଙ୍କାର

ଧର ଧର ମାର ମାର,

କାହିଁ ତୁରଙ୍ଗମ ଧାବନେ ଶୁଭଇ

ଟପ ଶଦ୍ଦ ବାରମ୍ବାର ।

କୁଳୁ କୁଳୁ ରବେ ଗଙ୍ଗା ମଧ୍ୟ ତହିଁ

ମିଶାଇ ରଣେ ଗର୍ଜନ,

କହେ ”ବୀରେ କେହୁ ସମରେ ଜିଣିବ

ଦେଖୁଛି ମୁଁ ମଧ୍ୟଜନ ।

କେତେ କେତେ ରଣ ଦେଖିଲିଣି ମୁହିଁ

ଜହ୍ନୁ ଅଙ୍ଗୁ ଜନ୍ମ ଦିନୁଁ,

କିଏ ବା ତାହାର ଇୟତ୍ତା କରିବ

ମୋହ ତୀର, ମୋହ ବିନୁଁ ?

ଅଙ୍ଗ ପୁଷ୍ଟି ସାଧେ ବେନି ପାର୍ଶ୍ୱ ତଟ

ନର ରକ୍ତ-ମେଦ-ମାଂସେ

ମୁହିଁ ଯାଇ ନଭେ ଭ୍ରମି, ବର୍ଷାରୂପେ

ତହିଁ ବହି ଘେନି ଆସେ ।

ଶୋଷିନିଏ ଯାହା ଶବରାଶି ରସ

ତୀରଭୂମି ଅଭ୍ୟନ୍ତର,

ମୁହିଁ ପଶି ତହିଁ ପ୍ରସ୍ରବଣ ହୋଇ

ଆଣଇ ତାହା ସତ୍ୱର ।

ପାତାଳ ପର୍ଯ୍ୟନ୍ତ ଯାଇଥାଏ ଯେତେ

ମୃତ-ଅଙ୍ଗ-ରସାବଳି,

ଭୋଗବତୀ ନାମେ ତହିଁ ବହି ଆଣେ

ସେ ସକଳ ତଟେ ଛଳି ।

ଜାଣିପାରେ ଯେବେ କୂଳଭୂମି ମୋର

ଶରୀର ତା ରସେ ଭରା,

ଗାଳି ଦେଇ ମୋତେ ଅତଡ଼ା ଛଳରେ

ଟେକା ମାରେ ତୀର ତ୍ୱରା ।

ସେ ଟେଳା ପ୍ରହାର ହୁଏ ଅନୁକୂଳ

ମୋହ ପ୍ରତି ମୁହିଁ ଜାଣେ,

ବିସ୍ତାର ଲଭିବି ବିଚାରି ସେ ଟେକା-

ଗୁଡ଼ିକ ଗୋଟାଇ ଆଣେ ।

ଅଧିକ ବିରକ୍ତ ହୋଇ ଚିର ଶତ୍ରୁ

ପୁନଶ୍ଚ ଟେଳା ପ୍ରହାରେ,

ମୁହିଁ ମଧ୍ୟ ତାକୁ ରଗାଇବା ପାଇଁ

ତରଙ୍ଗେ ନିର୍ଘାତେ ମାରେ ।

ପ୍ରତ୍ୟହ ହାରଇ ତଥାପି ମାରଇ

ଖାଏ ମୋହଠାରୁ ମାଡ଼,

ମୁହିଁ ହୁଏ ସ୍ଥୂଳ, ସେ ହୁଏ ସୁକ୍ଷୀଣ

ଦେଇ ଖଣ୍ଡେ ଖଣ୍ଡେ ହାଡ଼ ।

ଆମ୍ଭ କଳିର ହିଁ ସାକ୍ଷୀ ଅଟେ କାଳ

ସର୍ବଦର୍ଶୀ ସୃଷ୍ଟିର ଯେ,

ଯେପରି ମୁଁ ତୁମ୍ଭ ସମର ଦେଖୁଛି

ଜନ୍ମଦିନୁଁ ମହାମଜ୍ଜେ ।

ସର୍ବତ୍ର କଳିରେ ଥାଏ ଜଣେ କେହି

ମୀମାଂସକ ସର୍ବକାଳେ,

କାହିଁ ହେଲେ କେହି ନ ଥିଲେ ଥାଆନ୍ତି

ଆଦ୍ୟାଶକ୍ତି ଆଢ଼ୁ ଆଳେ ।

ଭବିଷ୍ୟତ ଚିତ୍ର ନ ଦେଖିଛି ମୁହିଁ

ଦେଖିଛି ଅତୀତ ଚିତ୍ର,

ଗଣିଅଛି ବୀରେ ! ତୁମ୍ଭ ପ୍ରାୟ କେତେ

ମୋ ଜଳେ ହେଲେ ପବିତ୍ର ।

ତୁମ୍ଭେ ସିନା ଆଜି ସମରେ ମରୁଛ,

କିଏ କେତେ ପରକାରେ

ମରିଛନ୍ତି କେତେ ଜାତିରେ ମାନବେ

ମୁହିଁ ତାହା କହିପାରେ ।

ଏକା ଆର୍ଯ୍ୟ କେତେ ଜାତିରେ ବଦଳି

ସୂର୍ଯ୍ୟ ଚନ୍ଦ୍ର ଆଦି ବଂଶେ

ନାନା ଶାଖାକୁଳ ସୃଷ୍ଟି କରି ଜାଣେ

କିପରି ମଲେ ନିରଂଶେ ।

ମୋ ଭଗିନୀ କାଳ- ସ୍ରୋତସ୍ୱତୀ ଠାରୁ

ଶୁଣିଛି ମୁଁ ସେହି ଆର୍ଯ୍ୟେ

କାଷ୍ପିଆନ ଠାରୁ ଯାଇଥିଲେ ଭିନ୍ନ

ଦିଗକୁ ବିଭିନ୍ନ କାର୍ଯ୍ୟେ ।

ତାହାରି ବଳରେ କିଛି କାଳ ପରେ

ସେ ଆର୍ଯ୍ୟ କଲା ପ୍ରସାର

ହିନ୍ଦୁ ବୌଦ୍ଧ ଜୈନ ଶିଖ ଖ୍ରୀଷ୍ଟିୟାନ

ଯବନାଦି ଜାତି ବାର ।

ଏକ ମାତା ରକ୍ତୁଁ ସକଳେ ଜନମ,

ସରବେ ହିସାବେ ଭ୍ରାତା,

ସମସ୍ତେ ତ ମଲେ ଏକତ୍ର ମିଳିବେ

ଜାଣନ୍ତି ତା ଆଦିମାତା ।

ବୃଥାରେ କଳହ ଲଗାଉଛ ଆଜି

ଭାଇ ଭାଇ ମଧ୍ୟେ ଯୋଧେ !

ହଣାହଣି ହେଉ- ଅଛ ପରସ୍ପରେ,

ମରାମରି ମହାକ୍ରୋଧେ ।

କ୍ରୋଧାଧୀନ ହୋଇ କରୁଛ ସମର

ସ୍ୱକୀୟ ବାକ୍ୟ ରକ୍ଷଣେ,

ଚାଲି ନ ଯିବ କି ସେହି କ୍ରୋଧ ତୁମ୍ଭେ

ମରିବ ଯେକାଳେ ରଣେ ?

କ୍ରୋଧ ଅଟେ ତୁମ୍ଭ ଦୁହିଁଙ୍କ ବଇରୀ

ବେନି ହୃଦ ଅଧିକାରୀ,

ମରାଉଛି ରହି ଗୋପନେ ହୃଦୟେ

ତୁମ୍ଭେ ହିଁ ଶସ୍ତ୍ର ତାହାରି ।

ଆଦ୍ୟେ ତାହା ସଙ୍ଗେ କର ଘୋର ରଣ

ଦେଖାଇ ବଳ ବିକ୍ରମ,

ହୃଦୁଁ ତଡ଼ି ତାକୁ ସାମ୍ୟନୀତି ମନ୍ତ୍ର

ଜପି ଭୁଲ ଜାତି ଭ୍ରମ ।”

କହିଗଲେ ଯେତେ କୂଳୁ ରବେ ଗଙ୍ଗା

ନ ଶୁଣନ୍ତି ବୀରେ ତିଳେ,

ରଣମଦେ ମତ୍ତ ଏକ ଦଳ ଅନ୍ୟ

ଦଳ ନିକଟରେ ମିଳେ ।

ଭବାନୀ ସୈନିକେ       ହିନ୍ଦୁ ଅରି ଭାବି

ମାରନ୍ତି ଯବନଗଣେ,

ଜୁରକାରୀ ଦଳ ବିଚାରି ଯବନେ

ଧାବନ୍ତି ହିନ୍ତୁ ମାରଣେ ।

କେଉଁ ରାଜ୍ୟେଶ୍ୱରୀ ଅଟନ୍ତି ଭବାନୀ

ନ ଜାଣନ୍ତି ବଙ୍ଗାଧିପ,

ଭାବନ୍ତି “ଏ ଅଟେ ଖଣ୍ଟାଧିନାୟିକା

ଖଣ୍ଟ-ରାଜ୍ୟେ ଏହି ଦୀପ ।”

ପୁଣି ବିଚାରନ୍ତି “ରାଣୀ ନୁହେଁ ଯେବେ

କାହୁଁ ଆଣି ଏତେ ବୀର

ଜମା କଲା, ଯାହା ଡରେ ତା ଚରଣେ

ଧରା ଲଗାଇବ ଶିର ।

ଯେଉଁ ସୈନ୍ୟ ବଳେ ପୃଥିବୀ ବିଜୟ

କରିପାରେ ଖଣ୍ଟରାଣୀ,

ଅଧୀଶ୍ୱରୀ ନୋହି କାହିଁ ରଖିଥିଲା,

ରୁଣ୍ଡ କଲା ଏବେ ଆଣି ।

ଭବାନୀ ନାମରେ ନାମିତ ଯେଣୁ ସେ

ସମ୍ଭବ ହିନ୍ଦୁ-ଲଲନା,

ହିନ୍ଦୁ ମୋକ୍ଷଦାତ୍ରୀ ମାହେଶ୍ୱରୀ ଆଖ୍ୟା

ଅନ୍ୟ ଜାତି ପକ୍ଷେ ମନା ।

ଆର୍ଯ୍ୟ ବ୍ୟତିରେକେ ହୈମବତୀ ନାମେ

ଆଖ୍ୟାତ ନୁହେ ମାନବୀ,

ଯୁକ୍ତିଯୁକ୍ତ ସିନା ଆର୍ଯ୍ୟବାଳା ପକ୍ଷେ

ବହିବା ଏହି ପଦବୀ ।

ଡକାୟତ ରାଣୀ ହେତୁ ଅବା ସେହି

କପଟ ନାମେ ବିଦିତା,

ଆଜି ଏ ସମରେ ଭବାନୀ, କାଲିକୁ

ଅନ୍ୟେ ହେବ ପରିଚିତା ।

ଡକାୟତି ଯାର ଅଟଇ ଜୀବିକା,

ସ୍ୱଭାବେ ସେ ବହୁବେଶୀ,

ଏକ ଦିନେ ଯେଉଁ ରୂପ ଦେଖାଇବ

ଅନ୍ୟ ଦିନେ ତା ବିଦ୍ୱେଷୀ ।

କିପରି ବା ଏବେ କରିବି ନିଶ୍ଚୟ

କି କୁଳେ ଜାତ ଏ ନାରୀ,

କେଉଁ ଅଭିପ୍ରାୟେ ଜୁର କରୁ କରୁ

ଯୁଝିଲା ମୋତେ ହକାରି ।

ସେନାପତି ତାଅଟେ ରଘୁବୀର,

ସର୍ବ ଶିରେ ଭସ୍ମ ଗାର,

ସତେ କି ଏ ହିନ୍ଦୁ ? ଅବା ଛଦ୍ମବେଶୀ

ସମୁଦ୍ରୁଁ ହେଲେ ବାହାର ।

କେଉଁ ଦେଶବାସୀ ଅଟେ ଏ ଭବାନୀ,

କେଉଁ ଅଭିଳାଷେ ରଣ

କରେ ମୋହ ସଙ୍ଗେ ଜୁର କରି ଆସି

ସୈନ୍ୟ ଆଣି ଅକଳନ ।

ସାଗର ବକ୍ଷରୁ ଆସୁଛନ୍ତି ସୈନ୍ୟେ

ପ୍ରତି ମୁହୂର୍ତ୍ତରେ ପୋତେ,

ଏହାଙ୍କୁ ଜିଣିବା ଅଟେ ଅସମ୍ଭବ,

ଭସାଇବେ କାଳ-ସ୍ରୋତେ ।

କାହିଁକି ସମର କରିବି ତା ସଙ୍ଗେ,

ଜିଣିବା ନୁହେଁ ସମ୍ଭବ,

ସ୍ରୋତ ଗତି ରୋଧ ବାଲୁକାର ବନ୍ଧ-

ଦ୍ୱାରା ଅତି ଅସମ୍ଭବ ।

ସର୍ବଗ୍ରାସୀ ଦାବ- ଅନଳେ ନିଭାଇ

ପାରେ କି ଗିରି ନିର୍ଝର ?

ସବିଦ୍ୟୁତ ବୃଷ୍ଟି ବାତାବର୍ତ୍ତ କେବେ

ଛତ୍ରେ କି କରେ ଖାତର ?

ଆତ୍ମସମର୍ପଣ କରିବି ମୁଁ ଯାଇ

ଖଣ୍ଟ ଅଧୀଶ୍ୱରୀ ପାଶ,

ନେଇ କିଛି ଅର୍ଥ ଫେରିଯିବେ ସେହି

ନ ଇଚ୍ଛି ମୋ ଦେଶ ଗ୍ରାସ ।”

Image

 

ବିଦ୍ରୋହ

 

ମଥୁରାନିବାସୀ ଚାର କେହି ଆସି

ଭାଷିଲା ଦିଲ୍ଲୀସମ୍ରାଟେ

“ଛାମୁ ! କି ବୋଲିବି, ମଥୁରାନଗରୀ

ଆକ୍ରମିଲେ ଜାଠରାଟେ ।

ଗୋପାଳ-ପ୍ରଧାନ ମଥୁରାସହର

ଜାଠେ କଲେ ଆଜି ଧ୍ୱଂସ,

ବ୍ୟାକୁଳେ ସକଳେ ପଳାଇଲେ ଯଥା

ନକ୍ର ଆକ୍ରମଣେ ହଂସ ।

ଭାନୁଦୟ କାଳେ ଚାରି ପାଶେ ଘେରି

ବର୍ଷିଲେ ବନ୍ଧୁକଗୁଳା

ଦୀନ କରିବାକୁ ମଥୁରାବାସୀଙ୍କୁ

ଅକାଳେ ଦୁଷ୍ଟେ ଅକୁଳା ।

ହେଲା ଅଧିକୃତ ଅକ୍ଳେଶେ ନଗରୀ,

ନାଗରିକେ ହେଲେ ଦୂର,

କି ବିଚାରି ମନେ ପକାଇଲା କ୍ରୂର

ମଥୁରା ଶିରେ ଭିଦୁର ।

ଦିନେ ରହି ତହିଁ, ତତ୍ପର ପ୍ରଭାତେ

ଉତ୍ତରକୁ କଲେ ଗତି,

ସମ୍ବାଦ ପ୍ରଦାନେ ଆସିଲି ମୁଁ ଧାଇଁ

ଏକା ଛାମୁ ତବ କତି ।

କାଳିନ୍ଦୀ କୂଳସ୍ଥ ନିବିଡ଼ କାନନେ

ଲୁଚିଥିଲୁଁ ନାଗରିକେ,

ଚାଲିଯାନ୍ତେ ସୈନ୍ୟ ଆସିଲି ଗୋପନେ

ଚାହିଁ ଚାହିଁ ଚତୁର୍ଦ୍ଦିକେ ।

ନାହିଁ ଗୃହ ଦ୍ୱାର, ନାହିଁ ସେ ନଗରୀ

ନାହିଁ ତାର ଶୋଭାରାଶି,

କାଳ-ସମୁଦ୍ରରେ ନିକ୍ଷେପନ୍ତେ ଜାଠେ

ଠାବ ପାଉ ନାହିଁ ଭାସି ।”

ଏତେବେଳଯାଏ ଶୁଣୁଥିଲେ ରାଜ-

ରାଜେଶ୍ୱର ସ୍ଥିର ହୃଦେ,

ସହସା ଅମାତ୍ୟେ ଆଦେଶିଲେ “ପେଷ

ବାଧାଦାନେ ସୈନ୍ୟବୃନ୍ଦେ ।

ସେନାପତି କେହି ଯିବ ତାଙ୍କ ସଙ୍ଗେ

କର ତ୍ୱରା ନିର୍ବାଚନ,

ବୃନ୍ଦେକ ସୈନିକ ବଳେ ଜାଠେ ନାଶି

କରିବ ଶାନ୍ତି ସ୍ଥାପନ ।”

ଆଜ୍ଞା ପାଇ ମନ୍ତ୍ରୀ ସେନାନୀ-ସମାଜେ

ଜଣାଇଲେ ତାହା ନିଜେ,

ଜାଠବୀରବର୍ଗେ ଜାଳିବାକୁ କହ

କେ ଆଜି କରିବ ବିଜେ ?

ଇଚ୍ଛାମତେ ସୈନ୍ୟ ନେବ, ହେଲେ ଲୋଡ଼ା

ଆହୁରି ହେବେ ପ୍ରେରିତ,

ମାତ୍ର ଜାଠଦଳେ ସମୂଳେ ବିନାଶ

କରିବା ଅଟେ ଉଚିତ ।

ଶଶଧରେ ଧରି- ବାକୁ ଅସମର୍ଥ

ଅଟଇ ସିନା ବାମନ,

ହରିଣ ମାରଣେ କେଶରୀ କି କେବେ

ବଳାଇ ନ ପାରେ ମନ ?

କୁକ୍କୁଟଶାବକ ନାଶିବାକୁ ଇଚ୍ଛା

ନ କରେ କେବେ କି ବାଜ ?

ବନ୍ଧା-ପଶୁ ଭକ୍ଷି- ଦେବାକୁ କି ଆଶା

ନ କରିବ ଅହିରାଜ ?

ପ୍ରତି ସୈନ୍ୟଚାଳ ନ ଭାବିବେ କିପାଁ

ଜାଠଦଳ ମୂଳୋତ୍ପାଟେ,

ସର୍ବେ ବ୍ୟଗ୍ର ଅଗ୍ରେ ଫୁଲାଇ ହୃଦୟ

ଯିବେ ବୋଲି ଜାଠ-କାଟେ ।

ପ୍ରକାଶ କରେ କେ ସ୍ୱ-ଇଚ୍ଛା ପ୍ରକାଶେ

ସମସ୍ତଙ୍କ ନାମ କହି,

ସକଳେ ଇଚ୍ଛିବେ ବାଲିବିଲ-ମୂଷା

କେତେକେ ଦେବାକୁ ଦହି ।’

ସମର୍ଥକ କେହି କହେ ‘ପଠାଇଲେ

କିଛି ଅଶ୍ୱାରୋହୀ ସେନା,

ଜାଠ- ରାଜନକୁ ଧରି ଆଣି ଦେବେ

ସୈନ୍ୟେ କରି କେନା କେନା ।’

ଆନ ବୋଲେ ‘ପଞ୍ଝେ ପଦାତିକ ପେଷି

ଦେଲେ ତ ହେବ ବହୁତ,

ଅଶ୍ୱାରୋହୀ ପେଷା ଆବଶ୍ୟକ ବୋଲି

କହିଲୁ କିପାଁରେ ଭୂତ ?’

ଏହିପରି ସର୍ବେ କୁହାକୋହି ହେଲେ,

ଭାବନ୍ତି ଶୁଣି ସଚିବ,

କହିବା କଥାଟା ବୋହିବାକୁ ଦୂର

ନର କି କେବେ ବୁଝିବ ?

ବେଖାତିର କରି କହିଗଲେ ସର୍ବେ

ସାମାନ୍ୟ ମଣି ଏ କାର୍ଯ୍ୟ,

ଦେଖାଯାଉ କିଏ ଜାଠେ ବିନାଶିବ

ଆଜ୍ଞା କରି ଶିରୋଧାର୍ଯ୍ୟ ।’

ଏପରି ବିଚାରି ଏକ ସେନାଚାଳେ

ଆଦେଶିଲେ ମନ୍ତ୍ରିବର

ତୁମ୍ଭେ ଯାଇ ବେଗେ ସସେନା ବିନାଶ

ଭରତପୁର-ଈଶ୍ୱର ।”

ଉତ୍ତରିଲେ ବୀର ଅବ୍ଦୁସ-ସତାର

“ଯାଉଛି ଆଜ୍ଞାପାଳନେ,

ନ ଫେରିବି କେବେ ଜାଠେଶ୍ୱର ସହ

ନ ନାଶିଲେ ସୈନ୍ୟଗଣେ ।”

‘ଆଲ୍ଲା’ ‘ଆକବର’ ସ୍ମରି ସୈନ୍ୟେଶ୍ୱର

ପ୍ରଣମି ଭାରତେଶ୍ୱରେ,

ଯଥାବିଧି ଅନ୍ୟେ ନମସ୍କାର କରି

ବାହାରିଲେ ଖରତରେ ।

ଶିବିରେ ପ୍ରବେଶି ସୈନିକେ ଆଦେଶି

କରାଇ ସୁସଜ୍ଜୀଭୂତ,

ଅଗ୍ରସର ହେଲେ ଦକ୍ଷିଣକୁ ଯହିଁ

ବିଦ୍ରୋହ- ଅଗ୍ନି ପ୍ରସୂତ ।

ଆଗ୍ରା ପାଶରେ ସେ ପ୍ରବେଶି ଶୁଣିଲେ

ଜନମୁଖୁଁ, “ଜାଠପତି

ଅର୍ଦ୍ଧ କ୍ରୋଶ ଦୂରେ ଶିବିର ରଖାଇ

ଉଡ଼ାଏ ପତାକା ଛତୀ ।

ଡିବି ଡିବି କରି ନାଗରା ବଜାଇ

କହିଗଲାଣି ସେ କ୍ରୂର,

ହେବ ଯେ ତା ପ୍ରଜା ରହି ସେ ଏ ସ୍ଥାନେ

ଅପରେ ହେବାକୁ ଦୁର ।

ଭ୍ରମି ଗଲେଣି ହିଁ ଦଳ ଦଳ ହୋଇ

କେତେ ସୈନ୍ୟ ଏ ନଗରେ,

ଭୀତି ଉପୁଜାଇ ହୃଦୟ କମ୍ପାଇ

ଜଣାଇ ମୃତ୍ୟୁ ଆଗରେ ।

ଲକ୍ଷପତି ଆର୍ଯ୍ୟ ଧନବନ୍ତ ଜନ

ଦ୍ୱାର ପାଶେ ହୋଇ ଠିଆ

ଖାଇ ସାରିଲେଣି କେତେ ସୈନ୍ୟ ମଧ୍ୟ

ଯୋଧଯୋଗ୍ୟ ଜଳଖିଆ ।

ଭୟେ କେହି କେହି କହି ସାରିଲେଣି

ଆଗ୍ରାବାସୀ ମହାଜନ,

ଯାହାର ତ ହେଲେ ପରଜା ହୋଇବୁଁ

ହେଉ ସେ ଜାଠରାଜନ ।’

ଆର୍ଯ୍ୟ କେହି କେହି ଜାତି ହିତକାମେ

ଜାଠଦଳ ମଧ୍ୟେ ପଶି,

ଆପଣାର ପରି ସୈନ୍ୟଗଣେ କହେ

‘ମାର ହେ ଯବନେ କସି ।’

କେହି ମଧ୍ୟ ଲାଖି ଗଲେଣି ସେ ଦଳେ

କରିବେ ଇଚ୍ଛି ସମର

ଯବନ ବିରୁଦ୍ଧେ କେଉଁ ଅଭିପ୍ରାୟେ

ତାହାଙ୍କୁ ସିନା ଗୋଚର ।

ଦୁଷ୍ଟ ଜାଠେ ମଧ୍ୟ ରୁଣ୍ଡାଉଅଛନ୍ତି

ମୁସଲମାନ ମାରଣେ

ସଂଖ୍ୟାବୃଦ୍ଧି ଲାଗି ଯେଉଁମାନେ ହିନ୍ଦୁ

କି ଅବା ହିନ୍ଦୁଶରଣେ ।

ମୃକ୍ତକେଶା କିଏ ଆରକ୍ତ ବଦନେ

ରକ୍ତ-ଉତ୍ତେଜକ ବାଣୀ

ବର୍ଷି ଦେଉଅଛି ଅଶ୍ୱପୃଷ୍ଠେ ବସି

“ଦିଅ ହେ ଯବନେ ହାଣି ।

ନ ରଖ ହେ ବୀରେ, ଭାରତମଣ୍ଡଳେ

ଜୀବନ୍ତ ମୁସଲମାନ,

ହିନ୍ଦୁ ନାରୀ ଚୋରି ଅପରାଧେ ତାର

ହିନ୍ଦୁଏ ନିଅ ପରାଣ ।

ଭାରତଜନନୀ ଯବନ-ସେବିନୀ

ତହିଁ ପୁଣି ଅତ୍ୟାଚାର,

ସତୀତ୍ୱ-ହରଣ ଜିଜିୟା-ସ୍ଥାପନ

ଜିଅନ୍ତା ଦେଖିଲେ ମାର ।

ସ୍ତ୍ରୀ ବାଳକ ବୃଦ୍ଧ ଅବା ଅସମର୍ଥ

ଛାଡ଼ି ଦେଇ ହିନ୍ଦୁ ବୀରେ,

ମାରି ସଦା ଭ୍ରମି ଏ ଭାରତ ଭୂମି

ବକ୍ଷ ଭୂଷ ଶତ୍ରୁ ଶିରେ ।

ଯବନ- ରୁଧିରେ ଜନନୀ-ହୃଦୟ-

ଜ୍ୱାଳା ଶାନ୍ତ କର ହିନ୍ଦୁ !

ପ୍ରସବିଛି ଯେବେ ତୁମ୍ଭଙ୍କୁ ହେ ଆର୍ଯ୍ୟେ,

ଆର୍ଯ୍ୟମାତା-ରକ୍ତବିନ୍ଦୁ ।

ଉଠ ହେ ଉଠ ହେ       ଭାରତ କୁମରେ,

ଯବନେ କର ସମର,

କେତେ ଦିନ ଆଉ ଘୋର ଅତ୍ୟାଚାର

ସହିବ ମାତା ଆମ୍ଭର ?

ଜୀବନ ଉତ୍ସର୍ଗ କର ହେ ହିନ୍ଦୁ ଏ,

ଯବନ-ନାଶନ-ବ୍ରତେ

ପ୍ରାଣ ବଳି ଦିଅ ହିନ୍ଦୁ-ଚିର-ଅରି-

ମାରଣରେ ହେ ଭାରତେ !

ସତୀ ଅଭିଶାପ ପଡ଼ିଅଛି ଶତ୍ରୁ

ଉପରେ ଏବେ ହେ ଜାଣ,

ସତୀ ନାମ ଧରି ସୁଯୋଗ ସମୟେ

ନିର୍ଦ୍ଦୟ ହୃଦୟେ ହାଣ ।”

Image

 

ଧିକ୍କାର

 

ଶିବିର ମଧ୍ୟରେ ସୈନ୍ୟପରିବୃତା

ସମରଶ୍ରାନ୍ତା ଭବାନୀ

ବସ୍ତ୍ର- ପଲଙ୍କରେ ନିଅନ୍ତି ବିଶ୍ରାମ

ହୃଦୟେ ସ୍ମରି ‘ଭବାନୀ’ ।

କରୁଛନ୍ତି ତେଣେ ରଣ ରଘୁବୀର

ପ୍ରାଣକୁ ଛଡ଼ାଇ ପାଣୀ,

ଚିର ବାସନାର ତୃପତି କାରଣେ

ଯବନେ ପକାନ୍ତି ହାଣି ।

ଏକାଳେ ଏକାକୀ ବଙ୍ଗଦେଶପାଳ

ସାମାନ୍ୟ ସୈନିକ ବେଶେ,

ପ୍ରବେଶିଲେ ପଥ ପୁଛି ଭବାନୀଙ୍କ

ଶିବିର ତୋରଣ ଦେଶେ ।

ବିପକ୍ଷ ପକ୍ଷୀୟ ସୈନ୍ୟଭାବି ତାଙ୍କୁ

ପ୍ରହରୀ କଲା ବାରଣ,

କେଉଁ କାର୍ଯ୍ୟେ ତୁମ୍ଭେ ଆସିଛ ଏ ସ୍ଥାନେ

ଛାଡ଼ି ଏହି ମହାରଣ ?

ଜଣାଯାଅ ତୁମ୍ଭେ ମୁସଲମାନର

ବଳିଷ୍ଠ ସୈନିକ ଅଟ,

ରଣେ ଥିଲେ କେତେ କାର୍ଯ୍ୟ ସାଧିଥାନ୍ତ

ବରୁଛ କିପାଁ ସଂକଟ ?

ଫେରି ଯାଇ ବେଗେ ପ୍ରଭୁ କାର୍ଯ୍ୟ କର

ପ୍ରଜାର କର୍ତ୍ତବ୍ୟ ଯାହା,

ପ୍ରାଣ ଦିଅ ରାଜା- ହିତେ ଜାଣ ଯେବେ

ରାଜା ପ୍ରଜା ପ୍ରାଣନାହା ।”

ଉତ୍ତରିଲେ ଧୀର ବୀର ବଙ୍ଗେଶ୍ୱର

“ବିନା କାର୍ଯ୍ୟେ କେହି କେବେ,

ପର ଦ୍ୱାରେ ଠିଆ ହୁଅଇ କି ବୀର,

ନ ପଡ଼େ ସମୟ ଯେବେ ?”

‘‘କେଉଁ ଅଭିପ୍ରାୟେ ଆସିଅଛ ତେବେ

ଶୀଘ୍ର ଭାଷ ବୀରବର,”

ଆଦେଶିଲେ ତ୍ରୋଣା- ରକ୍ଷକ ନବାବେ

ଶୁଣି ତାଙ୍କ ଯୋଗ୍ୟୋତ୍ତର ।

ପରିଚୟ ଦିଅ ଉଦ୍ଦେଶ୍ୟ ବତାଅ

ନୋହିଲେ ଛାଡ଼ ଏ ସ୍ଥାନ,

ଜାଣିଲିଣି ତୁମ୍ଭେ ଆସିଅଛ ଏଥି

ଦେଖିବ କୌଶଳମାନ ।”

କୌଶଳ ଶିଖିବା ଜନ ନୁହେଁ ମୁହିଁ,

ଅଟଇ ବଙ୍ଗ ନବାବ,

ଆସିଅଛି ତୁମ୍ଭ ରାଣୀଙ୍କ ନିକଟେ,

ଅପର କିଛି ନ ଭାବ ।

ବାର୍ତ୍ତା ଦିଅ ତାଙ୍କୁ ଶୁଣିବେ ସେ ମୋର

ଦୟା ବହି କିଛି କଥା,

ଯୁଦ୍ଧ ନ କରିବା ଅଭିପ୍ରାୟ ଅଛି

କଦାପି ନୁହେଁ ଅନ୍ୟଥା ।”

ଶୁଣି ଏହି ଉକ୍ତି ସଶସ୍ତ୍ର ପ୍ରହରୀ

‘ରହ’ ଭାଷି ବଙ୍ଗେଶ୍ୱରେ,

ଜଣାଇଲା ଯାଇ ପ୍ରଣମି ଦେବୀଙ୍କି

“ଶୁଣନ୍ତୁ ମୋ ବାଣୀ ଥରେ ।

ଚିର ଶତ୍ରୁ ତବ ଦ୍ୱାରେ ଉପସ୍ଥିତ

ଏକାକୀ ସୈନିକ ବେଶେ,

ପ୍ରକାଶନ୍ତି କିଛି କଥା ଜଣାଇବେ

ସମର ସ୍ଥିର ଉଦ୍ଦେଶ୍ୟେ ।”

ଅସ୍ତ୍ରଶୂନ୍ୟ କରି ଆଣି ଆସ ତାଙ୍କୁ”

ଭାଷିଲେ ବୀରା ଭବାନୀ,

ପ୍ରହରୀ ପ୍ରଣମି, ଫେରି ନବାବଙ୍କୁ

ଜଣାଇଲା ରାଣୀ ବାଣୀ ।

ଅସ୍ତ୍ର ତ ନ ଥିଲା ବଙ୍ଗେଶ ଶ୍ରୀହସ୍ତେ,

ଥିଲା ଏକ ତରବାରି

ନ ତେଜିଲେ ତାକୁ ଶସ୍ତ୍ର ବୋଲି ଜାଣି,

ରାଣୀ ନ ଥିବାରୁ ବାରି ।

ଗମି ସେ ଭବାନୀ ନିକଟକୁ ଆଗେ

ପ୍ରଣମିଲେ ବିଧିମତେ,

ଭାବିଥିଲେ ଯେଣୁ ଖଣ୍ଟରାଣୀ ମନ

ତୋଷିବାକୁ ଦଣ୍ଡବତେ ।

ଏ ସମୟେ ମହା- ବୀର ରଘୁବୀର

ରକ୍ତାକ୍ତଶରୀରେ ଖରେ

ପ୍ରବେଶିଲେ ଶୁଣି ଧର୍ମ-ସୁତା ଡାକ

ଡଗର ଏକ ମୁଖରେ ।

ପାଳକେ ସମ୍ବୋଧି ଭାଷିଲେ ସୁନ୍ଦରୀ

“ଆସିଛନ୍ତି ବଙ୍ଗପତି

କେଉଁ କାମନାରେ, ପୁଛିବାକୁ ତାତ

ଡକାଇଥିଲି ତଡ଼ତି ।”

ଭବାନୀ ବଚନୁଁ ଲଭି ରଘୁବୀର

ବଙ୍ଗପାଳ ପରିଚୟ

ନିରୀକ୍ଷଣ କଲେ ଆପାଦମସ୍ତକ

ହେବାରୁ ଜାତ ବିସ୍ମୟ ।

ଯୋଗ୍ୟ ସମ୍ବୋଧନେ ସମ୍ବୋଧି ବ୍ରାହ୍ମଣ

ପୁଛିଲେ ବଙ୍ଗ-ଅଧିପେ,

“ଦ୍ୱିଜକୁଳୋଦ୍ଭବ ହେ ବଙ୍ଗନବାବ,

କି କାର୍ଯ୍ୟେ ଦେବୀ ସମୀପେ ?

ସମର ବରଜି ରଣେ ନ ଗରଜି

ଆସିଛ ଆଜି ଏ ସ୍ଥାନ

କେଉଁ ଅଭିପ୍ରାୟେ, ବୁଝାଇ କହିବ

କର କି କିଛି ସନ୍ଧାନ ?

ମରଣକୁ କିପାଁ କରୁଛ ବରଣ

ଅରାତି ଶିବିରେ ଆସି ?

ଶ୍ରେୟ ହୋଇଥାନ୍ତା ସମ୍ମୁଖ ସମରେ

ଦେଇଥିଲେ ପ୍ରାଣ ଝାସି ।

ଧର୍ମେ ସାକ୍ଷ୍ୟ ଦେଇ ଭାବିଥିବ ଆମ୍ଭେ

ନିରସ୍ତ୍ରେ ନ ଦେବୁଁ ମାରି,

ଆଚରିଛ କି ହେ ଜୀବନରେ କେବେ

କର୍ତ୍ତବ୍ୟ ଧର୍ମେ ହକାରି ?”

କରି ନାହିଁ ମୁହିଁ ଅଧର୍ମାଚରଣ”

ଉତ୍ତରିଲେ ବଙ୍ଗେଶ୍ୱର,

“ତେଣୁ ହେ ସୁବୀର, ଧର୍ମେ ଜୟ ଭାବି

ଆସିଲି ଏଥି ସତ୍ୱର ।

ଅକାରଣେ ବେନି ପକ୍ଷରୁ ଅନେକ

ମରୁଛନ୍ତି ରଣେ ଜନ,

ନିବର୍ତ୍ତାଇବାକୁ ଆସିଛି ଏଠାକୁ

ଡକାୟତେ ଦେଇ ଧନ ।

ଲୁଟି କରୁଥିଲେ ଭବାନୀ ସୈନିକେ

ଏ ବଙ୍ଗଦେଶ ମୋହର,

ଚଢ଼ାଉ କଲାରୁ ନିରୁପାୟ ହୋଇ

ମୋ ସଙ୍ଗେ କଲେ ସମର ।

ଆବଶ୍ୟକ ନାହିଁ ଏ ରଣେ ତାଙ୍କର,

ସମ୍ପତ୍ତିରେ ଅଧିକାର,

ଇଚ୍ଛାମତ ଧନ ସମର୍ପି ସମରୁ

ଫେରାଇବି ମୋ ବିଚାର ।”

ଖଣ୍ଟ ଦୋଷାରୋପ ଶୁଣି ଭାଷେ ଦ୍ୱିଜ

ଲଭି ଘୋର ଅପମାନ,

“ଦେଶ ହିତେ, ଜାତି ହିତେ, ସତୀ ହିତେ

ଏ କାର୍ଯ୍ୟ ଆମ୍ଭର ଜାଣ ।

ଜୀବନ ସମର୍ପି ଏ ପୁଣ୍ୟ କର୍ତ୍ତବ୍ୟେ

ଲାଗିଅଛୁଁ ଜାତି ହିତେ,

ଧନୀ ଧନ ହରି ତହିଁ ଲଗାଉଛୁଁ

ବରଜି ଗୃହ ସହିତେ ।

ହିନ୍ଦୁବିଦ୍ୱେଷୀକୁ ଦଣ୍ଡ ଦେବା ଲାଗି

ଧରିଛୁଁ ଏ ପୁଣ୍ୟବ୍ରତ,

ଛାଡ଼ ବଙ୍ଗେଶ୍ୱର ବାସନା ତୁମ୍ଭର

ରଣେ ହୁଅ ପ୍ରତ୍ୟାଗତ ।”

ପୁନରପି ଧୀରେ ସୁକୋମଳ ଗିରେ

ଭାଷିଲେ ବଙ୍ଗାଧିପତି,

ହିନ୍ଦୁଦ୍ରୋହୀ ସଙ୍ଗେ ସମର ନ ଇଚ୍ଛି

ରାଗିଲ କିପାଁ ମୋ ପ୍ରତି ?”

ଚେତାଇବା ଲାଗି ପୂର୍ବ ଦୋଷାବଳି

ଗାଇଲେ ବ୍ରାହ୍ମଣ ବୀର,

ଭୁଲି ଯାଇଛ କି ବ୍ରାହ୍ମଣସନ୍ତାନ

ଅତୀତ ପାପ-ତିମିର ?

ଆଦ୍ୟେ କୁଳଦ୍ରୋହ କରି କାହିଁକି ହେ

କୁଳରୁ ବାହାରି ଯାଇ,

ହିନ୍ଦୁଧର୍ମେ ନିନ୍ଦା ଦେଇ, ଅନ୍ୟ ଧର୍ମ୍ମ

ନେଇଛ ମନେ କି ନାହିଁ ?

ପିତୃମାତୃଧର୍ମ୍ମ ଆଚରି କି ବଙ୍ଗ-

ନବାବ ଆସନେ ବସି

ନ ଥାନ୍ତ ଭାଗ୍ୟରେ ଲେଖା ହୋଇଥିଲେ,

ଅନ୍ୟ ଧର୍ମ୍ମେ ଗଲ ପଶି ?

ଭାରତୀୟ ଆର୍ଯ୍ୟ- ନାରୀରକ୍ତେ ଜନ୍ମି

ବିଧର୍ମେ ହୋଇ ଦୀକ୍ଷିତ,

ତହିଁ ପୁଣି ମହା- ପାପ ଅର୍ଜୁଥିଲ

ସତୀର ହରି ସତୀତ୍ୱ ।

ମନେ ପଡ଼େ କି ହେ ସାରଙ୍ଗେଶ-ଅରି,

ସୟଦ-ଅମୀରେ ପେଷି

କେଉଁ ମହାପାପେ ହସ୍ତ ଦେଇଥିଲ

ନିଷ୍ଠୁର ହିନ୍ଦୁବିଦ୍ୱେଷୀ ।

ସେହି ପାପରାଶି ମୂର୍ତ୍ତିମତୀ ଆଜି

ହୋଇଛି ଭବାନୀ ବେଶେ,

ପ୍ରାଣ ନେବା ଲାଗି କରିଛି ପ୍ରତିଜ୍ଞା

ତୁମ୍ଭରି ହେ ବୀର, ଶେଷେ ।”

ସତକୁ ସତ ସେ ଚେତା ପଶିଗଲା

ବଙ୍ଗଅଧୀଶ୍ୱର ହୃଦେ,

ଭାବିଲେ “ଏ ମୋର ଅଟନ୍ତି ଚିରାରି,

ବରୁଥିଲି ମୁଁ ସୁହୃଦେ ।

ଏହାଙ୍କ କବଳୁ ରକ୍ଷା ନାହିଁ ଆଉ

ଏହି ସେ ସାରଙ୍ଗସୁତା

ଭବାନୀ କାମରେ ଜଗତେ ଆଖ୍ୟାତ

ଜାଣି ନ ପାରିଲି ମୁଁ ତା ।

ଏହି ଯେ ଗର୍ବିତ ବୀର ମୋ ସଙ୍ଗରେ

କରୁଅଛି ସମ୍ଭାଷଣ,

ସମ୍ଭବ ସେହି ସେ ଉଦ୍ଧାରିଛି ତାକୁ

ମାରିଣ ବାହକଗଣ ।

ପଡ଼ିଛି ଏବେ ମୁଁ କାଳ ସମ୍ମୁଖରେ,

ଫେରିବି କିପରି ପ୍ରାଣେ,

ସେନାପତି ଠାରେ ଦୋଷ ଅର୍ପନ୍ତି ବା

ଏ ବ୍ୟକ୍ତି କି ତା ନ ଜାଣେ ?

ତଥାପି ଉଦ୍ୟମ କରି ଏକ ବାର

କରେ ଆତ୍ମସମର୍ପଣ,

ରଖିଲେ ରଖିବେ ମାଇଲେ ମାରିବେ,

ହେବ ତ ଦିନେ ମରଣ ।”

ଭାବି ହୃଦେ ଏହା ସୁସାହସ ଧରି

ଭାଷିଲେ ବୀର ବଙ୍ଗେଶ,

ଏତେ ଏତେ ପାପ ଆରୋପିଲ ବୃଥା

ମୋହଠାରେ ହେ ବୀରେଶ !

ସୟଦ-ଅମୀର ନାମେ ସେନାପତି

ଥିଲା ମୋର ବାହୁତଳେ,

ଅଧର୍ମ ଆଚରି ସାରଙ୍ଗ ଧ୍ୱଂସିଲା,

ତଡ଼ା ଖାଇଅଛି ବଳେ ।

ନାହିଁ ଆଉ ସେହି ମୋହ ଦରବାରେ

ଆଶ୍ରିଅଛି ଦିଲ୍ଲୀଶ୍ୱରେ,

ବୃଥା ମୋତେ କିପାଁ ଅପରାଧୀ ବୋଲି

ଭାଷ ହେ ତେଜସ୍ୱୀ-ସ୍ୱରେ ?

ମୁଁ ଅଟେ ନିର୍ଦୋଷ, ସାରଙ୍ଗ ସମରେ

ଦୋଷୀ ସେହି ସୈନ୍ୟଚାଳ,

ସେଥିଲାଗି ତାକୁ ବର୍ଜନ କରିଛି

ଛିଣ୍ଡାଇ ତାର ଜଞ୍ଜାଳ ।

ଆତ୍ମ- ସମର୍ପଣ କରିବାକୁ ଯେହୁ

ଆସିଛି ଅରାତି ପାଶେ,

ସେ ବା କେଉଁ ଦୋଷୀ ଜୀବନ ଦିଏ ଯେ

ପ୍ରଜାଙ୍କ ହିତ ସକାଶେ ?

ବୃଥା କଳହରେ ପ୍ରୟୋଜନ ନା

ଭାବି ଆସିଲା ଯେ ଭୂପ,

ତାକୁ ଦୋଷୀ ବୋଲି ସାବ୍ୟସ୍ତ କରିବା

ନୁହେଁ କି ବୀର ବିଦ୍ରୂପ ?”

ଯେତେ ଯୁକ୍ତି ଦେଇ କହିଲେ କି ହେବ,

ସର୍ବଜ୍ଞ ପାଶେ କି କେବେ

ମିଥ୍ୟା କଥା କହି ପାରି ହେବ କେହି

ତ୍ରିକାଳ ବାର୍ତ୍ତା ଯେ ଦେବେ ?

ଅସତ୍ୟ ଶ୍ରବଣେ ରଘୁବୀର ଜ୍ୱଳି-

ଗଲେ କ୍ରୋଧ-ବୈଶ୍ୱାନରେ,

ଭାଷିଲେ, “ପାମର ତୁମ୍ଭ ରହସ୍ୟାଦି

ଗୁପ୍ତ ନୁହେ ମୋ ପାଖରେ ।

ତଡ଼ି ଦେଇଅଛ ସେନାଚାଳେ କେଉଁ

ଅପରାଧେ ଭାବ ମନେ,

ତତ୍ପରେ ମୋ ପାଶେ ଅସତ୍ୟ ଭାଷିବ

ସତ୍ୟକୁ ରଖି ଗୋପନେ ।

କରିବି ଏକ୍ଷଣି ଶିରଚ୍ଛେଦ ତୁମ୍ଭ

ଏହି ମିଥ୍ୟା ଅପରାଧେ,

ସ୍ମର ଇଷ୍ଟଦେବ ସ୍ମର ପୂର୍ବପାପ

ଜୀବନ ନେବି ନିର୍ବାଧେ ।”

ଏହା କହି ଅସି କଲେ ଉତ୍ତୋଳନ

ନବାବ ଶିରଚ୍ଛେଦନେ,

ସହସା ଭବାନୀ ହସ୍ତ ଧରି ବୋଧ-

ଦିଅନ୍ତି ମୃଦୁ ବଚନେ-

“ଛାଡ଼ିଦିଅ ତାଙ୍କୁ ପଳାନ୍ତୁ ସେ ପ୍ରାଣେ,

ନ ମାର ହେ ପିତୃଦେବ !

ବାକ୍ୟ ରକ୍ଷା ଲାଗି ତାଙ୍କ ଛାୟା-ଶିର

କାଟିଲେ ଯଥେଷ୍ଟ ହେବ ।”

କନ୍ୟା ଅନୁରୋଧେ ନବାବେ ନ ମାରି

ଛାୟାରେ ନିକ୍ଷେପି ଅସି

କ୍ରୋଧକୁ କ୍ରୋଧରେ ଶାନ୍ତି କରିବାକୁ

ଭୂତଳେ ସେ ଗଲେ ବସି ।

ବିସ୍ମୟ-ସାଗରେ ମଜ୍ଜି ବଙ୍ଗେଶ୍ୱର

ନିଜକୁ କଲେ ଧିକ୍କାର,

କୋମଳ-ହୃଦୟା ହିନ୍ଦୁ ନାରୀ ସିନା

ସକଳ ଗୁଣ ଆଧାର !

Image

 

ଚକ୍ରାନ୍ତ

 

ଗୁପ୍ତଚର କେହି କହେ ଆସି ବୀର

ଅବ୍ଦୁସ-ସତାର ପାଶେ,

ଅକଳିତ ସୈନ୍ୟ ଆଣି ସତ୍ୟପାଳ

ଚାହିଁଛି ଯୁଦ୍ଧ ସକାଶେ ।

ପାରି ହୋଇଅଛି ଯମୁନାକୁ ସେହି

ଅସୁବିଧା ଥିବା ହେତୁ,

ଭାବିଛି ଭାଙ୍ଗିବ ଦିଲ୍ଲୀଶ ଆସନ

ଯବନର କାଳ-କେତୁ ।

ଜାଣି ସାରିଲାଣି ତବ ଆଗମନ

ଭୋ ଦେବ ସୈନ୍ୟ-ଈଶ୍ୱର,

ସଜାଉଛି ସେନା ଦେବୀ ମୁକ୍ତକେଶା

ଉତ୍ତେଜାଇ ଘୋରତର ।

ଅଳ୍ପ କ୍ଷଣ ପରେ ଆସି ଜାଳିଦେବ

ଚଣ୍ଡୀରୂପା ସୁକେଶିନୀ,

ବାକ୍ୟ ପରି ତାର ହୃଦୟ କଠୋର

ଭାରତ-ବୋଧଦାୟିନୀ ।

ସୈନ୍ୟ ବଳ ଯାହା ସଙ୍ଗେ ଆଣିଅଛ

ତୁଳିଲେ ତା ଏହିବେଳେ,

ବଇରୀ ସମର- ବାହିନୀ ସଙ୍ଗତେ,

ପାପ-ରେଖା ହୃଦେ ଖେଳେ ।”

ସରି ନାହିଁ କଥା ଚାର ମୁଖୁଁ ଏହି

ସମୟେ ଶୁଭିଲା ଧ୍ୱନି,

‘ଜୟ ମୁକ୍ତକେଶା’ ‘ଜୟ ଜାଠପତି’

‘ଜୟ ମା ହିନ୍ଦୁ-ଜନନୀ !’

ଆକାଶ ଫଟାଇ ଗର୍ଜ୍ଜନ ଉଠଇ

‘ଜୟ ମା ଭାରତମାତା,

ସାହା ହୁଅ ବାରେ ତୋହରି ସାହାଯ୍ୟେ

ହେବୁଁ ଆଜି ତୋର ତ୍ରାତା ।’

ଜୟଧ୍ୱନି କ୍ରମେ ଘୋରୁଁ ଘୋରତର

ନିକଟୁଁ ନିକଟତମ

ଶୁଣି ସବିସ୍ମୟ ଦିଲ୍ଲୀ ସୈନ୍ୟେଶଙ୍କ

ଭାଜିଗଲା ପୂର୍ବ ଭ୍ରମ ।

ଭାବିଥିଲେ ‘ଜାଠ ଡକାୟତି କରି

ଆସିଛି’ ବୋଲି ସିନା ସେ,

ଜନରବ ସଙ୍ଗେ ଗୁପ୍ତଚର ବାଣୀ,

ସତ୍ୟ ହିଁ ପାଶେ ପ୍ରକାଶେ ।

ଭ୍ରମ ଯିବା ସଙ୍ଗେ ଭୟ ଆସି କଲା

ହୃଦୟରେ ପଦାଘାତ,

ତଥାପି ସାହସ ଅବଲମ୍ବି ବୀର

ଧରିଲେ ତୁରୀ ବିଖ୍ୟାତ ।

ବଜାଇଲେ ସେନା- ହୃଦ ପ୍ରକମ୍ପାଇ

ମଲ୍ଲ ଅବ୍ଦୁସ- ସତାର,

ସଙ୍ଗେ ସଙ୍ଗେ ସୈନ୍ୟେ କଲେ ଜୟରବ

ମେଘ ଗର୍ଜନ ପ୍ରକାର ।

ଗୁଳି ବରଷିଲା ଉଭୟ ପକ୍ଷରୁ

ମାତ୍ର ପ୍ରହରକ ପରେ

ସେନାପତି ସହ ଯବନ ସୈନିକେ

ତେଜିଲେ ପ୍ରାଣ ସମରେ ।

ପଳାଇ ଯାଇ କେ ନମି ଦିଲ୍ଲୀଶ୍ୱରେ

ଭାଷିଲା ଦୁଃଖବାରତା,

ପ୍ରଭୁ ! ସେନାପତି ରଣେ ହେଲେ ହତ

କରନ୍ତେ ଜାଠ ଶଠତା ।

ଆଉ କାହାରିକୁ ପଠାନ୍ତୁ ତା ପାଶେ

ବହୁ ସୈନ୍ୟବଳ ଦେଇ,

ାରି ଜାଠଗଣେ ଧରି ସତ୍ୟପାଳେ

ଏଠାକୁ ଆସିବ ନେଇ ।”

ସହସା କିଞ୍ଚିତ ହୋଇଣ ଦୁଃଖିତ

ସେ ମୋଗଲ ବାଦଶାହ

ଭାଷିଲେ ସଚିବେ “ତିନି ସେନାଚାଳ

ଚାଳନ୍ତୁ ସୈନ୍ୟ-ପ୍ରବାହ ।”

ସଙ୍ଗେ ସଙ୍ଗେ ଆଜ୍ଞା ପାଳନେ ସଚିବ

ସୁଦକ୍ଷ ତିନି ସେନାନୀ

ଡାକି ଆଦେଶିଲେ “ଯାଇ ବେଗେ ରଣେ

ଜାଠଙ୍କୁ ପକାଅ ହାଣି ।”

ଆଜ୍ଞାମାତ୍ରେ ବୀର- ଶ୍ରେଷ୍ଠତ୍ରୟ ଯାଇ

ସଜାଇ ବିରାଟ ସେନା

ଚଳାଇଲେ ଭାବି ନିଜ ଥାଟେ ଦେଖି

“ଆମ୍ଭଙ୍କୁ କେହି ପାରେ ନା ।

କାଳିଆ ବିରୁଡ଼ି ପ୍ରାୟ ମାଡ଼ିଯିବା

ଭକ୍ଷିବା ପୀତ-ବିରୁଡ଼ି,

ପାରାଦଳ ହୋଇ ଧାନ ଟୁଙ୍କି ଦେବା

କୀଟଙ୍କୁ ଯଥା ପିମ୍ପୁଡ଼ି ।”

କେତେ ପରକାରେ କରନ୍ତି ଚକ୍ରାନ୍ତ

କେମନ୍ତେ ନାଶିବେ ଅରି,

କେହି କହେ “ଏକ ଦିଗୁଁ ଆକ୍ରମିବା

ପଳାଇବେ ଦେଖି ଡରି ।”

ଅପର ଭାଷଇ “ବୃତ୍ତାଭାସ ବ୍ୟୂହ

ରଚିବା ଅଟେ ଉଚିତ,

ଭେଦି ନ ପାରିବେ ଜାଠେ ଆମ୍ଭ ମଧ୍ୟେ

ନ ଫେରିବେ କେ ଜୀବିତ ।”

ଭାଷିଲା ତୃତୀୟ “ସବୁଠାରୁ ଶ୍ରେୟ

ଅଟଇ ମୋ ସୁମନ୍ତ୍ରଣା,

ମାରଣା ପ୍ରକୃତି ଦେଖାଇବା ଯେଣୁ

ଜାଠେଶ ଅଟେ ମାରଣା ।

ସମ୍ମୁଖ ଦିଗରୁ ଜଣେ ଆକ୍ରମିବ,

ଦୁଇଜଣ ଦୁଇପାଶେ

କାଳିନ୍ଦୀ କୂଳରେ ଗମି ଆକ୍ରମିଲେ

ମରିବ ଶତ୍ରୁ ହତାଶେ ।

ଘେରିଯିବା ଶୀଘ୍ର ଚଉପାଶେ ଶୁଣି

ପରସ୍ପର ତୁରୀ ସ୍ୱନ,

ମଧ୍ୟେ ରହି ଜାଠ- ଅଧିପତି ନିଶ୍ଚେ

ତେଜିବ ଦିବ୍ୟ ଜୀବନ ।

ପଦାତିକ ଯିବେ ଆଗେ ତାଙ୍କ ପଛେ

ଅଶ୍ୱାରୋହୀ ଗଜାରୋହୀ,

ସର୍ବ ପୃଷ୍ଠେ ଯିବେ ଶକଟଚାଳକେ

ଅସ୍ତ୍ର ଶସ୍ତ୍ର ଆଦି ବୋହି ।

ଏହିପରି ଭାବେ ଚାରିଧାଡ଼ି ହୋଇ

ବେଢ଼ିଯିବା ଜାଠଗଣେ,

ବାଟ ନ ଛାଡ଼ିବା ପଳାଇ ଯିବାକୁ

ହେଲେ ହେଁ ତହିଁରୁ ଜଣେ ।”

କଲେ ଅଙ୍ଗୀକାର ଏହି ମନ୍ତ୍ରଣାରେ

ଅନ୍ୟ ଦୁଇଜଣ ଯେଣୁ,

ଦୁଇ ଶାଖା କରି ଦେଲେ ସୈନ୍ୟ-ସ୍ରୋତେ

ବଜାଇଣ ବୀରବେଣୁ ।

ଚିତ୍ରୋତ୍ପଳା ଯଥା ଦୁଇଧାର ହୋଇ

ଧାବଇ ଘେରି ‘କଟକେ’

ତେସନ ଯବନ ସେନାଏ ଗମିଲେ

ପକାଇ ପଦ ଛଟକେ ।

ଦୁଇ ଧାର ଦୁଇ ପାଶେ ଚଳି ଶେଷେ

ଯମୁନା-କୂଳେ ପ୍ରବେଶି,

ପରସ୍ପର ମୁଖେ ତୀରେ ତୀରେ ଗଲେ

ଏକକୁ ଅନ୍ୟ ଅନ୍ୱେଷି ।

କ୍ରମେ ଏହିପରି ଗତି କରି ବୀରେ

ଘେରିଗଲେ ଜାଠଦଳେ,

ତିନି କୋଣେ ତିନି ସେନାପତି ରହି

ଚାଳନ୍ତି ସୈନ୍ୟସକଳେ ।

ସୟଦ-ଅମୀର ଶେକ-ମିର୍ଜାଫର

ଯମୁନା ଅଦୂରେ ରହି

ଅନ୍ୟ କୋଣାଶ୍ରିତ ଶେକ-କାସୀମକୁ

ତୁରୀ ସ୍ୱନେ ଦେଲେ କହି-

ଆକ୍ରମଣ କର ଘୋର ଜୟରବେ,

ଧ୍ୱଂସିଦିଅ ଜାଠଗଣ,

ଆମ୍ଭେ ଦୁହେଁ ଏଣେ ହେଲୁଣି ଉଦ୍ୟତ

ଯୁଝିବାକୁ ପ୍ରାଣପଣ ।”

Image

 

ବିଜୟ

 

କାଶୀଧାମ ଦେବି ! ଅଟେ ଏ ନଗରୀ

ହିନ୍ଦୁ ଶ୍ରେଷ୍ଠ ଶିବପୀଠ,

କବିକୁଳ-ମୌଳି- ମଣ୍ଡନ ନିଜକୁ

ମଣିଲେ ଏଥି କନିଷ୍ଠ ।

ମହା ଦାନଶୀଳ ନୃପ ହରିଶ୍ଚନ୍ଦ୍ର

ସସିନ୍ଧୁ ଧରା-ରହିତ

ଏହି ସ୍ଥାନେ ଆସି ସତ୍ୟ ରକ୍ଷା ଆଶେ

ଶ୍ମଶାନେ ହେଲେ ଆଶ୍ରିତ ।

ଶୁଳ୍କ ଆଦାୟର ଭାର ନେଇ ନିତ୍ୟ

ଭ୍ରମି ଏ ଭୀମ ଶ୍ମଶାନ

ଦାନର ଦକ୍ଷିଣା ପରିଶୋଧ ଆଶେ

ପୂତ କଲେ ଏହି ସ୍ଥାନ ।

ଧରା ମଧ୍ୟେ ଏହା ନୁହଇ ଗଣିତ

ସାକ୍ଷାତ ସ୍ୱରଗପୁରୀ,

ସେଥିଲାଗି ଏଥି ଥିଲେ ହରିଶ୍ଚନ୍ଦ୍ର

ପୃଥିବୀପୃଷ୍ଠୁଁ ଉତୁରି ।

ଏହି ଧାମେ ଯାର ହୁଅଇ ମରଣ

ଯାଏ ସେହି ଶିବ-ଲୋକେ,

ପୁରାଣେ ଲିଖିତ ଧରଣୀବିଖ୍ୟାତ

ଅତୁଲ୍ୟ ଏ ତିନି ଲୋକେ ।

ସମର-ବିଜୟୀ ଦ୍ୱିଜ ରଘୁବୀର

ତରୀରୁ ବଢ଼ାଇ ହସ୍ତ,

ରମ୍ୟ ବାରାଣସୀ ଦେଖାନ୍ତି କନ୍ୟାଙ୍କୁ

ଶୁଣନ୍ତି ସୈନ୍ୟ ସମସ୍ତ ।

ଗଙ୍ଗା ବକ୍ଷ ଭରା ଭବାନୀ ପୋତରେ

ନେତ୍ରଗତି ଯିବା ଯାଏ,

ରଣତରୀ ବୋଲି ଉଡ଼ି ଫର ଫର

ନିଶାଣ ଦୂରୁଁ ଜଣାଏଁ ।

ଏକାଳେ ସୁଦୂରେ ଦେଖାଗଲା ଏକ

ଦ୍ରୁତଗାମୀ କ୍ଷୁଦ୍ର, ନାବ,

ସକଳେ ଚାହିଁଲେ ଅନିମେଷ ନେତ୍ରେ,

ଜନ୍ମିଲା ହୃଦେ କି ଭାବ ।

କ୍ରମେ ବୃଦ୍ଧି ହୁଏ ତରଣୀ ଆକାର

ନିକଟକୁ ଆସେ ଯେତେ,

ଗତି ମଧ୍ୟ ତାର ଚଞ୍ଚଳ ପରାୟ

ଅନୁମିତ ହୁଏ ତେତେ ।

ନାବ ବେନି ପ୍ରାନ୍ତେ ବସିଛନ୍ତି ଦୁଇ

ଆରୋହୀ କ୍ଷେପଣୀକରେ,

ଜଣକ ମସ୍ତକେ ବିରାଜେ ପଗଡ଼ି,

ଅପର ଶୂନ୍ୟମୁଣ୍ଡରେ ।

ସମ୍ମୁଖ ପାଖରେ ଅନାବୃତ ମୁଣ୍ଡ

ଅନ୍ୟ ପାର୍ଶ୍ୱେ ଅନ୍ୟ ଶିର,

ଅଗ୍ର ବ୍ୟକ୍ତି ହସ୍ତ ସଦା କାର୍ଯ୍ୟବ୍ୟସ୍ତ,

ଅପରର କର୍ମ ଧୀର ।

ଏଥୁଁ ସମ୍ଭବିତ ପ୍ରଥମ ନାବିକ,

ଦ୍ୱିତୀୟ ବ୍ୟକ୍ତି ଯାତ୍ରିକ,

ଆବଶ୍ୟକ ବେଳେ ଆହୁଲା ପକାଏ,

ଉଭୟେ ଅତି ନିର୍ଭୀକ ।

ପାର୍ଶ୍ୱବର୍ତ୍ତୀ ହେଉଁ ଜଣାଗଲା ଏକ

ଅଟେ ଅତି କୃଷ୍ଣକାୟ,

ଅପର ମାନବ ବିଭୂତି-ଭୂଷିତ

ଗୌରଅଙ୍ଗ ବଳକାୟ ।

ପରିଚିତ ବ୍ୟକ୍ତି ଆସନ୍ତି ବିଚାରି

ଚାହିଁଥିଲେ ରଘୁବୀର,

ଅନୁମାନ ସତ୍ୟ ଜାଣିଲେ ଦେଖନ୍ତେ

ବିଭୂତି-ଭୂଷିତ ଶିର ।

ଉତ୍କଣ୍ଠିତ-ହୃଦେ ଅପଲକ-ନେତ୍ରେ

ଧର୍ମ ସୁତା ସଙ୍ଗେ ବିପ୍ର

ପଗଡ଼ି-ମଣ୍ଡିତ ବ୍ୟକ୍ତିକୁ ଚାହିଁଲେ,

ତରଣୀ ଆସିଲା କ୍ଷିପ୍ର ।

ଲାଗିଲା ବ୍ରାହ୍ମଣ ଜାହାଜକୁ ସେହି

କ୍ଷୁଦ୍ର ନାବଖଣ୍ଡି ଖରେ,

ପ୍ରଣମିଲେ ବେନି ଆଗନ୍ତୁକ ବ୍ୟକ୍ତି

ଭବାନୀ, ବୀର ପଦରେ ।

ବାନ୍ଧି କ୍ଷୁଦ୍ର ନାବ ତରଣୀ ଅଙ୍ଗରେ

ନାବିକ ରହିଲା ତହିଁ,

ଗୌରାଙ୍ଗ ଉଠିଲା ଭବାନୀ ଜାହାଜେ

‘ଜୟ ମା ଭବାନୀ’ କହି ।

ରଘୁବୀର ପାଶେ ଉଭା ହୋଇ ନିଜ

କାହାଣୀ କଲା ଗାୟନ,

ପ୍ରଭୁ ଅନୁକୂଳ କାଳ ଉପସ୍ଥିତ

ସତ୍ୱର କର ଗମନ ।

ଆଗ୍ରା ନିକଟରେ ତୁମୂଳ ସଂଗ୍ରାମ

ସୟଦ-ଅମୀର ସହ

ଜାଠ-ନରପତି କରେ କି ଉଦ୍ଦେଶ୍ୟେ

ଦିବା ରାତ୍ର ଅହରହ ।

ତ୍ରିଭୁଜ ଆକାରେ ବ୍ୟୂହ ରଚି କ୍ରୂର

ଯବନ ଜାଠ-ଅଧିପେ

କାଳିନ୍ଦୀ କୂଳରେ ଘେରିଅଛି ନେଇ

ସୈନ୍ୟ ତୁରଙ୍ଗମ ଦ୍ୱିପେ ।

ଯମୁନା ଗରଭେ ତରଣୀ ଚଳାଇ

ଶୀଘ୍ର ଗଲେ ବୀରବର,

ଅରାତି ନାଶିବା ଜାଠେ ଉଦ୍ଧାରିବା

ବିଶ୍ୱାସ ହୁଏ ମୋହର ।”

ଗୁପ୍ତଚର ମୁଖୁଁ ଏହା ଶୁଣି ବୀର

ଆଦେଶିଲେ ପୋତଚାଳେ,

ଶୀଘ୍ର ବାହ ତରୀ ଯମୁନାଭିମୁଖେ,

ମରିବ ଶତ୍ରୁ ଏକାଳେ ।”

ଅତି ଦ୍ରୁତେ ଚଳେ ପୋତପନ୍ତି ଲଭି

ଉନ୍ମାଦନା ଅନୁପମ,

ଦେଖାଇବେ ବୋଲି ଯବନ ସମ୍ମୁଖେ

ବଳ ବୀର୍ଯ୍ୟ ପରାକ୍ରମ ।

କିଛି କାଳ ପରେ ଜାହ୍ନବୀ-ଯମୁନା-

ସଙ୍ଗମ-ସ୍ଥଳେ ସକଳେ

ପ୍ରବେଶି କାଳିନ୍ଦୀ ମଧ୍ୟରେ ଗମିଲେ

ନିରେଖି ନିର୍ମଳ ଜଳେ ।

ସୁନୀଳ-ତରଙ୍ଗ- ଶିର ସ୍ଥାନେ ସ୍ଥାନେ

ଶୁଭ୍ରେ ହୋଇ ପରିଣତ

ଧରଣୀ-ବନିତା- ବେଣୀପରେ ରୌପ୍ୟ-

ଝରାପରି ଦୀପ୍ତିମନ୍ତ ।

ହଂସାବଳି ତହିଁ ସନ୍ତରି ଖେଳନ୍ତି

କେଶେ ଖଞ୍ଜା ତାରାସମ,

କୁଳୁ ସ୍ୱନ ସଙ୍ଗେ ହଂସାଳି ନିସ୍ୱନ

ମୋଦ ଦିଏ ଅନୁପମ ।

ଥୋମଣି ଉଠାଇ ବିକାଶନ୍ତି ଶୋଭା

ଭାକୁରାଦି ମତ୍ସ୍ୟପନ୍ତି,

ଜଳକାକେ କାହିଁ ଥଣ୍ଟେ ମୀନ ଧରି

ସ୍ରୋତ ସଙ୍ଗେ ସନ୍ତରନ୍ତି ।

ଅପୂର୍ବ ସୁଷମା ଦେଖି ଦେଖି ଶୂରେ

ଜାହାଜ ସାହାଯ୍ୟେ ଗମି

ପ୍ରବେଶିଲେ ଆଗ୍ରା ସହର ଅଦୂରେ

ବୀର୍ଯ୍ୟବନ୍ତ ପରାକ୍ରମୀ ।

କ୍ରମେ ଶୁଣାଗଲା କମାଣ ଶବଦ

ଶୁଣି ସର୍ବେ ପୁଲକିତ,

ବୀରରସ ଆସି ବୀରବର୍ଗ-ହୃଦେ

ହେଲା କିବା ପ୍ରବାହିତ ?

ଏକାଳେ ବ୍ରାହ୍ମଣ ଆଦେଶିଲେ ସର୍ବେ

“ପୋତକୁ ଲଗାଇ ବୀରେ

ସୁସଜ୍ଜିତ ହୁଅ, ତୁରୀ ସ୍ୱନ ଶୁଣି

ସକଳେ ଉଠିବା ତୀରେ ।

କରିବା ସମର, ଫଟାଇବା ବ୍ୟୂହ

ଯବନର ସର୍ବେ ମିଳି,

କୁମ୍ଭୀର ପରାୟ ଜଳଗର୍ଭୁଁ ଉଠି

କୂଳଜୀବେ ଦେବା ଗିଳି ।”

ଆଦେଶ ପାଳିତ ହେଲା ସେହିକ୍ଷଣି

ସଶସ୍ତ୍ର ସୈନିକବର୍ଗ

ବିଜୟ-ଉଲ୍ଲାସେ ଆକ୍ରମିଲେ ଉଠ

ରଣକ୍ଷେତ୍ରେ ମଣି ସ୍ୱର୍ଗ ।

ପୂରିଗଲେ ରଘୁ- ବୀର ସୈନ୍ୟଗଣ

ସୁନୀଳ ଯମୁନାକୂଳେ

ଅଶ୍ୱପୃଷ୍ଠେ ଚଢ଼ି ନାଶିବାକୁ ଭାବି

ଯବନ ସେନା ସମୂଳେ ।

Image

 

ମିଳନ

 

ନିଦ୍ରା-ଅଭିଭୂତ ଜାଠେଶ ସୈନିକେ

ଜୟ ଶାନ୍ତି ଲାଭ ପରେ,

ଏକାଳେ ସହସା ଯବନ ଯୋଦ୍ଧାଏ

ଘେରିଲେ ଚଉପାଶରେ ।

କଲେ ଜୟ ରବ ଆକାଶ ଫଟାଇ

ପ୍ରକମ୍ପାଇ ବସୁନ୍ଧରା,

ନିଦ୍ରା ଭାଙ୍ଗିଗଲା, ହିନ୍ଦୁ ସୈନ୍ୟବୃନ୍ଦ

କ୍ଷଣେ ହେଲେ ଆତ୍ମହରା ।

ମେଘ କୋଳୁଁ ଯଥା ଚପଳା ବାହାରି

କରଇ ଘୋର ଗର୍ଜନ

ତଥା ସେ ଶିବିରମୁକ୍ତକେଶା ଆସି

ଶୁଣାଇଲା ଭେରୀ ସ୍ୱନ ।

ଡାକ ଦେଲା ଉଠ ଆର୍ଯ୍ୟଯୋଧବୃନ୍ଦ,

ବୀରରସେ ହୋଇ ସ୍ନାତ,

ଆସିଲାଣି ପୁଣି ସଦଳେ ଅରାତି,

କର ତ୍ୱରା ଗୁଳିପାତ ।

ନାଶ ନାଶ ବେଗେ ନ ରଖ ହେ ବୀରେ,

ଜୀବନ୍ତ ମୁସଲମାନ,

ଆର୍ଯ୍ୟବାଳା ଚୋରି ଅପରାଧେ ଶୀଘ୍ର

ରମ୍ଭାବୃକ୍ଷପ୍ରାୟ ହାଣ l

ପଦ୍ମ-ବ୍ୟୂହେ ବୀରେ ହୁଅ ସଜ୍ଜୀଭୂତ

କେଶରେ ରଖି ରାଜନେ,

ପ୍ରତି ପାଖୁଡ଼ାରେ ଜଣେ ଜଣେ ରହ

ନାୟକ ସେନା ଚାଳନେ ।

ମଧୁ-ମକ୍ଷୀ ଯଥା, ଏଣେ ତେଣେ ଉଡ଼ି

କ୍ଷଣେ କେଶରକୁ ଆସେ,

ତଥା ମୁଁ ସର୍ବତ୍ର ବୁଲି ଆସି ପୁଣି

ପଶୁଥିବି ନୃପ ପାଶେ ।

ସକଳ ହୃଦୟେ ଭରି ଦେଉଥିବି

ଭୂଉଁ ସ୍ୱରେ ବୀର-ରସ,

ବୀର-ଭେରୀ ଧରି ସକଳେ ହକାରି

ନାଶିବା ଅରି ଅବଶ୍ୟ ।

ତ୍ରିଭୁଜ ଆକାରେ ବ୍ୟୂହ ରତିଅଛି

ନିଷ୍ଠୁର ଦୁଷ୍ଟ ଯବନ,

କୋଣ ଶୃଙ୍ଗମାନ ବାହୁଠାରୁ ଦୂର,

ସେନାନୀ ତହିଁ ଶୋଭନ ।

ଶଙ୍ଗ ଦିଗୁଁ ଯେଉଁ ଗୁଳା ଆସୁଥିବ

ନିବାରିବ ତା କେବଳ,

ବାହୁ ଦିଗ ଗୁଳା ନିବାରଣ ସଙ୍ଗେ

ନାଶିବ ଶତ୍ରୁ ସକଳ ।

ଫଟାଅ ହେ ବୀରେ, ଅଗ୍ରେ ବାହୁମାର୍ଗ

ହୁଅନ୍ତୁ ସେ ଛିନ୍ନ ଭିନ୍ନ,

ହିନ୍ଦୁତ୍ୱ ରକ୍ଷଣେ ମାର ଶତ୍ରୁ କରି

ଆଗ୍ନେୟ ଅସ୍ତ୍ର ବିକୀର୍ଣ୍ଣ ।”

ଆଜ୍ଞାମାତ୍ରେ ସର୍ବେ ପଦ୍ମବ୍ୟୂହ ରଚି

ଯବନ-ନାଶନ-ବ୍ରତେ

ନିଜ ନିଜ ସ୍ଥାନେ ଧର ପ୍ରାୟ ଦୃଢ଼େ

ଯୁଝିଲେ ଅରି ସଙ୍ଗତେ ।

ଲାଗିଛି ସମର ଦୁଇ ଦଳ ମଧ୍ୟେ

ଏ ସମୟେ ନଦୀତୀରେ

ଆସି ରୁଣ୍ଡ ହେଲେ       ଅରି ପୃଷ୍ଠ ଦେଶେ

ଭବାନୀ-ଚାଳିତ ବୀରେ ।

ଚଳାଇଲେ ଶୀଘ୍ର ଆଗ୍ନେୟ ନାଳୀକ

ଯହୁଁ ଶତ୍ରୁ ସୈନ୍ୟେ ଲକ୍ଷି,

ଅନାଇଲେ ଶତ୍ରୁ ସୈନିକେ ପଶ୍ଚାତେ

ଚକିତେ ଫେରାଇ ଅକ୍ଷି ।

ସସମ୍ଭବେ ତୁରୀ ଧରି ବଜାଇଲେ

ସୟଦ-ଅମୀର ଭାଷି,

“ହେ ଶେକ୍‍-କାଶିମ ! ଆସିଲେଣି ପୃଷ୍ଠେ

ହିନ୍ଦୁ ସୈନ୍ୟ ରାଶି ରାଶି ।

ଚାଳିଦିଅ ସୈନ୍ୟ ଉଭୟ ପାର୍ଶ୍ୱରେ,

ନିଜେ ଯାଇ ମିର୍ଜାଫରେ

ସାହାଯ୍ୟ ପ୍ରଦାନ କରିବ, ହିନ୍ଦୁଏ

ଆସିଲେଣି ବହୁତରେ ।”

ଚଳାଇ ସୈନିକେ ଭେରୀ ସ୍ୱନ ଶୁଣି

ସତ୍ୱର ଶେକ୍‍-କାଶିମ

ଶେଷେ ନିଜେ ମିଳି ଶେକ୍‍-ମିର୍ଜାଫରେ

ରଖିଲେ ବାମେ ପଶ୍ଚିମ ।

ଅର୍ଦ୍ଧେ ସୈନ୍ୟ ମୁଖ କଲେ ଜାଠ ଦିଗେ,

ଅନ୍ୟାର୍ଦ୍ଧ ଭବାନୀ ପ୍ରତି,

ମଧ୍ୟେ ପଥ ରଖି ଅଶ୍ୱେ ଭ୍ରମି ସୈନ୍ୟ

ଚଳାଇଲେ ସେନାପତି ।

ଲାଗିଲା ଭୀଷଣ ସମର ସେ ଦିନ

ହିନ୍ଦୁର ଯବନ ସଙ୍ଗେ,

ମଲେ ବହୁତର ସୈନ୍ୟ ବେନି ପକ୍ଷୁଁ

ସେ ମହା ଭୀଷଣ ରଙ୍ଗେ ।

ଜୟ ରବ ଉଠେ ତିନି ମହାଦଳୁଁ

ମାର ମାର ଶବ୍ଦ ସହ,

ଧନ୍ୟ ବୀର-ଶ୍ରୋତ୍ର, ନ ଫାଟେ ଗର୍ଜନେ

ଅପର କର୍ଣ୍ଣେ ଦୁଃସହ ।

ବିପକ୍ଷେ ଧିକ୍କାରି ସ୍ୱପକ୍ଷେ ଉତ୍ସାହ

ବଚନ ଭାଷି ସେନାନୀ

ଯଶ ରକ୍ଷା ଆଶେ କର୍ତ୍ତବ୍ୟ ସାଧନ୍ତି

ଧନ୍ୟ ବୀର ଅଭିମାନୀ ।

ସମସ୍ତଙ୍କଠାରୁ ଅଧିକ ଗର୍ଜଇ

ଭବାନୀ ସମରେ ଆଜି,

ହିନ୍ଦୁ ସୈନ୍ୟ ବୃନ୍ଦେ ! ପ୍ରାଣପଣେ ଲଢ଼

ଶତ୍ରୁ ଧୈର୍ଯ୍ୟ ଯିବ ଭାଜି ।

ଧର୍ମବଳେ ଯୋଧେ, ଜିଣିବ ଏ ଯୁଦ୍ଧେ

ଅଧର୍ମବଶେ ଯବନ

ତୁମ୍ଭରି ଶ୍ରୀହସ୍ତେ ଅତି ଅଳ୍ପକ୍ଷଣେ

ତେଜିବ ଦିବ୍ୟ ଜୀବନ ।

କ୍ରୋଧ ମାତ୍ରା ମୋର ହୁଅନ୍ତେ ପ୍ରବଳ

ନୀରବେ ଏତେ ଦିବସ

ରହି ଯାଇଥିଲି, ଆଜି ଜଳାଇବି

ତା ବଳେ ଅରି ଅବଶ୍ୟ ।

ଯେତେ ଅତ୍ୟାଚାର କରେ ହିନ୍ଦୁ ପ୍ରତି

ଅସହ୍ୟ ହୁଏ କଥନେ,

ଜିଜିୟା ବସାଇ ବାଧ୍ୟ କରାଇଛି

ନିଜର ଧର୍ମଗ୍ରହଣେ ।

ହିନ୍ଦୁ ରମଣୀକୁ ଘରଣୀ କରିଛି

ବଳାତ୍କାରେ ସେ ଦୁରନ୍ତ

ହିନ୍ଦୁ ରାଜ୍ୟପାଳ ରାଜତ୍ୱକୁ ହରି

ନିଜେ ହୁଏ ଭାଗ୍ୟବନ୍ତ ।

ସୀମା ଅତିକ୍ରମ କଲାଣି କଳୁଷ

ମୁସଲମାନର ବୀରେ !

ରକ୍ଷା ନାହିଁ ଆଉ ପାପିଷ୍ଠର ଭବେ,

ବୁଡ଼ିଛି ପାପ-ତିମିରେ ।

ନାଶ ନାଶ ବେଗେ ଅରାତି ତୁମ୍ଭର

ଦିଅ ହେ ସୁଯୋଗ୍ୟ ଦଣ୍ଡ,

ତା ମୁଖ ଦର୍ଶନେ ଅତ୍ୟାଚାର ସ୍ମୃତି

ହୃଦ କରେ ଶତ ଖଣ୍ଡ ।

ନ ରଖ ଭାରତେ ଗୋଟିଏ ଯବନ

ତା ଶୋଣିତେ କର ଚିତା,

ଯା କବଳେ ପଡ଼ି ମୋ ଲାଗି ପରାଣ

ହରାଇଲେ ଭ୍ରାତା ପିତା ।

ଦୋଷହୀନା ଉମା ଅରାତି ପ୍ରହାରେ

ମୋ ଲାଗି ଛାଡ଼ି ସଂସାର଼

ପାଗଳିନୀ ପ୍ରାୟେ କାହିଁ ବୁଲୁଅଛି

ନ ମିଳେ ସନ୍ଧାନ ତାର ।

ହିନ୍ଦୁତ୍ୱ ରକ୍ଷଣେ ପଣ କର ହିନ୍ଦୁ

ନାଶ ହିନ୍ଦୁ ଅରି ତ୍ୱରା,

ହିନ୍ଦୁ ପ୍ରାଣେ ଆଜି ମିଳିଛି ସୁଯୋଗ

ପାପହୀନା ହେଉ ଧରା ।”

ରଣମଦମତ୍ତ ସକଳ ସେନାଏ

କି ଯବନ କିବା ହିନ୍ଦୁ,

ପିଉଛନ୍ତି କି ସେ ମକରନ୍ଦ ରଣ-

ଚଣ୍ଡୀ-ପଦ ଅରବିନ୍ଦୁ ?

ଲାଗିଲା ସଂଗ୍ରାମ ବହୁବେଳ ଯାଏ,

ମଲେ ବୀର ଅଗଣିତ

ଉଭୟ ପକ୍ଷରୁ, ରଣାଙ୍ଗନ ଏବେ

ଶ୍ମଶାନେ ହେଲା ଗଣିତ ।

ଏକାଳେ ସହସା ଅଦୂରେ ଶୁଭିଲା

ଜୟ ଧ୍ୱନି ଘୋରତର,

ଉଡ଼ିଲା ବିଜୟ- ପତାକା ଊର୍ଦ୍ଧ୍ୱରେ

ଭରତପୁରେଶ୍ୱରର ।

ସଙ୍ଗେ ସଙ୍ଗେ ମଧ୍ୟ ଶୁଭିଲା ଶବଦ

ଜୟ ଜୟ ମୁକ୍ତକେଶା,

ଜୟ ସଖୀ-ଶତ୍ରୁ- ସଂହାରିଣୀ ଜୟ

ଯବନନାଶିନୀବେଶା ।

ଜୟ ସଖୀ-ଶତ୍ରୁ- ସଂହାରିଣୀ’ ଜୟ

ଶୁଣନ୍ତେ ଦେବୀ ଭବାନୀ

କ୍ଷିପ୍ରେ ଚଳାଇଲେ ନିଜ ତୁରଙ୍ଗମେ

ପାଳକ ପିତା ଆହ୍ୱାନି ।

ବେନିଏ ଧାଇଁଲେ ଶବ୍ଦଭେଦୀ ଶର

ପରାୟେ ମୁହୂର୍ତ୍ତ ମାତ୍ରେ

ଉଲ୍କା ଧାଏଁ ଯଥା ଗଗନ ମାର୍ଗରେ

ଭୀଷଣ ତାମସୀ ରାତ୍ରେ ।

ସେନାନୀ ମରଣେ       ରଣ ଛାଡ଼ି ଭୟେ

ପଳାଇ ଗଲେ ଯବନେ

କିଏ କେଉଁ ଦିଗେ ହୋଇ ଅସ୍ତବ୍ୟସ୍ତ

ନ ରହିଲେ ସୁଦ୍ଧା ଜଣେ ।

ସହଜେ ଗମିଲେ ରଘୁବୀର ସଙ୍ଗେ

ଭବାନୀ ସାରଙ୍ଗ-କନ୍ୟା,

ଦେଖିବାକୁ କିଏ ନାରୀ ଶତ୍ରୁ ଧ୍ୱଂସି

ଭାରତେ ହୋଇଲା ଧନ୍ୟା ।

ନିକଟବର୍ତ୍ତିନୀ ହୁଅନ୍ତେ ଭବାନୀ

ଦେଖିଲା ବାଲ୍ୟ ସଙ୍ଗିନୀ

ସ୍ନେହମୟୀ ଉମା ରକ୍ତାକ୍ତଶରୀରା

ସୟଦାମୀର-ମର୍ଦ୍ଦିନୀ ।

ବେଗେ ଧାଇଁ ଯାଇ କୁଣ୍ଢାଇ ପକାଇ

ସଖୀ କରେ ହେଲା ବଦ୍ଧ,

ଅତି ଆନନ୍ଦରେ କାନ୍ଦିଲେ ବେନିଏ

ଭାରା ଦେଇ ସ୍କନ୍ଧେ ସ୍କନ୍ଧ ।

ବାକ୍ୟ ନ ସ୍ଫୁରଇ ଉଭୟଙ୍କ ମୁଖୁ

ପକାନ୍ତି ମାତ୍ର ବୋବାଳି,

ପ୍ରତିହିଂସା-ବହ୍ନି ନିଭାଇଲେ କି ସେ

ଲୋଚନୁ ସଲିଳ ଢାଳି ?

ବିସ୍ମିତ ହୋଇଲେ ସୈନିକ ମଣ୍ଡଳୀ

ଦେଖି ଏହି ସୁମିଳନ,

ଚକିତ କଲା କି ବୀର ଶୂର ରସ

ପରସ୍ପର ଆଲିଙ୍ଗନ ?

ବେନି କୁମାରୀଙ୍କ ଯଶ ଗାନ କଲା

ରଘୁବୀର, ଜାଠେଶ୍ୱର,

ସୈନ୍ୟ ଦଳ ତହିଁ ଯୋଗ ଦେବା ହେତୁ

କମ୍ପିଲା ରଣ-ପ୍ରାନ୍ତର ।

Image

 

କମ୍ପିଲା ରଣ-ପ୍ରାନ୍ତର

ଗୀତ

 

(ଆଜି) ଗାଅରେ ଗାଅରେ ଭାରତକୁମରେ !

ଶଶିକଳା ଉମା ଯଶ,

(ଦେଖ) ନାରୀକୁଳେ ଜନ୍ମି କେଡ଼େ ପରାକ୍ରମୀ,

କରନ୍ତି ଅରାତି ଧ୍ୱଂସ । ଘୋଷା ।

(ଆଜି) ପରପଦାନତା ଏ ଭାରତମାତା

ହୃଦୟ ଅତି ସରସ,

(ଯେଣୁ) ନନ୍ଦିନୀ ତାହାର ଅରାତି ସଂହାର

କଲେ ହୋଇ ପଣବଶ ।

(ଅଛି) ହୃଦେ ରକ୍ତବିନ୍ଦୁ ଯେତେ ଦିନ ହିନ୍ଦୁ,

ଦେଖି ନାରୀ ଆଦରଶ

(କର) ପଥାନୁସରଣ, ରଣେ ଦିଅ ପ୍ରାଣ,

ସ୍ୱାଧୀନ ହେବ ଅବଶ୍ୟ ।

Image